ମୋ ସ୍କୁଲ ଅଭିଯାନ,ଢେଙ୍କାନାଳ ଜିଲ୍ଲା ସ୍ତରୀୟ ପୁରାତନ ଛାତ୍ରୀ ଛାତ୍ର ସମ୍ମିଳନୀ ଓ ଫୋଟୋ ପ୍ରଦର୍ଶନୀ ଅନୁଷ୍ଠିତ !

ଢେଙ୍କାନାଳ : ସ୍ଥାନୀୟ ସପ୍ତଶଯ୍ୟା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରରେ ଥିବା ସଭାଗୃହରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଢେଙ୍କାନାଳ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ସଭାପତିତ୍ବରେ, ଜିଲ୍ଲା ସ୍ତରୀୟ ପୁରାତନ ଛାତ୍ରୀ ଛାତ୍ର ସମ୍ମିଳନୀ ଓ ଫୋଟୋ ପ୍ରଦର୍ଶନୀ -୨୦୨୩ ଅନୁଷ୍ଠିତ ହୋଇଯାଇଅଛି।

ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଏହି କାର୍ଯ୍ୟକ୍ରମ ଓ ଫୋଟୋ ପ୍ରଦର୍ଶନୀ ୨୦୨୩ର ଶୁଭ ଉଦ୍ଘାଟନ କରିଥିଲେ । ସ୍ଵୀୟ ବକ୍ତ୍ୟବ୍ୟରେ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ବିଦ୍ୟାଳୟକୁ ସମସ୍ତେ ଏଥିପାଇଁ ଅର୍ଥ ଦାନ, ଦ୍ରବ୍ୟ ଦାନ ଓ ସେବା ପ୍ରଦାନ ପାଇଁ ଆଗେଇ ଆସିବାକୁ ଦୃଢ଼ ଆହ୍ୱାନ ଦେଇଥିଲେ।

ପରଜଙ୍ଗର ମାନ୍ୟବର ବିଧାୟକ ଡ଼ଃ ନୃସିଂହ ସାହୁ ଅନ୍ୟତମ ବିଶିଷ୍ଟ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ କହିଥିଲେ ଯେ ବଦଳିଛି ବିଦ୍ୟାଳୟର ଚେହେରା। ଶିକ୍ଷାୟତନର ପରିସରରେ ଦେଖାଦେବାରେ ଲାଗିଛି ରୂପାନ୍ତରଣର ଅପୁର୍ବ ଝଲକ। ଯୁଗପଯୋଗୀ ଜ୍ଞାନ ଆହରଣ ପାଇଁ ଉନ୍ନତ ଗ୍ରନ୍ଥାଗାର ସାଙ୍ଗକୁ ଡିଜିଟାଲ ଲାଇବ୍ରେରୀ ଓ ଲାଇବ୍ରେରୀ ଷ୍ଟକ ଗୃହ, ଡିଜିଟାଲ କ୍ଲାସ୍ ରୁମରେ ଶିକ୍ଷା ଗ୍ରହଣ କରିବା ସୁଯୋଗ ପାଇଛନ୍ତି ବିଦ୍ୟାର୍ଥୀ ବୋଲି ଅଭିବ୍ୟକ୍ତି ପ୍ରଦାନ କରିଥିଲେ।

ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ସଭାର ଆଭିମୁଖ୍ୟ, ସ୍ଵାଗତ ଭାଷଣ ଓ ବିବରଣୀ ପାଠ କରିଥିଲେ। ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ପରିଶେଷରେ ସ୍ଵୀୟ ଧନ୍ୟବାଦ ଅର୍ପଣ କରିଥିଲେ ।ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଗୁଡିକରୁ ପ୍ରତିନିଧିତ୍ଵ କରୁଥିବା ପ୍ରାକ୍ତନ ଛାତ୍ରୀ ଛାତ୍ର ମାନେ ସ୍ଵୀୟ ବକ୍ତବ୍ୟରେ ରାଜ୍ୟ- ଦେଶ ତଥା ଜାତିର ଭବିଷ୍ୟତକୁ ଏବେ ଠାରୁ ସ୍ମାର୍ଟ ବିଦ୍ୟାର୍ଥୀ ଭାବେ ଗଢ଼ି ତୋଳିବା ପାଇଁ ଏଭଳି କିଛି ପଦକ୍ଷେପ ରାଜ୍ୟ ସରକାର “୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍” ତଥା ‘’ମୋ ସ୍କୁଲ ଅଭିଯାନ” ଜରିଆରେ ଗ୍ରହଣ କରୁଛନ୍ତି।

ଏହି ଅବସରରେ ମଞ୍ଚାସୀନ ଅତିଥି ବୃନ୍ଦ ଓ ଉପସ୍ଥିତ ୪୦ ଜଣ ପ୍ରାକ୍ତନ ଛାତ୍ରୀ ଛାତ୍ର ମାନଙ୍କୁ ପର୍ଯ୍ୟାୟ କ୍ରମେ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ମୁଖ୍ୟଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା।ଢେଙ୍କାନାଳ ଜିଲ୍ଲା ବିଜ୍ଞାନ ସୁପରଭାଇଜର ଲକ୍ଷ୍ମୀଧର ମହାନ୍ତ ଅତିଥି ପରିଚୟ ପ୍ରଦାନ ଓ ସଭା ସଂଯୋଜନା କରିଥଲେ । ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ, ଧୂପ,ଦୀପ ଅର୍ପଣ କରାଯାଇ ଜିତେନ୍ଦ୍ର କୁମାର ସାହୁଙ୍କ ଦ୍ବାରା ମଙ୍ଗଳାଚରଣ ଗାନ କରାଯାଇଥିଲା।

ପ୍ରକାଶ ଥାଉକି ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ,ବରିଷ୍ଠ ଶିକ୍ଷକ,ପ୍ରାକ୍ତନ ପ୍ରଧାନ ଶିକ୍ଷକ,ଶିକ୍ଷକ ସମେତ ମୋ ସ୍କୁଲ୍ ଅଭିଯାନ କ୍ୟାମ୍ପେନ୍ ଟିମର ଦଳମୁଖ୍ୟ ଡ଼ା. ଦେବୀ ପ୍ରସାଦ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରୀୟ ଅଂଶଗ୍ରହଣ କରି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Leave A Reply

Your email address will not be published.

eighteen − eleven =