ଢେଙ୍କାନାଳ : ଜିଲ୍ଲାରେ ବରପୁତ୍ରମାନେ ଚିରସ୍ମରଣୀୟ ହୋଇ ରହିବେ । ଏମାନଙ୍କୁ ପୂଜ୍ୟପୂଜାର ଅଗ୍ରାଧିକାର ଦେବା ଆଗାମୀ ପୀଢି ପାଇଁ ଏକ ମାର୍ଗଦର୍ଶନ ।
କେବଳ ପୋଷ୍ଟର ମାଧ୍ୟମରେ ଏହି ବରପୁତ୍ରମାନଙ୍କୁ ସ୍ଥାନିତ କରାଯାଇଥିଲେ ମଧ୍ୟ ସେମାନଙ୍କ ପ୍ରତିମର୍ତୀକୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା ଆମର ପରମ କର୍ତବ୍ୟ । ଏହାକୁ ଉପଲବ୍ଧି କରି ନୂତନ ବର୍ଷର ପ୍ରଥମ ଦିନରେ ‘ଆମ ପ୍ରତିଭା ଆମ ସମ୍ମାନ’ ପକ୍ଷରୁ ପ୍ରତିଷ୍ଠାତା ସାଂସଦ ମହେଶ ସାହୁଙ୍କ ଆହ୍ୱାନ କ୍ରମେ ଏହି ବରପୁତ୍ରମାନଙ୍କୁ ସମ୍ମାନ ପୂର୍ବକ ବ୍ୟାପକ ଶ୍ରର୍ଦ୍ଧଞ୍ଜଳି ଜ୍ଞାପନ କରାଯାଇଛି ।
ଅନୁଷ୍ଠାନର ସଭାପତି ପ୍ରିୟରଞ୍ଜନ ମାହୁଁନ୍ତଙ୍କ ନେତୃତ୍ୱରେ ଢେଙ୍କାନାଳ ସହରରେ ଥିବା ସମସ୍ତ ବରପୁତ୍ରଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରାଯାଇଛି । ଅନୁଷ୍ଠାନର ସମସ୍ତ ସଦସ୍ୟମାନେ ଏକ ବିରାଟ ମୋଟରସାଇକେଲ୍ ରାଲିରେ ପ୍ରଥମେ ଗାନ୍ଧିମନ୍ଦିରସ୍ଥିତ ନେହେରୁ ପାର୍କ ଠାରେ ପଣ୍ଡିତ ଜବାହାର ଲାଲ୍ ନେହେରୁ, ବାଜିଚୌକ ଠାରେ ସର୍ବକନିଷ୍ଠ ସହୀଦ ବାଜି ରାଉତ, ସୁପରମାର୍କଟ୍ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ଗୋପବନ୍ଧୁ ଟାଉନ୍ ହଲ୍ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ରଥଗଡାରେ ପ୍ରବାଦପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ମହିଳା କଲେଜ୍ ସମ୍ମୁଖରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ୍ ଓ ସଂଗ୍ରାମୀ ସାରଙ୍ଗଧର ଦାସ, ହୋମ୍ଗାର୍ଡ କାର୍ଯ୍ୟାଳୟ ନିକଟସ୍ଥ ସମର କବି ବ୍ରଜନାଥ ବଡଜେନା, ପୂର୍ତ ବିଭାଗ ଡାକବଙ୍ଗଳା ସମ୍ମୁଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀ, ଦୁର୍ଗାବଜାର ଛକରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଷ୍ଟାଡିୟମ୍ ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ, ଜିଲ୍ଲା କାର୍ଯ୍ୟାଳୟ ଠାରେ ସମ୍ବିଧାନ ପ୍ରଣେତା ଡ. ବି.ଆର୍. ଆମ୍ବେଦକର, ବସ୍ଷ୍ଟାଣ୍ଡ ନିକଟସ୍ଥ ଗାନ୍ଧୀ ପାର୍କରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତୀ ଏବଂ ବସ୍ଷ୍ଟାଣ୍ଡ ଠାରେ ଥିବା ସହୀଦ୍ ସ୍ମୃତି ସ୍ତମ୍ବରେ ମାଲ୍ୟାର୍ପଣ କରାଯାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ରୁଦ୍ରାନ୍ତ ଦଳେଇ ଓ ପ୍ରତାପ ଦାସ, ଅର୍ଜୁନ ସାହୁ, ହିନ୍ଦୋଳର ବିଜେଡି ନେତା ଅଶୋକ ନାୟକ, ପ୍ରଶାନ୍ତ ସାହୁ, ସଚେତନ ନାଗରିକ ଫୋରମ୍ ସମ୍ପାଦକ ଭରତ ଦାସ, ଶ୍ରମିକ ନେତା କୈଳାସ ନାୟକ, ଗଣମାଧ୍ୟମ ପ୍ରତିନିଧି ସଦାଶିବ ମହାପାତ୍ର, ଶ୍ୟାମସୁନ୍ଦର ସାହୁ, ଅମରେଶ ଜେନା, ମହେନ୍ଦ୍ର ସାହୁ, ଶେଖର ସେଠୀ, ନଜୁ ଖାଁ ଓ କୈଳାସ ସାହୁ ପ୍ରମୁଖଙ୍କ ବ୍ୟତୀତ ବହୁ ସଦସ୍ୟ ଯୋଗଦେଇଥିଲେ ।