୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜ ପ୍ରତିଯୋଗିତା ଉଦ୍‌ଯାପିତ !


ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ତୀରନ୍ଦାଜ ସଂଘ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ତୀରନ୍ଦାଜ ସଂଘ ମିଳିତ ଆନୁକୂଲ୍ୟରେ ୯ ଡିସେମ୍ବର ୨୦୨୨ରିଖ ଠାରୁ ଆରମ୍ଭ ହୋଇଥିବା ୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜ ପ୍ରତିଯୋଗିତା ଅପରାହ୍ନ ୫ ଘଟିକା ସମୟରେ ଉଦ୍‌ଯାପିତ ହୋଇଯାଇଛି ।

୩ଦିନ ଧରି ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଓଡିଶା ସରକାରଙ୍କ ଇସ୍ପାତ, ଖଣି ଓ ପୂର୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଭାଷଣ ପ୍ରସଙ୍ଗରେ ପ୍ରାଚୀନ ଭାରତୀୟ କାବ୍ୟ ରାମାୟଣ, ମହାଭାରତରେ ଯୁଦ୍ଧ ବିଦ୍ୟା କ୍ଷେତ୍ରରେ ଧର୍ନୁତୀର ବ୍ୟବହାରକୁ ପ୍ରାଧାନ୍ୟ ଦିଆଯାଉଥିବା ପ୍ରକାଶ କରିଥିଲେ । ଗୁରୁଶିଷ୍ୟ ମହାନ୍ ପରମ୍ପରାକୁ ବଜାୟ ରଖି ଆଦିବାସୀ ତୀରନ୍ଦାଜମାନେ ନିଷ୍ଠାର ସହ ଅଭ୍ୟାସ ଜାରି ରଖିବା ସହ ସଫଳତାର ପଥରେ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ ।

ଢେଙ୍କା ଶବର ରାଜାଙ୍କ ନାମରେ ନାମିତ ଢେଙ୍କାନାଳରେ ଏହି ପ୍ରତିଯୋଗିତା ଆୟୋଜନର ପ୍ରାସଙ୍ଗିକତା ରହିଛି ବୋଲି ପ୍ରକାଶ କରିବା ସହ କର୍ମକର୍ତାମାନଙ୍କୁ ସଫଳ ଆୟୋଜନ ନିମନ୍ତେ ଶୁବେଚ୍ଛା ଜଣାଇଥିଲେ ।

ସମ୍ମାନିତ ଅତିଥି ଭାବେ ପର୍ଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ସେଂଟ୍ ଜାଭିୟର୍ସ ହାଇସ୍କୁଲ୍‌ର ଅଧ୍ୟକ୍ଷ ପ୍ରତାପ ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରି କଠୋର ଅଧ୍ୟବସାୟ, ନିରନ୍ତର ସାଧନା ଓ ଦୃଢ ମନୋବଳ କ୍ରୀଡାବିତ୍‌ଙ୍କୁ ସଫଳତାର ଶୀର୍ଷରେ ପହଂଚାଇଥାଏ । ପ୍ରତିଯୋଗୀମାନେ ଖେଳୁଆଡ ମନୋବୃତି ରଖି ଅଭ୍ୟାସ ଜାରି ରଖିବା ସହ ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିବାକୁ ପରାମର୍ଶ ଦେଇଥିଲେ । ଚମ୍ପିଆନ୍‌ସିପ୍ ଆୟୋଜକ କମିଟିର ଉପାଧ୍ୟକ୍ଷ ତଥା ଜିଲ୍ଲା ତୀରନ୍ଦାଜ ସଂଘର ଉପସଭାପତି ରୋଟାରିଆନ୍ ରାଜକିଶୋର ବେହେରା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ଆଦିବାସୀ ଆବାସିକ ବିଦ୍ୟାଳୟମାନଙ୍କରେ ସ୍ୱତନ୍ତ୍ର ଭାବେ ଧର୍ନୁବିଦ୍ୟା ତାଲିମ୍ ପ୍ରଦାନ କରାଗଲେ, ଢେଙ୍କାନାଳର ତୀର ଚାଳକମାନେ ଅଲମ୍ପିକ୍ ପଦକ ହାସଲ କରିବାକୁ ସକ୍ଷମ ହେବେ ବୋଲି ଆଶା ପ୍ରକାଶ କରିଥିଲେ ।

ଢେଙ୍କା ଶବରଙ୍କ ସ୍ଥାୟୀ ପ୍ରତିମୂର୍ତୀ ସ୍ଥାପନ ନିମନ୍ତେ ସେ ଜିଲ୍ଲା ପ୍ରଶାସନ ତତା ଅତିଥିମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାଜ୍ୟ ତୀରନ୍ଦାଜ ସଂଘର ସମ୍ପାଦକ ସଂପୂର୍ଣ୍ଣାନନ୍ଦ ଦାସ ବିବରଣୀ ପାଠ କରିଥିଲେ ଓ ରାଜ୍ୟ ଉପ-ସଭାପତି ସରୋଜ କୁମାର ସିଂହ ସ୍ୱାଗତ ଭାଷଣ ଦେଇଥିଲେ । ଜିଲ୍ଲା ତୀରନ୍ଦାଜ ସଂଘ ସଂପାଦକ ଅମୀୟ କୁମାର ଚାନ୍ଦ ଅତିଥି ଓ ରାଜ୍ୟ ସଂଘ କର୍ମକର୍ତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ରାଜ୍ୟ ସଂଘ ଓ ଜିଲ୍ଲା ତୀରନ୍ଦାଜ ସଂଘର ପତାକା ଅବନମିତ କରାଯାଇଥିଲା ।

ଅତିଥିମାନେ ଏ ଅବସରରେ ପ୍ରକାଶିତ ସ୍ମରଣିକା ଉନ୍ମୋଚନ କରିଥିଲେ । ସଂଘର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.

18 − four =