ଢେଙ୍କାନାଳ : ସଦର ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ସପ୍ତଶଯ୍ୟା ଠାରେ ଢେଙ୍କାନାଳ ସଦର ବ୍ଲକ୍ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଅଛି ।
ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ “”ଜ୍ଞାନ ହିଁ ଶକ୍ତି ଅଟେ । ତେଣୁ ବିଦ୍ୟାର୍ଥୀମାନେ ଅନିସନ୍ଧିତ୍ସୁ ଓ ଜିଜ୍ଞାସୁ ମନୋଭାବ ସଂପନ୍ନ ହୋଇ ଜ୍ଞାନ ହାସଲ କରନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ” ଶିକ୍ଷକଶକ୍ଷୟିତ୍ରୀମାନେ ପିଲାଙ୍କର ସମସ୍ତ ସନ୍ଦେହ ମୋଚନ କରି ସେମାନଙ୍କର ସତ୍ୟ ଉନ୍ମୋଚନରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ ।
ସଦର ବିଡିଓ ସୁଧିର କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିଲାମାନେ ବିଜ୍ଞାନ ମନସ୍କ ହୋଇ ଏକ ଅନ୍ଧବିଶ୍ୱାସ ଓ କୁସଂସ୍କାରମୁକ୍ତ ସୁସ୍ଥ ସମାଜ ଗଠନ କରିବାକୁ ମତପୋଷଣ କରିଥିଲେ । ସଦର ବି.ଇ.ଓ. ବ୍ରହ୍ମାନନ୍ଦ ରାଉତ ଅଧ୍ୟକ୍ଷତା କରି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆମର ଜୀବନକୁ ସୁରକ୍ଷିତ ଓ ଦୀର୍ଘଜୀବି କରିଛି ।
କୁନି ବୈଜ୍ଞାନିକମାନେ ଏହି ଜ୍ଞାନକୁ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରକୁ ସଂପ୍ରସାରିତ କରି ଏକ ପ୍ରଗତିଶୀଳ ସମାଜ ଗଠନ ପାଇଁ ପ୍ରୟାସ କରନ୍ତୁ ବୋଲି ଆଲୋକପାତ କରିଥିଲେ । ଶିକ୍ଷକ ସୁବ୍ରତ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରଧାନଶିକ୍ଷକ ବନବିହାରୀ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ନସିମା ଆରା ବେଗମ୍ ବିଦ୍ୟାଳୟର ସମସ୍ୟା ସଂପର୍କରେ ଅତିଥିମାନଙ୍କୁ ଅବଗତ କରାଇଥିଲେ । ତତ୍ପରେ ଜିଲ୍ଲାପାଳ ବିଜ୍ଞାନମେଳାକୁ ଉଦ୍ଘାଟନ କରି ବିଜ୍ଞାନ ପ୍ରକଳ୍ପଗୁଡିକୁ ବୁଲି ଦେଖିଥିଲେ ଓ କୁନି ବୈଜ୍ଞାନିକଙ୍କୁ ପ୍ରକଳ୍ପର ଯଥାର୍ଥତା ସଂପର୍କରେ ପଚାରି ବୁଝିଥିଲେ ।
ମେଳାରେ ୯୧ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏଥିମଧ୍ୟରୁ ମାଧ୍ୟମିକ ସ୍ତରରୁ ଭୋଳେଶ୍ୱର ଧଳ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ତାପସ ମହାପାତ୍ର, ବିବି ହାଇସ୍କୁଲ୍ର ଛାତ୍ର ଦୁର୍ଗା ପ୍ରସାଦ ମିଶ୍ର ଓ ପ୍ରାଥମିକ ସ୍ତରରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ସପ୍ତଶଯ୍ୟା ର ଛାତ୍ରୀ ସୁହାନୀ ନାୟକ, ସୌଦାମିନି ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଅମ୍ଲାନ୍ ଧଳସାମନ୍ତ ଓ ସରକାରୀ ଉ.ପ୍ରା. ବିଦ୍ୟାଳୟ, ସିଆରିଆର ଛାତ୍ର ରୁଦ୍ରନାରାୟଣ ବେହେରାଙ୍କ ଦ୍ୱାରା ନିର୍ମିତ ପ୍ରକଳ୍ପଗୁଡିକ ଶ୍ରେଷ୍ଠ ବିବେଚିତ ହୋଇ ଜିଲ୍ଲାସ୍ତରୀୟ ବିଜ୍ଞାନମେଳାକୁ ମନୋନିତ ହୋଇଛନ୍ତି ।
ଅପରାହ୍ନରେ ବି.ଇ.ଓ ଶ୍ରୀ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସଦର ବ୍ଲକ୍ ଅଧ୍ୟକ୍ଷା ରାଜଶ୍ରୀ ନାୟକ ମୁଖ୍ୟ ଅତିଥି, ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ବିଭାଗୀୟ ମୁଖ୍ୟ ଅନିରୁଦ୍ଧ କୁମାର ଖିଲାର ମୁଖ୍ୟବକ୍ତା ଓ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ମାନସ ଚନ୍ଦ୍ର ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ ବିତରଣ କରିଥିଲେ ।
ବିଜ୍ଞାନ ମେଳାକୁ ଅଧିକ ସରସସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ବିଜ୍ଞାନ କୁଇଜ୍ ଆୟୋଜନ କରାଯାଇଥିଲା । ସଠିକ୍ ଉତରଦାତାଙ୍କୁ ଅତିଥିମାନେ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁକାନ୍ତ କୁମାର ମାଝି ଓ ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ କୁମାର ମଲ୍ଲିକ ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପଗୁଡିକର ମୂଲ୍ୟାୟନ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଶିକ୍ଷକ ରଜନୀକାନ୍ତ ସାହୁ ଓ ପ୍ରଦ୍ୟୁମ୍ନ ଦାସ ମଂଚ ସଂଚାଳନ କରିଥିଲେ । ଶେଷରେ ଏ.ବି.ଇ.ଓ ଦେବବ୍ରତ ନାଥ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସଦର ବ୍ଲକ୍ର ସମସ୍ତ ସି.ଆର୍.ସି.ସି., ବିଦ୍ୟାଳୟର ସମସ୍ତ କର୍ମଚାରୀ, ଶିକ୍ଷକ ଦେବେନ୍ଦ୍ର ସେଠୀ, ସନ୍ତୋଷ ପଟ୍ଟନାୟକ, ପ୍ରଶାନ୍ତ ପଣ୍ଡା, ଜିତେନ୍ଦ୍ର ସାହୁ କାଳନ୍ଦୀ ଦେବତା, ବିକାଶ ଜେନା, ବିଷ୍ଣୁ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ ।