ହିନ୍ଦୋଳ ବ୍ଲକ ପରିସରରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶ୍ରୀ ଶ୍ରୀ ହରିହର ମନ୍ଦିର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ !
ଢ଼େଙ୍କାନାଳ : ଓଡିଶାର ଅନ୍ୟତମ ଶ୍ରେଷ୍ଠ ବ୍ଲକ ରୂପେ ହିନ୍ଦୋଳ ବ୍ଲକ ସୁନାମ ଅର୍ଜନ କରିଛି । ଏହି ବ୍ଲକର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରୁଛି , ବ୍ଲକର ସମ୍ମୁଖ ଭାଗରେ ନିର୍ମିତ ହୋଇଥିବା ଭଗବାନ ହରିହରଙ୍କ ମନ୍ଦିର । ହିନ୍ଦୋଳ ବ୍ଲକର ପୁନରୁଦ୍ଧାର କରାଇବା ସମୟରେ ପୂର୍ବତନ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ପ୍ରିୟ ରଞ୍ଜନ ମାହୁନ୍ତ ଏହି ମନ୍ଦିର ସହିତ ବ୍ଲକ ଅଫିସର ରୂପରେଖ ପରିବର୍ତ୍ତନ କରି ରାଜ୍ୟସ୍ତରରେ ମଧ୍ୟ ସମସ୍ତଙ୍କର ପ୍ରିୟଭାଜନ ହୋଇ ପାରିଥିଲେ ।
ଆଜି ସେଇ ପ୍ରଭୁ ହରିହରଙ୍କ ବାର୍ଷିକ ଉତ୍ସବ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟ ରଞ୍ଜନ ମାହୁନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ରେ ପାଳନ କରାଯାଛି । ସକାଳୁ ହୋମଯଜ୍ଞାଦି ନାନା କର୍ମ ସହ ପଣ୍ଡିତ ବିଭୂତି ପାଳଙ୍କ ନେତୃତ୍ବରେ ଏକ ପୂଜକ ମଣ୍ଡଳୀ ଏହି ବାର୍ଷିକ ଉତ୍ସବରେ ପ୍ରଭୂ ହରିହରଙ୍କ ସମସ୍ତ ପୂଜା ରୀତି ନୀତି ସମ୍ପର୍ଣ୍ଣ କରିଥିଲେ । ମନ୍ଦିରର କର୍ତ୍ତା ଅଜୟ ଭଞ୍ଜ ହୋମ ଓ ପୂଜା କାର୍ଯ୍ୟ ସମ୍ପାଦନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମ ଶେଷରେ ଆୟୋଜିତ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ସମସ୍ତ ଭକ୍ତମାନେ ପ୍ରସାଦ ସେବନ କରିଥିଲେ । ହିନ୍ଦୋଳ ବ୍ଲକର ସମସ୍ତ କର୍ମଚାରୀ ଏହି ବାର୍ଷିକ ଉତ୍ସବରେ ଯୋଗଦେଇଥିବା ବେଳେ ବର୍ତ୍ତମାନର ବ୍ଲକର ଅଧ୍ୟକ୍ଷା କିମ୍ବା ଉପାଧ୍ୟକ୍ଷଙ୍କ ଅନୁପସ୍ଥିତି ସମସ୍ତଙ୍କୁ ବିସ୍ମିତ କରିଥିଲା । ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଜୁ ଜନତାଦଳର ଜିଲ୍ଲା ସମ୍ପାଦକ ରହିଥିବା ବେଳେ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ମଧ୍ୟ ବିଜୁ ଜନତାଦଳ ଜିଲ୍ଲା ସମ୍ପାଦିକା ଏବଂ ଉପାଧ୍ୟକ୍ଷ ବିଜୁ ଜନତାଦଳ ବ୍ଲକ ସଭାପତି ରହିଛନ୍ତି । ଦଳ ମଧ୍ୟରେ ସବୁ କିଛି ଠିକ ଠାକ୍ ଚାଲି ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ହିନ୍ଦୋଳ ବ୍ଲକ ପରିସରରେ ଶ୍ରୀ ଶ୍ରୀ ହରିହରଙ୍କ ମନ୍ଦିରର ବାର୍ଷିକ ଉତ୍ସବଟି ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟ ରଞ୍ଜନ ମାହୁନ୍ତ ଙ୍କ ତତ୍ୱାବୋଧନ ରେ ବେଶ ସୁରୁଖୁରୁରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଓ ଅଞ୍ଚଳର ବହୁ ମାନଗଣ୍ୟ ବ୍ୟକ୍ତି ମାନେ ଯୋଗଦାନ କରିଥିଲେ।