ଆପ୍ ପକ୍ଷରୁ ଆସନା ୨୮ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା !

ଢେଙ୍କାନାଳ :  ଆମ୍ ଆଦ୍‌ମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ତରଫରୁ ଆସନ୍ତା ୨୮ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା କାର୍ଯ୍ୟାଳୟ, କଚେରୀ ରୋଡ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଧାରଣା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଆଜି ମହାବୀର ବଜାରସ୍ଥିତ ଆପ୍ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ମିଶନଶକ୍ତିରେ କାମ କରୁଥିବା ସହାୟକ ଷ୍ଟାଫ୍ ଯଥା ଏମ୍‌ବିକେ, ସିଆରପି, କୃଷିମିତ୍ର, ପ୍ରାଣୀମିତ୍ର, ବ୍ୟାଙ୍କମିତ୍ର ଏବଂ ଏଲ୍‌ଏସ୍‌ପି ମାନଙ୍କର ଚାକିରୀକୁ ସ୍ଥାୟୀ କରିବା ଏବଂ ଦରମା ବୃଦ୍ଧି କରିବା ପାଇଁ ଏହି ଆନ୍ଦୋଳନ ମାଧ୍ୟମରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦେବାର ବ୍ୟବସ୍ଥା ହୋଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଜୁ ଜନତା ଦଳ ଦୀର୍ଘ ଦିନରୁ କାମ କରୁଥିବା ଏହି ସହାୟକ ଷ୍ଟାଫ୍‌ମାନଙ୍କର ଯୁକ୍ତିଯୁକ୍ତ ଦାବିକୁ ଅଣଦେଖା କରୁଛି । ମିଶନ ଶକ୍ତିକୁ ନିଜ ସରକାରର ସବୁଠାରୁ ସଫଳ କାର୍ଯ୍ୟକ୍ରମ ଭାବରେ ପ୍ରଚାର କରୁଥିବା ନବୀନ ସରକାର ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ସ୍ଥାୟୀ କରିବା ପାଇଁ ପ୍ରସ୍ତୁତ ନୁହେଁ । ଫେବୃଆରୀ ୨୦ ତାରିଖରେ ପ୍ରାୟ ୨୦ ହଜାର ମିଶନ ଶକ୍ତି ସହାୟକ କର୍ମଚାରୀମାନେ ଲୋୟର ପି.ଏମ୍‌.ଜି. ଠାରେ ଆନ୍ଦୋଳନ କରିଥିଲେ ମଧ୍ୟ ସରକାର କର୍ଣ୍ଣପାତ କଲେ ନାହିଁ ।

୨୦୨୩-୨୪ ବଜେଟ୍‌କୁ ଏକ ବଳକା ବଜେଟ୍ ଅର୍ଥାତ୍ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ଅଛି ବୋଲି ଦାବି କରୁଥିବା ବିଜେଡି ସରକାର କାହିଁକି ମିଶନ ଶକ୍ତିର ସହାୟକ କର୍ମଚାରୀ ମାନଙ୍କୁ ସ୍ଥାୟୀ କରିବାକୁ ରାଜି ହେଉନାହିଁ, ତାହା ଜଣାପଡୁନାହିଁ । ଏମାନଙ୍କୁ କେବଳ ନିର୍ବାଚନରେ ପ୍ରଚାର କାମରେ ଲଗାଇବା ପାଇଁ ଏବଂ ସବୁଦିନ ପାଇଁ ବିଜେଡି ପାଖରେ ଭୟଭୀତ କରି ରଖିବାର ଯୋଜନା ବୋଲି ଆମ ଆଦ୍‌ମୀ ପାର୍ଟି ଅଭିଯୋଗ କରୁଛି ।

ତେଣୁ ତୁରନ୍ତ ମିଶନ ଶକ୍ତିର ସହାୟକ କର୍ମଚାରୀଙ୍କୁ ସ୍ଥାୟୀ କରିବା ଏବଂ ସେମାନଙ୍କର ପାରିଶ୍ରମିକ ବୃଦ୍ଧି କରିବା ପାଇଁ ଆଜି ଆମ୍ ଆଦ୍‌ମୀ ପାର୍ଟି ଦାବି କରୁଛି । ଆଗାମୀ ୨୮ ତାରିଖରେ ମିଶନ ଶକ୍ତିର ସହାୟକ କର୍ମଚାରୀମାନଙ୍କୁ ନ୍ୟାୟ ଦେବା ପାଇଁ ଆପ୍ ତରଫରୁ ଧାରଣା ଓ ପ୍ରଦର୍ଶନ କାର୍ଯ୍ୟକ୍ରମ କରାଯିବ ବୋଲି  ଘୋଷଣା କରିଛନ୍ତି । ଏହି ପ୍ରେସ୍ ବାର୍ତାରେ ବରିଷ୍ଠ ସଭ୍ୟ ବିଷ୍ଣୁପ୍ରସାଦ ପଣ୍ଡା, ଜିତେନ୍ଦ୍ର ବେହେରା, ଚିନ୍ମୟ ସେନାପତି, ନିତ୍ୟାନନ୍ଦ ପଣ୍ଡା, ଜନାର୍ଦ୍ଦନ ନନ୍ଦି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

three × 2 =