ବିଧାୟକ ସୁଧୀର କୁମାର ସାମଲଙ୍କ ସାମ୍ବାଦିକ ସମ୍ମିଳନୀ : ନଗରପାଳିକାଙ୍କୁ ଗୁଳିମାଡ ଘଟଣା ରାଜନୈତିକ ନୁହେଁ, ବ୍ୟବସାୟୀକ ତିକ୍ତତା !

ଢେଙ୍କାନାଳ : ଶାନ୍ତ ଢେଙ୍କାନାଳ ସହରରେ ନବ ନିର୍ବାଚିତ ନଗରପାଳ ଜୟନ୍ତୀ ପାତ୍ରଙ୍କ ଘର ଆଗରେ ହୋଇଥିବା ଫାଙ୍କା ଗୁଳିଚାଳନା ଘଟଣା ସହରବାସୀଙ୍କ ମନରେ ତୀବ୍ର ଆଲୋଡନ ସୃଷ୍ଟି କରିଛି ।

ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ତୁରନ୍ତ ଅଭିଯୁକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରିବା ପାଇଁ ଦାବୀ କରିବା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଚେତାବନୀ ଦିଆଯାଇଥିଲା । ତେବେ ପୋଲିସ ପକ୍ଷରୁ ହଠାତ୍ ତତ୍ପରତା ପ୍ରକାଶ ପାଇ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରଖିଛି ।

୩ ଦିନ ପରେ ହଠାତ୍ ବିଧାୟକ ସୁଧୀର କୁମାର ସାମଲ ନିରୁପମା ହୋଟେଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଫାଙ୍କା ଗୁଳିଚାଳନା କରିଥିବା ଅଭିଯୁକ୍ତମାନେ ଶାସକ ଦଳର ନୁହଁନ୍ତି ବୋଲି କହିବା ସହିତ ସେମାନଙ୍କର ବ୍ୟବସାୟିକ (ବାଲି, ପଥର, ଗୋଡି) ଦୃଷ୍ଟିକୋଣରୁ ଏହା ହୋଇଛି ବୋଲି ସ୍ପଷ୍ଟିକରଣ ଦେଇଥିଲେ ।

ଅନ୍ୟପଟେ ବିଜେଡି ଦଳର ପଞ୍ଚାୟତ ନିର୍ବାଚନରେ ବିପୁଳ ସଫଳତା ବିଜେପି ଦଳକୁ ଇର୍ଷାନ୍ୱିତ କରାଇଛି ବୋଲି କହିବା ସହିତ ୨୪ ତାରିଖ ନିର୍ବାଚନ ଦିନ ତାଙ୍କ ଦଳ ତରଫରୁ ୭୦ /୮୦ ଜଣ ଲୋକ ଥାନା ଭିତରେ ଗଣ୍ଡଗୋଳ କରିଥିବାର ସୂଚନା ଦେଇଥିଲେ । ଯାହାକି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ।

ବିଜେଡି ଦଳ ଗୁଣ୍ଡାମୀକୁ ପ୍ରଶ୍ରୟ ଦିଏନାହିଁ ବୋଲି କହିବା ସହିତ ଆମେ ରାଜନୈତିକ ବ୍ୟକ୍ତି ହୋଇଥିବାରୁ ଆମ ପାଖକୁ କିଏ କେତେବେଳେ ଆସି ଫଟୋଟି ଉଠାଇବ ସେଥିପାଇଁ ଆମେ ଦାୟୀ ରହିପାରିବୁ ନାହିଁ ବୋଲି ସ୍ପଷ୍ଟିକରଣ ଦେଇଥିଲେ । ଏହି ଅବସରରେ ୨୦୧୯ ସାଧାରଣ ନିର୍ବାଚନ ଓ ବର୍ତମାନର ନିର୍ବାଚନରେ ସହରର ବିଭିନ୍ନ ୱାର୍ଡରେ ବିଜେଡି ଦଳ ଅଧିକା ଭୋଟ ପାଇଥିବାରୁ ବିଜେପି ଦଳ ତରଫରୁ ଅସହିଷ୍ଣୁତା ପ୍ରକାଶ କରି ଏହିଭଳି ମିଥ୍ୟା ନାଟକ କରୁଛନ୍ତି ବୋଲି କହିଥିଲେ । ମିଥ୍ୟା ନାଟକ କରିବାରେ ବିଜେପି ଦଳ ମାହିର ବୋଲି କହିବା ସହିତ ଢେଙ୍କାନାଳ ଜନସାଧାରଣ ସେଥିପାଇଁ ତାଙ୍କ ଦଳର ପ୍ରାର୍ଥୀଙ୍କୁ ଚାରି ଥର ପରାସ୍ତ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ ।

ତେବେ ଯିଏବି ଦୋଷ କରିଥାଉନା କାହିଁକି ଆଇନ ତା ବାଟରେ କାର୍ଯ୍ୟ କରିବ ବୋଲି ବିଧାୟକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟିକରଣ ରଖିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ସାମଲଙ୍କ ବ୍ୟତିତ ନଗର ବିଜେଡି ସଭାପତି ତଥା ପୂର୍ବତନ ନଗରପାଳ ଇନ୍ଦ୍ରମଣି ବେହେରା, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସାଗରିକା ମିଶ୍ର, ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର,ନଗରପାଳ ପ୍ରାର୍ଥୀନୀ ଅନିମା ନାୟକଙ୍କ ସ୍ୱାମୀ ତଥା ପୂର୍ବତନ ନଗରପାଳ ନବୀନ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

two × four =