ଭିଣୋଇ ଏବଂ ଶଳା ଭାଉଜଙ୍କ ମଧ୍ୟରେ ପରକୀୟା ସମ୍ପର୍କ ପ୍ରଘଟ ନେଇ ଗୁଳିମାଡ : ତିନ ଅଭିଯୁକ୍ତ ଗିରଫ !

ଢ଼େଙ୍କାନାଳ : କଣ୍ଟାବଣିଆ ଥାନା ଅନ୍ତର୍ଗତ ଟାଟାଷ୍ଟିଲ୍‌ ମେରାମଣ୍ଡଳୀ କମ୍ପାନୀ ନିକଟ ତାଳବାହାଳିଗ୍ରାମ ରାସ୍ତା ପାର୍ଶ୍ୱରେ କ୍ରେନ ଅପରେଟର ରବି କୁମାରଙ୍କୁ ଗୁଳିମାଡ଼ ହୋଇଥିଲା। ଏହି ଘଟଣାର ରହସ୍ୟ ଖୋଲିଛି ପୋଲିସ।

ସୂଚନା ମୁତାବକ ଭିଣୋଇ ଏବଂ ଶଳା ଭାଉଜଙ୍କ ମଧ୍ୟରେ ଗଢ଼ିଉଠିଥିବା ପରକୀୟା ସମ୍ପର୍କ ପ୍ରଘଟ ହୋଇଯିବା ପରେ
ରବିଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରାଯାଇଥିଲା। କମ୍ପାନୀରୁ ଘରକୁ ଫେରିବା ବାଟରେ ଭିଣୋଇ ରାହୁଲ କୁମାର (୩୭) ତାଙ୍କୁ ଗୁଳିମାଡ଼ କରିଥିଲେ। ଏହିଘଟଣାର
ତଦନ୍ତ କରି ମୋଟଙ୍ଗା ଓ କଣ୍ଟାବଣିଆ ଥାନା ପୋଲିସ ରବିଙ୍କ ସ୍ତ୍ରୀ ଶ୍ବେତା ଦେବୀ (୨୭), ଭିଣୋଇ ରାହୁଲ ଏବଂ ତାଙ୍କ ସହଯୋଗୀ ଗୌତମ କୁମାର (୩୦)ଙ୍କୁ ପୋଲିସ ଗିରଫ କରିଛି। ଅପରାହ୍ନରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଲୋଗାନୟାଗୀ ଦିବ୍ୟା ଭି. ଏ
ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି। ଏଭଳି ଏକ ଗୁଳିକାଣ୍ଡ ପଛର କାରଣ ଜାଣିବାକୁ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଫୋନ୍‌କଲ୍‌ ଟ୍ରାକିଂ ରୁ ସୁରାକ ମିଳିଥିଲା। ଏହାକୁ ଆଧାର କରି ପୋଲିସ ରବିକୁମାର ଚିକିତ୍ସିତ ହେଉଥିବା କଟକ ସ୍ଥିତ ଘରୋଇ ଚିକିତ୍ସାଳୟରୁ ରାହୁଲଙ୍କୁ ,ଶ୍ବେତାଙ୍କୁ ବିହାରରୁ ଏବଂ ଗୌତମଙ୍କୁ ତଳବାହାଳି ଅଞ୍ଚଳରୁ ଗିରଫ କରାଯାଇଥିଲା।

ଏସ୍‌ପିଙ୍କ ନିର୍ଦ୍ଦେଶରେ ଏବଂ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ତତ୍ତ୍ୱାବଧାନରେ ହୋଇଥିବା ଚଢ଼ାଉରେ କଣ୍ଟାବଣିଆ ଥାନାଧିକାରୀ ସବିତା ପାତ୍ର, ଏସଆଇ୍‌ ସସ୍ମିତା ପାଲ, ମୋଟଙ୍ଗା ଥାନାଧିକାରୀ ନିରଞ୍ଜନ ସେଠୀ ପ୍ରମୁଖ ସାମିଲ ହୋଇଥିଲେ। ଗୁଳିକାଣ୍ଡରେ ବ୍ୟବହୃତ ଗୁଳି ଜବତ କରାଯାଇଛି। ଖୁବ୍‌ଶୀଘ୍ର ବନ୍ଧୁକ ଜବତ କରାଯିବ ବୋଲି ଏସ୍‌ପି କହିଛନ୍ତି । ଅନ୍ୟପଟେ ରବିକୁମାର ଆଇସିୟୁରେ କୋମାରେ ଅଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

four × one =