ଢେଙ୍କାନାଳ ଜିଲ୍ଲା ଶିଳ୍ପାନୁଷ୍ଠାନ ରେ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳୁନି :ଟାଉନ୍ ମହିଳା କଂଗ୍ରେସ ସଭାନେତ୍ରୀ ଶିଳ୍ପୀଶ୍ରୀ ହରିଚନ୍ଦନ !

ଢେଙ୍କାନାଳ : ଜିଲ୍ଲାରେ ବେକାରୀ ସମସ୍ୟା ଉତ୍କଟ, ସ୍ଥାନୀୟ ଶିଳ୍ପରେ ସ୍ଥାନୀୟ ବେକାର ଯୁବକ/ଯୁବତୀଙ୍କୁ ନିଯୁକ୍ତି ବୋଲି ବିଶିଷ୍ଟ ସାମାଜିକ କର୍ମୀ ତଥା ଢେଙ୍କାନାଳ ଟାଉନ୍ ମହିଳା କଂଗ୍ରେସ ସଭାନେତ୍ରୀ ଶିଳ୍ପୀଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି ।

ଶିଳ୍ପିଶ୍ରୀ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ ଢେଙ୍କାନାଳବାସୀ ଧୂଳି, ଧୂଆଁ ଖାଉଛନ୍ତି । ଏଠିକାର ପରିବେଶ ନଷ୍ଟ ହେଉଛି ଏବଂ ଅସ୍ୱାସ୍ଥ୍ୟକର ହେଉଛି । ଲୋକେ ରୋଗାଗ୍ରସ୍ତ ହେଉଛନ୍ତି । ଶିଳ୍ପପତି ବା ଶିଳ୍ପାନୁଷ୍ଠାନ ଲାଭବାନ ହେଉଛି । ଢେଙ୍କାନାଳ ଜିଲ୍ଲାବାସୀଙ୍କର କିଛି ଫାଇଦା ହେଉନି ।

ଏଠାରେ ଟାଟା ଷ୍ଟିଲ୍‌, ଇଣ୍ଡିଆନ୍ ପୋଟାସ୍‌, ରିମ୍‌ଝିମ୍ (ବି.ଆର୍‌.ଜି.), ଜି.ଏମ୍‌.ଆର୍‌., ନବଭାରତ, ଏମ୍‌.ଜି.ଏମ୍‌., ରୁଙ୍ଗ୍‌ଟାମାଇନ୍‌ସ୍‌, ଉତ୍କଳ ଆଜବେଷ୍ଟସ୍‌, ନର୍ଭେରାମ୍ ପ୍ରଭୃତିରେ ସ୍ଥାନୀୟ ନିଯୁକ୍ତି ଅତି ନଗଣ୍ୟ । ମହିଳାମାନଙ୍କର ନିଯୁକ୍ତି ଆଦୌ ନାହିଁ । ଏହି ଶିଳ୍ପ ସଂସ୍ଥା ସହ ଶାସକ ଦଳର ଜନ ପ୍ରତିନିଧିମାନେ ମୁଣ୍ଡବିକିଛନ୍ତି । ସେମାନଙ୍କ ସହ ହାତ ମିଳାଇ ନିଜର ସ୍ୱାର୍ଥ ସାଧନ କରୁଛନ୍ତି ।

ମାତ୍ର ଢେଙ୍କାନାଳ ଜିଲ୍ଲାର ସ୍ୱାର୍ଥ ଉପେକ୍ଷିତ ହେଉଛି । ଦୁଇ ଶାସକ ଦଳର ପ୍ରତିନିଧିମାନେ ଏଠିକାର ବେକାର ଯୁବକ ଯୁବତୀମାନଙ୍କର ସ୍ୱାର୍ଥପ୍ରତି ଦୃଷ୍ଟି ନଦେଇ ଶିଳ୍ପ ସଂସ୍ଥାର ମାଲିକମାନଙ୍କ ସ୍ୱାର୍ଥ ଓ ଲାଭକୁ ସୁରକ୍ଷା ଦେଉଛନ୍ତି । ଢେଙ୍କାନାଳର ସମ୍ବଳ ଲୁଣ୍ଠିତ ହେଉଛି । ଏହାର ବିନିଯୋଗର ଯେଉଁ ଲାଭ ହେଉଛି, ସେଥିରେ ଏ ଜିଲ୍ଲାବାସୀଙ୍କର ଅଂଶୀଦାର ହେବାର ହକ୍ ରହିଛି ।

୯୦ ପ୍ରତିଶତ ନିଯୁକ୍ତି ସ୍ଥାନୀୟ ଲୋକଙ୍କୁ ଦେବା ଉଚିତ୍ । ମାତ୍ର ଢେଙ୍କାନାଳବାସୀ ଭୂଆଁ ବୁଲୁଛନ୍ତି । ବେକାର ଯୁବକଯୁବତୀ କର୍ମ ସଂସ୍ଥାନ ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି । ଉତ୍କଟ ବେକାରୀ ପ୍ରସଙ୍ଗରେ ଆଗାମୀ ଦିନରେ ମହିଳା କଂଗ୍ରେସ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ବୋଲି ଢେଙ୍କାନାଳ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସ୍ମିତାରାଣୀ ସାମଲ କହିଛନ୍ତି ।

Leave A Reply

Your email address will not be published.

4 + 12 =