ଢ଼େଙ୍କାନାଳ : ହିନ୍ଦୋଳ ବାନାଞ୍ଚଳରେ ୧୦୦ ରୁ ଉର୍ଦ୍ଧ୍ବ ଜଙ୍ଗଲି ହାତୀ ରହିଥିବା ବେଳେ ସାଧାରଣ ଜନତା ଭୟଭୀତ ଅବସ୍ଥାରେ ରହିଛନ୍ତି। ଦିନ ଦୁଇ ପ୍ରହରରେ ଗାଁ ଦାଣ୍ଡରେ ବୁଲୁଥିବା ଦେଖିବାକୁ ମିଳୁଛି। ପରିସ୍ଥିତି ଏମିତି ହେଲାଣି ଯେ ସ୍କୁଲ କଲେଜ କୁ ଛାତ୍ର ଛାତ୍ରୀ ମାନେ ଆସିବାକୁ ହେଲେ ଅଭିଭାବକ ମାନଙ୍କର ସହାୟତା ନେବାକୁ ପଡ଼ୁଚି। ସେହିପରି କୌଣସି ଦରକାର କାମ ପଡ଼ିଲେ ଘରୁ ଗୋଡ଼ କାଢିବାକୁ ସାଧାରଣରେ ଭୟ ସୃଷ୍ଟି ହେଲାଣି। ବର୍ତ୍ତମାନ ଧାନ ଅମଳ ସମୟ ଥିବାରୁ ଜଙ୍ଗଲୀ ହାତୀ ଜଙ୍ଗଲରେ ନରହି ଗାଁ ମୁଂହା ହେଲେଣି। ବର୍ଷ ତମାମ ହାତୀ ମଣିଷ ଲଢେଇରେ କେତେବେଳେ ଜଙ୍ଗଲି ହାତୀଙ୍କ ଜୀବନ ଯାଉଛି ତ, କେତେବେଳେ ସାଧାରଣ ଲୋକର ଜୀବନ ଟିଏ ଯାଉଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଜି ସକାଳ ୬ ଘଟିକା ସମୟରେ କଡଲା ପଞ୍ଚାୟତ କଡଲା ଗ୍ରାମରେ। ଗ୍ରାମର ମଧୁସୂଦନ ପ୍ରଧାନଙ୍କ ପୁଅ ଦୀପକ ପ୍ରଧାନ (୩୨) ଗ୍ରାମ ନିକଟରେ ଥିବା ପୋଖରୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ଘଟଣା ସ୍ଥଳରେ ଦନ୍ତା ହାତୀଟି ଦୀପକ ଙ୍କୁ ଶୁଣ୍ଢରେ କଚାଡି ମାରି ଦେଇଥିଲା। ଖବର ପାଇ ହିନ୍ଦୋଳ ବାନାଞ୍ଚଳ ଅଧିକାରୀ କର୍ଣ୍ଣପୁର ବିଟ୍ ଙ୍କ ସମେତ ଅନ୍ୟ ସମସ୍ତ ବନ୍ୟ କର୍ମଚାରୀ ଓ ବାଲିମି ପୋଲିସ ଘଟଣା ସ୍ଥଳରେ ପହଁଚି ଥିଲେ। ବାଲିମି ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଡ଼ାକ୍ତରଖାନା କୁ ପଠାଇ ଥିବା ବେଳେ ପରିବାର ଲୋକ ଓ ଗ୍ରାମ ବାସୀ ମୃତ ଦେହକୁ ଗ୍ରାମ୍ୟ ରାସ୍ତାରେ ରଖି ଧାରଣାରେ ବସିବା ସହ ଉପଯୁକ୍ତ କ୍ଷତିପୂରଣ ପାଇଁ ଦାବି କରିଥିଲେ। ହିନ୍ଦୋଳ ବନାଞ୍ଚଳ ଅଧିକାରୀ ପ୍ରସନ୍ନ ସାହୁ କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡିଥିଲା। କଡଲା ଗ୍ରାମବାସୀଙ୍କ କହିବା ଅନୁଯାୟୀ ଆଜକୁ ପ୍ରାୟ ୧୦ ବର୍ଷରୁ ଅଧିକ ହେବ ଗ୍ରାମ୍ ନିକଟରେ ଥିବା ରୁଙ୍ଗଟା ମାଇନ୍ସ ଲିମିଟେଡ ର ପାଚେରୀ ନିର୍ମାଣ ହେବା ଯୋଗୁଁ ହାତୀ ମାନଙ୍କର ଚଲାପଥରେ ବାଧା ସୃଷ୍ଟି ହୋଇଛି। ଫଳରେ ଜଙ୍ଗଲି ହାତୀ ଗ୍ରାମ ମୁଁହ ହେବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି। ଏ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।