ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ଗୋବିନ୍ଦପ୍ରସାଦ ଶ୍ମଶାନରେ ଚଣ୍ଡୀ ପୂଜା ଓ ଯଜ୍ଞ !

ଢେଙ୍କାନାଳ : ଢ଼େଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପ୍ରସାଦ ଗ୍ରାମ ଶ୍ମଶାନସ୍ଥିତ ମା’ ଚଣ୍ଡୀଠାକୁରାଣୀଙ୍କ ଠାରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ପୂଜା ସହିତ ପଂଚାନନ ମେଳା ଓ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।

ଏ ବର୍ଷ ମା’ ଚଣ୍ଡୀଙ୍କର ସୁନାବେଶ ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ଅନେକ ଆଗ୍ରହ ଦେଖିବାକୁ ମିଳିଥିଲା । ଗ୍ରାମର ରାସ୍ତା ବିଶେଷକରି ଶ୍ମଶାନ ରାସ୍ତାକୁ ରଙ୍ଗବେରଙ୍ଗ ପତାକା ଓ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା । ଅଞ୍ଚଳବାସୀଙ୍କ ସହଯୋଗରେ ଶ୍ମଶାନ ଥିବା ଚଣ୍ଡୀଙ୍କ ପୀଠରେ ସନ୍ଧ୍ୟା ଠାରୁ ପୂଜା ଆରମ୍ଭ ହୋଇ ରାତ୍ରି ୩ଟା ପର୍ଯ୍ୟନ୍ତ ଚାଲିଥିଲା । ପରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ମା’ଙ୍କ ଠାରେ ଲାଗିହୋଇଥିବା ପଣାକୁ ବଂଟନ କରାଯାଇଥିଲା ।

ଏହିଦିନ ଗ୍ରାମର ପ୍ରତ୍ୟେକ ମହିଳାମାନେ ନିଜନିଜ ଘର ଆଗରେ ମା’ଙ୍କ ଉଦ୍ଦେଶ୍ୟରେ ପଣା ଦେଇଥିଲେ । ଗ୍ରାମରେ ଆମିଷକୁ ସଂପୂର୍ଣ୍ଣ ଭାବେ ନିଷିଦ୍ଧ କରାଯାଇଥିଲା । ଏହି ପୂଜାରେ ବଳି ପ୍ରଥା ନଥିବାରୁ ଭକ୍ତମାନେ ବୋଦା, କୁକୁଡା, ଗଞ୍ଜାକୁ ମା’ଙ୍କୁ ସମର୍ପଣ କରି ଆକାଶ ତଳେ ଛାଡି ଦେଇଥାନ୍ତି । ଆବଶ୍ୟକ ସ୍ଥଳେ ସେମାନଙ୍କ ପାଇଁ ରହିବା ଏବଂ ଖାଇବାର ବନ୍ଦୋବସ୍ତ କମିଟି ତରଫରୁ କରାଯାଇଥାଏ । ଏମାନେ ଖୋଲା ବୁଲୁଥିଲେ ମଧ୍ୟ, କେବେ କେହି ଶିକାର କରିବାର ସାହାସ କରିନାହାନ୍ତି । ଯଦି କେବେ ଭୁଲ୍‌ରେ କେହି ମାରିଦେଇଛି, ତା’ର ଫଳ ସେ ସାଙ୍ଗେ ସାଙ୍ଗେ ପାଇଛି ।

ଏଠାରେ କୌଣସି ମୂର୍ତ୍ତୀ ସ୍ଥାପନ କରାଯାଇନାହିଁ । କେବଳ ତାଙ୍କ ଆସ୍ଥାନକୁ ପୂଜା କରାଯାଇଥାଏ । ବର୍ଷର କେବଳ ଗୋଟିଏ ଦିନ ପୂଜା କରାଯାଇଥାଏ । ଦୀର୍ଘ ୫୨ ବର୍ଷରୁ ଅଧିକ ଧରି ଏହି ଶ୍ମଶାନରେ ଚଣ୍ଡୀଙ୍କର ପୂଜା ଅନୁଷ୍ଠିତ ହୋଇଆସୁଥିଲାବେଳେ, ଏହି ସମୟରେ ଗ୍ରାମରେ କେହି କେବେ ମୃତ୍ୟୁବରଣ କରିଥିବାର ଦୃଷ୍ଟାନ୍ତ ନାହିଁ । ତେଣୁ ଏହି ପୂଜା ସମୟରେ ଗ୍ରାମକୁ ଯମ ରାଜା ପ୍ରବେଶ ମନା ବୋଲି ଲୋକମାନେ ବିଶ୍ୱାସ କରିଥାଆନ୍ତି ।

ଏହି ପୂଜାକୁ ସରସ ସୁନ୍ଦର କରିବା ପାଇଁ ଗ୍ରାମର ଅଖିଳ ମହାପାତ୍ର, ବାସୁଦେବ ସାମଲ, ବାବୁଲି, ଭୋଳେଶ୍ୱର, ସୁବାସ, ମୁନି, ଗିରିଧାରି, ଘନ, ସିଲୁ, ଜିତୁ, ଟୁନା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

four × 1 =