ଢ଼େଙ୍କାନାଳ : ଭୁବନ ଥାନା ଅନ୍ତର୍ଗତ ନୀଳକଣ୍ଠପୁର ସାଇ ନର୍ସରୀ ରେ ଅଲେଖ ସେନାପତି ଙ୍କୁ ରାତି କେତେଜଣ ଦୁର୍ବୃତ ଧାରୁଆ ଅସ୍ତ୍ରରେ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟାକରି ଫେରାର ହୋଇଯାଇଥିଲେ ।
ଏହି ଘଟଣାକୁ ନେଇ ଅଭିଯୁକ୍ତ ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରିବା ଓ କ୍ଷତିପୂରଣ ଦାବିରେ ସକାଳ ୮ ଘଟିକା ସମୟରେ ଭୁବନ – ଢେଙ୍କାନାଳ ମୁଖ୍ୟ ରାସ୍ତାକୁ ନୀଳକଣ୍ଠପୁର ଛକରେ ଆନ୍ଦୋଳନକାରୀ ମାନେ ପଥର ପକାଇ , ଟାୟାର ଜାଳି ରାସ୍ତାରୋକ କରିଥିଲେ ।
ପ୍ରାପ୍ତ ଖବରରୁ ପ୍ରକାଶ ଯେ , ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଚିତଲପୁର ଗ୍ରାମର ଅକ୍ଷୟ ସେନାପତି ଙ୍କ ପୁଅ ଅଲେଖ ସେନାପତି (୪୨) ଦୀର୍ଘ ୫ ବର୍ଷ ହେଲା ନୀଳକଣ୍ଠପୁର ଛକରେ ଭୁବନ ର ବାଳକୃଷ୍ଣ ସାହୁ ନାମକ ଜନୈକ ପୂର୍ବତନ ସୈନିକ ଙ୍କ ସାଇ ନର୍ସରୀ କୁ ଲିଜ ସୂତ୍ରରେ ନେଇ ଚଳାଉଥିଲେ । ଗତକାଲି ସଂଧ୍ୟା ସାଢେ ୬ ଘଟିକା ସମୟରେ ଶ୍ରମିକ ମାନେ ଘରକୁ ଯିବା ପରେ କେତେକ ଦୁର୍ବୃତ ନର୍ସରୀ ମଧ୍ୟରେ ପଶି ନର୍ସରୀ ମାଲିକ ଅଲେଖ ସେନାପତି ଙ୍କୁ ଧାରୁଆ ଅସ୍ତ୍ରରେ ଅତି ବିଭତ୍ସ ଭାବେ ହତ୍ୟାକରି ଫେରାର ହୋଇଯାଇଥିଲେ । ଘରକୁ ଫେରିବା ବିଳମ୍ବ ହେବାରୁ ଅଲେଖ ଙ୍କ ପତ୍ନୀ ତାଙ୍କ ମୋବାଲକୁ ବାରମ୍ବାର ଫୋନ କରିଥିଲେ ସୁଦ୍ଧା କିଛି ଉତର ମିଳିନଥିଲା । ପରେ ଅଲେଖ ଙ୍କ ପତ୍ନୀ ତାଙ୍କ ଦିଅର ଚକ୍ରଧର କୁ ଫୋନ କରି ତାଙ୍କ ଭାଇ ଏଯାଏଁ ଫେରିନଥିବା ସଂପର୍କରେ ଜଣାଇବାରୁ ଚକ୍ରଧର ମଧ୍ୟ ବାରମ୍ବାର ଫୋନ କରିଥିଲେ । କୌଣସି ଉତର ନମିଳିବାରୁ ଚକ୍ରଧର ନର୍ସରୀ ରେ ପହଁଚି ତାଙ୍କ ଭାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ଚିକିତ୍ସା ନିମନ୍ତେ ସେ ସଙ୍ଗେସଙ୍ଗେ ଭୁବନ ଡାକ୍ତରଖାନାକୁ ଆଣିଥିଲେ କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ଏ ସଂପର୍କରେ ଖବର ପାଇ ଭୁବନ ଥାନା ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲେ । ଅଲେଖ ଙ୍କ ଭାଇ ଚକ୍ରଧର ଙ୍କ ଏତଲା ଆଧାରରେ ଭୁବନ ପୋଲିସ କେଶ ନଂ-୫୧୩/୨୦୨୨ ଦଫା ୩୦୨ ରେ ମାମଲା ରୁଜ୍ଜୁ କରିଛି । ଆଜି ସକାଳେ କାମାକ୍ଷାନଗର ଏସଡିପିଓ ରଂଜନ କୁମାର ଦେ , ଢେଙ୍କାନାଳ ସାଇଣି୍ଟଫିକ ଟିମ୍ , ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଁଚି ତଦନ୍ତ କରିବା ସହ ନମୁନା ସଂଗ୍ରହ କରି ଫେରିଯାଇଥିବା ବେଳେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ପୋଲିସ ମୃତଦେହ ହସ୍ତାନ୍ତର କରିଛି ।
ଅଭିଯୁକ୍ତଙ୍କୁ ଗିରଫ ଓ କ୍ଷତିପୂରଣ ଦାବିରେ ସକାଳ ୮ ଘଟିକା ରୁ ଦିବା ୧୧ ଘଟିକା ପର୍ଯ୍ୟନ୍ତ ନୀଳକଣ୍ଠପୁର ଛକରେ ଭୁବନ-ଢେଙ୍କାନାଳ ରାସ୍ତା ଅବରୋଧ କରାଯାଇଥିଲା । ଖୁବଶୀଘ୍ର ଆସାମୀ ଧରାପଡିବେ ବୋଲି ପ୍ରତିଶୃତି ପରେ ରାସ୍ତାରୋକ ହଟିଥିଲା । ମୃତ ଅଲେଖ ଜଣେ ଅତ୍ୟନ୍ତ ଶାନ୍ତ ସରଳ ଭଦ୍ର ବ୍ୟକ୍ତି ଥିଲେ । ତାଙ୍କର କାହା ସହିତ ଶତୃତା ନଥିଲା । କିଏ , କାହିଁକି ତାଙ୍କୁ ଏଭଳି ହତ୍ୟା କଲା ବୋଲି ଭୁବନ ଅଂଚଳରେ ଚର୍ଚ୍ଚା ଓ ଆଲୋଚନା ହେଉଛି ।