ଢ଼େଙ୍କାନାଳ : ଭୁବନ ଥାନା ଅନ୍ତର୍ଗତ ନୟା ନୀଳକଣ୍ଠପୁର ରୁ ଗତ ତା ୨୯.୦୯.୨୦୨୨ ରିଖରେ ଭୁବନ ପୋଲିସ ଲୁହା ପାଇପ, ସ୍କ୍ରାପ, ଆଙ୍ଗେଲ ବୋଝେଇ ଏକ ଟ୍ରକ ( ଓଆର ୦୪ଏଫ-୨୦୩୯ ) ଜବତ କରି ଥାନାକୁ ଆଣିଥିଲା ।
ଏହି ଘଟଣାର ପ୍ରାଥମିକ ତଦନ୍ତ ପରେ ଭୁବନ ଥାନାରେ କେଶ ନଂ- ୪୩୦ ତା ୨୨.୧୦.୨୦୨୨ ଦଫା-୧୨୦ ବି , ୩୭୯/ ୪୧୧/ ୪୬୫/୪୨୦/୩୪ ଆଇପିସି ଏବଂ ଧାରା ୧୯୬ ମୋଟର ଭେଇକିଲ ଆକ୍ଟରେ ମାମଲା ରୁଜ୍ଜୁ କରାଯାଇଥିଲା । ଏହି ମାମଲାରେ ସଂପୃକ୍ତ ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ଗ୍ରାମର ପ୍ରକାଶ କୁମାର ସ୍ୱାଇଁ ନାମକ ଜନୈକ ଅପରାଧୀ ପଳାୟନ କରି କୋର୍ଟରେ ଆତ୍ମସମର୍ପଣ କରିଥିଲା ।
ମାମଲାର ତଦନ୍ତରୁ ଜଣାପଡିଥିଲା ଯେ , ଉକ୍ତ ଚୋରା ଲୁହା ସ୍କ୍ରାପ, ଆଙ୍ଗେଲ ଓ ପାଇପ ସବୁ କଳିଙ୍ଗନଗର ଅଞ୍ଚଳରୁ ଚୋରାରେ ଆଣି ନକଲି କାଗଜପତ୍ର ପ୍ରସ୍ତୁତ କରିଥିଲେ । ଯାଜପୁର ଜିଲ୍ଲା କଳିଙ୍ଗନଗର ହେଉଛି ଚୋରା ଲୁହା ସ୍କ୍ରାପ, ଆଙ୍ଗେଲ କବାଡି କାରବାରର ମୁଖ୍ୟ ପେଣ୍ଠସ୍ଥଳୀ । ଭୁବନ ଥାନା ଆଇଆଇସି ସୌଭାଗ୍ୟ କୁମାର ସ୍ୱାଇଁ ଏହି ଚୋରା ଲୁହାଲତା କବାଡି କାରବାରର ମୁଖ୍ୟ ଆସାମୀ କୁ ଧରିବା ପାଇଁ ଦୀର୍ଘ ୩ ମାସ ହେଲା ଜାଲ ବିଛାଇଥିଲେ ।
ଗତକାଲି ଭୁବନ ଥାନା ତରଫରୁ କଳିଙ୍ଗନଗର ଅଞ୍ଚଳରେ ଚଢାଉ କରାଯାଇ ବେଆଇନ ସ୍କ୍ରାପ୍ ବେପାର ର ମୁଖ୍ୟ କାର୍ପଟଦାର କଳିଙ୍ଗନଗର ଥାନା ଅନ୍ତର୍ଗତ ସାରଙ୍ଗପୁର ଗ୍ରାମ ପଞ୍ଚାୟତର ଖୁରୁଣ୍ଟି ଗ୍ରାମର ସୁଦର୍ଶନ ମଲ୍ଲିକ ଙ୍କ ପୁଅ ଦିବ୍ୟକାନ୍ତ ମଲ୍ଲିକ (୨୦) କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତ କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା ଓ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଏହି ଘଟଣାରେ ସଂପୃକ୍ତ ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ସୌଭାଗ୍ୟ କୁମାର ସ୍ୱାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି ।