ଏକାଦଶ କୃଷି ଗଣନା ନିମନ୍ତେ ସମନ୍ୱୟ ବୈଠକ !

ଢେଙ୍କାନାଳ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଭାରତ ସରକାରଙ୍କ କୃଷି ଓ କଲ୍ୟାଣ ମନ୍ତ୍ରଣାଳୟ ଆନୁକୁଲ୍ୟରେ ହେବାକୁ ଥିବା ୧୧ତମ କୃଷି ଗଣନା ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଥମ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳ ସରୋଜ କୁମାର ସେଠି (ଆଇ.ଏ.ଏସ) ଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ହୋଇଯାଇଛି ।

କୃଷି ଗଣନା ର ଆଭିମୁଖ୍ୟ ସହିତ ଚଳିତ ବର୍ଷ ପାଇଁ ଏଥିରେ ସାମିଲ ହେବାକୁ ଥିବା ନୂତନ ନିୟମାବଳୀ ସମ୍ପର୍କରେ ଆଲୋଚନା ହୋଇଥିଲା । ୩ଟି ପର୍ଯ୍ୟାୟରେ ସର୍ଭେ କରାଯିବ । ଏହି ଗଣନା କାର୍ଯ୍ୟରେ ଜମିର ମାଲିକାନା, ଜମିର ଆକାର ପ୍ରକାର, କ୍ଷୁଦ୍ର ନାମମାତ୍ର ଚାଷୀ, ବୃହତଚାଷୀ, ବ୍ୟକ୍ତିଗତ କୃଷି, ଆନୁଷ୍ଠାନିକ କୃଷି, କୃଷିଜନ୍ତ୍ରପାତି ଉପଯୋଗ, ଜୈବିକ, ରାସାୟନିକ ସାର ଓ ଔଷଧର ବ୍ୟବହାର, ଜମିର ସଂଖ୍ୟା, ବ୍ୟବହୃତ କୃଷି ଜମି, ଫସଲ ପ୍ରଣାଳୀ ଆଦି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ I

ଏହି କାର୍ଯ୍ୟ ପାଇଁ ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ବିଭାଗର ଷ୍ଟାଟିଷ୍ଟିକାଲ ଫିଲଡ ସର୍ଭେୟର, ରାଜସ୍ବ ବିଭାଗର ଅମିନ, ଏ ଆର ଆଇ ଓ କୃଷି ବିଭାଗର ଗ୍ରାମ୍ୟ କୃଷି କର୍ମଚାରୀ , ଗଣନାକାରୀ ଭାବେ ନିୟୋଜିତ ହେବେ । ରାଜସ୍ବ ନିରୀକ୍ଷକ, ପରିସଂଖ୍ୟାନ ଅଧିକାରୀ ଓ ବରିଷ୍ଠ ଅର୍ଥନୀତି ଅନୁସନ୍ଧାନକାରି ମାନେ ସୁପରଭାଇଜର ଭାବେ ଦାଇତ୍ୱ ବହନ କରିବେ ।ଜିଲ୍ଲାର ସମସ୍ତ ଗ୍ରାମରେ ଏହି ସର୍ଭେ କାର୍ଯ୍ୟ ଅନୁଷ୍ଠିତ ହେବ । ସେଥିପାଇଁ ୧୦୬ ଜଣ କର୍ମଚାରୀ ନିୟୋଜିତ ହେବେ ।

୨୦% ଗ୍ରାମକୁ ସର୍ଭେ କରାଯାଇ ଦଶମ କୃଷି ଗଣନା କରାଯାଇ ଥିବା ବେଳେ ଚଳିତ ବର୍ଷ ୧୧ତମ କୃଷି ଗଣନାରେ ୧୦୦ ପ୍ରତିଶତ ଗ୍ରାମକୁ ସର୍ଭେ କରାଯିବ l ଡିଜିଟାଲ ମୋବାଇଲ ଆପ ଜରିଆରେ ସମସ୍ତ ସର୍ଭେ କାର୍ଯ୍ୟ କରାହେବ ।ଡିଜିଟାଲ ମାଧ୍ୟମରେ ଥିବା ଜମିର ରେକର୍ଡ କୁ ଏଥିପାଇଁ ବ୍ୟବହାର କରାଯିବ ।ଏହି ବୈଠକ ରେ ଯୋଗ ଦେଇ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସେଠୀ ଏହି ସର୍ଭେର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ସୂଚନା ଦେଇଥିଲେ ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର , ଜିଲ୍ଲା ମୁଖ୍ୟ କୃଷିଅଧିକାରୀ ଶରତ କୁମାର ତୋଷ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡମ୍ବରୁଧର ସାମଲ , ଡି ଆର ସି ଏସ ସରୋଜିନୀ ଜେନା, ଉଦ୍ୟାନ କୃଷି ବିଭାଗର ଉଦ୍ୟାନ କୃଷି ଅଧିକାରୀ ଗୀତାଶ୍ରୀ ପାଢ଼ି , ଜିଲ୍ଲା ସୂଚନା ଓ ପ୍ରଯୁକ୍ତି ଅଧିକାରୀ ମୃତ୍ୟୁଞ୍ଜୟ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

six − one =