ନଗରପାଳିକାଙ୍କୁ ଗୁଳିମାଡ ଘଟଣା : ପରାଜୟ ଗ୍ଲାନିରେ ବିଧାୟକଙ୍କ ମସ୍ତିଷ୍କ ଭ୍ରମ-କୃଷ୍ଣ ପାତ୍ର !

ଢେଙ୍କାନାଳ: ଶାନ୍ତ ଢେଙ୍କାନାଳ ସହରରେ ଏବେ ଅଶାନ୍ତର ବାତାବରଣ ଖେଳାଇ ଦେଇଛନ୍ତି ବିଧାୟକ ସୁଧୀର ସାମଲ ବୋଲି ଭାଜପା ପକ୍ଷରୁ ଆୟୋଜିତ ଏକ ପ୍ରେସମିଟରେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ପରାଜୟ ଗ୍ଲାନିରେ ବିଧାୟକଙ୍କ ମସ୍ତିଷ୍କ ବିକୁୃତ ହୋଇପଡିଥିବା ବେଳେ ବିଧାୟକ ଠିକାଦାର ମାନଙ୍କ ଦ୍ୱାରା ଏବେ ସହରରେ ଅଶାନ୍ତ ସୃଷ୍ଟି କରିବାକୁ ଆରମ୍ଭ କରିଦେଇଛନ୍ତି । ନବ ନିର୍ବାଚିତ ନଗରପାଳ ଜୟନ୍ତୀ ପାତ୍ରଙ୍କ ଘର ଆଗରେ ହୋଇଥିବା ଫାଙ୍କା ଗୁଳିଚାଳନା ଘଟଣା ସହରବାସୀଙ୍କ ମନରେ ତୀବ୍ର ଆଲୋଡନ ସୃଷ୍ଟି କରିଛି । ୩ ଦିନ ପରେ ହଠାତ୍ ବିଧାୟକ ସୁଧୀର କୁମାର ସାମଲ ଗତକାଲି ନିରୁପମା ହୋଟେଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଫାଙ୍କା ଗୁଳିଚାଳନା କରିଥିବା ଅଭିଯୁକ୍ତମାନେ ଶାସକ ଦଳର ନୁହଁନ୍ତି ବୋଲି କହିବା ସହିତ ସେମାନଙ୍କର ବ୍ୟବସାୟିକ ଶତୃତାରୁ ଏଭଳି ଘଟିଛି ବୋଲି ମତଦେଇଥିଲେ ।

ବିଜେଡି ଦଳ ଗୁଣ୍ଡାମୀକୁ ପ୍ରଶ୍ରୟ ଦିଏ ନାହିଁ ଏବଂ ଆମେ ରାଜନୈତିକ ବ୍ୟକ୍ତି ହୋଇଥିବାରୁ ଆମ ପାଖକୁ କିଏ କେତେବେଳେ ଆସି ଫଟୋଟି ଉଠାଇବ ସେଥିପାଇଁ ଆମେ ଦାୟୀ ରହିପାରିବୁ ନାହିଁ ବୋଲି ସ୍ପଷ୍ଟିକରଣ ଦେଇଥିଲେ ।ଏହାକୁ ନେଇ ଭାଜପା ପକ୍ଷରୁ ବିଧାୟକ ସହରବାସୀଙ୍କୁ ଭ୍ରମାତ୍ମକ ମତ ଦେଇଥିବା ଯୋଗୁ ଦୃଢ ନିନ୍ଦା କରିବା ସହ ବ୍ୟବସାୟୀକ ଶତୃତାକୁ ଖଣ୍ଡନ କରିଥିଲେ ।

ଏପରିକି ବିଧାୟକ ସୁଧୀରଙ୍କ ପରିବାର ଓ ବିଧାୟକ ନିଜେ ଠିକା କାର୍ଯ୍ୟରେ ସମ୍ପୃକ୍ତ ରୁହନ୍ତି ବୋଲି ଶ୍ରୀ ପାତ୍ର ସୂଚନା ଦେବା ସହିତ ବିଭିନ୍ନ କମ୍ପାନୀରୁ ପାଉଁଶ ଆଣି ଶଙ୍କରପୁର ପାଖରେ ଡିପୋ କରି ତାକୁ ଚଢା ଦରରେ ବିକିବା କିଏ କରୁଛି ବୋଲି ପ୍ରଶ୍ନ କରିଥିଲେ । ଗୁଳିମାଡ ଘଟଣାରେ ସମ୍ପୃକ୍ତ ଠିକାଦାର ମାନେ ବିଧାୟକ ଶ୍ରୀ ସାମଲଙ୍କ ଘନିଷ୍ଠ ସହଯୋଗୀ ଓ ତାଙ୍କ ଠାରୁ ବିଧାୟକ ପିସି ଆଦାୟ କରନ୍ତି ବୋଲି ଗଣମାଧ୍ୟମରେ ସ୍ପଷ୍ଟିକରଣ ଦେଇଥିଲେ ।

ବିଧାୟକଙ୍କ ଭଣଜା ମାନେ ପୌର କାର୍ଯ୍ୟାଳୟରେ କରୁଥିବା ଦୁର୍ନୀତିର କାର୍ଯ୍ୟ ସମ୍ପର୍କରେ ଏବେ ପର୍ଦ୍ଦାଫାସ ହେବା ଭୟରେ ବିଧାୟକ ସହରବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ।ଏବେ ସହରବାସୀ ବିଧାୟକଙ୍କ କାରନାମା ସମ୍ପର୍କରେ ଅବଗତ ହୋଇ ସାରିଲେଣି । ବାକି ରହିଲା ନିର୍ବାଚନ ଦିନର ଗଣ୍ଡଗୋଳ କଥା । ନିର୍ବାଚନ ଦିନ ଭାଜପା କର୍ମୀମାନେ ଟାଉନ ଥାନାରେ ଗଣ୍ଡଗୋଳ କରିଥିବା କଥା ବିଧାୟକ କହୁଥିବା ବେଳେ ୧୫ ନଂ.ୱାର୍ଡରେ ନିର୍ବାଚନ ସମୟରେ ନିଜ ଦଳର ପ୍ରାର୍ଥୀ ,ଭଣଜା ଓ ସମର୍ଥକ ମାନେ ବୁଥ ଜବର ଦଖଲ କରିବାକୁ ଉଦ୍ୟମ କରୁଥିବା ବେଳେ ଭାଜପା କର୍ମୀ ଏହାକୁ ପ୍ରତିବାଦ କରିବାରୁ ବିଜେଡି ଦଳର କର୍ମୀମାନେ ଭାଜପା କର୍ମୀ ଓ ମୋ ପୁତୁରାକୁ ମାରି ଲହୁଲୁହାଣ କରିଥିଲେ ।

ଏବେ ବିଧାୟକ ନିଜର ଗାରିମାକୁ ବଜାୟ ରଖିବା ପାଇଁ ଏଭଳି ମିଥ୍ୟାର ପରିକଳ୍ପନା କରିଛନ୍ତି ବୋଲି ଶ୍ରୀ ପାତ୍ର ଗଣମାଧ୍ୟମରେ ସୂଚନା ଦେଇଥିଲେ । ଭାଜପା ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଶ୍ରୀ ପାତ୍ରଙ୍କ ସହିତ ଜିଲ୍ଲା ଉପସଭାପତି ନବକିଶୋର ଗୁରୁ, ଜିଲ୍ଲା ସାଧାରଣ ସମ୍ପାଦକ ମାତୃପ୍ରସାଦ ନନ୍ଦ, ଜିଲ୍ଲା ନଗରମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁ, ୧୫ ନଂ.ୱାର୍ଡ କାଉନସିଲର ନିରୋଦ କୁମାର ସାହୁ, ୯ ନଂ.ୱାର୍ଡ କାଉନସିଲର ସୂର୍ଯ୍ୟପ୍ରତାପ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ କୁମାର ରାଉତ, ରୁଦ୍ର ନାରାୟଣ ତ୍ରିପାଠୀ ,ପ୍ରତାପ କୁମାର ସାହୁ, ବିନୋଦ କୁମାର ମହାନ୍ତ ପ୍ରମୁଖଙ୍କ ସହିତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × 3 =