ପ୍ରଶାସନ ଦ୍ୱାରା ଅନୁଷ୍ଠିତ ହୋଇଥିବା ଓଡିଶା ଦିବସ କାର୍ଯ୍ୟକ୍ରମ କୁ ନେଇ ଅସନ୍ତୋଷ !

ଢେଙ୍କାନାଳ:କରୋନା ମହାମାରୀ କଟକଣା ହେତୁ ବିଗତ ଦୁଇ ବର୍ଷ ହେଲା ରାଜ୍ୟ ତଥା ଜିଲ୍ଲାରେ କୌଣସି ଉତ୍ସବ,ସାଂସ୍କୃତିକ କାର୍ଯ୍ୟକ୍ରମ ଏପରିକି ଉତ୍କଳ ଦିବସ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବା ସମ୍ଭବ ହୋଇପାରୁନଥିଲା ।

ମାତ୍ର ଚଳିତ ବର୍ଷ କରୋନା ସଙ୍କଟ ଟଳିଥିବାରୁ ଏହି ଉତ୍କଳ ଦିବସ କାର୍ଯ୍ୟକ୍ରମ ସାରା ରାଜ୍ୟରେ ମହାସମାରୋହରେ ସମସ୍ତ ବର୍ଗର ଲୋକମାନଙ୍କ ସହଯୋଗରେ ପାଳିତ ହେଉଥିବା ବେଳେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ କିନ୍ତୁ ଏ ସବୁକୁ ବାଦ ଦେଇ ନିଜକୁ ନିଜେ ଉତ୍କଳ ଦିବସ ପାଳନ କରିଥିଲା ।

ଅତୀତରେ ଏହି ଦିବସ ପାଳନ କରିବା ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବର୍ଗର ନାଗରିକ, ସାମ୍ବାଦିକ, କଳାକାର ଓ ବୁଦ୍ଧିଜୀବି ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ କରାଯାଉଥିଲା । ଏହି ବୈଠକରେ ହେଉଥିବା ନିଷ୍ପତି ଗୁଡିକୁ କାର୍ଯ୍ୟକାରୀ କରାଯାଉଥିଲା । ମାତ୍ର ଏହି ବର୍ଷ ଏହାର ବ୍ୟତିକ୍ରମ କରି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକକ ନିଷ୍ପତ୍ତି
କରି ଏହି ଉତ୍ସବ ମିନିଷ୍ଟାଡିୟମ ଠାରେ ପାଳନ କରିବାକୁ ନେଇ ବୁଦ୍ଧିଜୀବି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସୂଚନା ଥାଉକି ଜିଲ୍ଲା ସଂସ୍କୃତି ପରିଷଦ ଦୀର୍ଘ ବର୍ଷ ଧରି ପୁନର୍ଗଠନ ହୋଇନଥିବା ବେଳେ ପରିଷଦର ବିନା ଅନୁମୋଦନ ରେ ଲକ୍ଷ ଲକ୍ଷ ଟଙ୍କା କିପରି ଖର୍ଚ୍ଚ କରାଗଲା ତାହାର ତଦନ୍ତ କରାଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବି ମହଲରେ ଦୃଢ ଦାବୀ ହେଉଛି । ପ୍ରଶାସନ ଦ୍ୱାରା କରାଯାଇଥିବା ଓଡିଶା ଦିବସ କାର୍ଯ୍ୟକ୍ରମରେ କେଉଁ ଆଧାରରେ ବିଭିନ୍ନ ସାଂସ୍କୃତିକ ଦଳକୁ ଡକାଗଲା, କାହାକୁ ସମ୍ମାନୀତ କରାଗଲା ତାକୁ ନେଇ ନାନା ପ୍ରଶ୍ନବାଚୀସୃଷ୍ଟି ହୋଇଛି ।

ସୂଚନା ଥାଉକି ଅତୀତରେ ଏ ସବୁ କାର୍ଯ୍ୟକ୍ରମ କରିବା ପାଇଁ ବିଭିନ୍ନ କମିଟି ଗଠନ ହେଉଥିଲେ ମଧ୍ୟ ବର୍ତ୍ତମାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସବୁ ନକରି ମନଇଛା କାର୍ଯ୍ୟକ୍ରମ କରିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଓଡିଶା ଦିବସ କାର୍ଯ୍ୟକ୍ରମ ଏକ ସାମୁହୀକ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ବରିଷ୍ଠ ସାମ୍ବାଦିକ, ବରିଷ୍ଟ ନାଗରିକ ମାନଙ୍କୁ ସମ୍ପୂର୍ଣ୍ଣ ଉପେକ୍ଷା କରାଯିବା, ଅନେକ ପ୍ରତିଷ୍ଠିତ ଖବର କାଗଜର ପ୍ରତିନିଧିମାନଙ୍କୁ ସମ୍ପୂର୍ଣ୍ଣ ଉପେକ୍ଷା କରିବା ପ୍ରଭୃତି ଘଟଣାକୁ ନେଇ ବହୁ ନାଗରିକ ଓ ସା୍‌ମ୍ବାଦିକ ମାନେ କଟୁ ସମାଲୋଚନା କରିବା ସହ ପ୍ରଶାସନର ଏତାଦୃଶ କାର୍ଯ୍ୟକୁ ତୀବ୍ର ନିିନ୍ଦା କରିଛନ୍ତି ।

ଜିଲ୍ଲା ପ୍ରଶାସନର ଏଭଳି ଏକଚାଟିଆ କାର୍ଯ୍ୟକ୍ରମକୁ ବୁଦ୍ଧିଜୀବି ମହଲ ଏବଂ ବରିଷ୍ଠା ସାମ୍ବାଦିକ ତଥା ବର୍ଷିୟାନ କଳାକାର ଓ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ କୃଷ୍ଣକୁମାର ମିଶ୍ର, ପ୍ରତାପ ବରାଳ, ମାନସ ରଥ ,ଜିତେନ୍ଦ୍ର ପଟ୍ଟନାୟକ,ସରୋଜ କର, ରଞ୍ଜନ ସାହୁ ପ୍ରମୁଖଙ୍କ ସମେତ ବହୁ ବୁଦ୍ଧିଜୀବି ଓ ସାମ୍ବାଦିକ ଘୋର ନିନ୍ଦା କରିଛନ୍ତି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗକୁ ଯଦି ଏହିଭଳି କାର୍ଯ୍ୟକ୍ରମ ଓ ପଦକ୍ଷେପ ନିଆଯାଏ ତେବେ ଆଗାମୀ ଦିନରେ ପ୍ରଶାସନର କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ବୁଦ୍ଧିଜୀବି , ବରିଷ୍ଠ ନାଗରିକ ଓ ବରିଷ୍ଠ ସାମ୍ବାଦିକମାନେ ସହଯୋଗ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
Leave A Reply

Your email address will not be published.

16 + 15 =