ରାଜ୍ୟରେ ଥିବା ସରକାର ହେଉ କି କେନ୍ଦ୍ର ରେ ଥିବା ସରକାର ହେଉ ସମସ୍ତଙ୍କ ହୃଦୟ ଏବେ ଚାଷୀ ମାନଙ୍କ ପାଇଁ କାନ୍ଦୁଛି ।ଏକ ସଦ୍ୟତମ ଘଟଣା କ୍ରମ ରେ ଗତ ୧୪ତାରିଖ ଦିନ ପଦ୍ମପୁର ରେ ହେଉଥିବା ଉପନିର୍ବାଚନ ରେ ପ୍ରାଥି ପତ୍ର ଦାଖଲ କରିବାକୁ ଏକ ବିରାଟ ଶୋଭାଯାତ୍ରା ରେ ବିଜେପି ଦଳ ର ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ମହୋଦୟ ପଦ୍ମପୁର ର ଚାଷୀ ଙ୍କ ଦାବି କୁ ସମର୍ଥନ କରି ଉପଜିଲ୍ଲାପାଳଙ୍କ ଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ପ୍ରାର୍ଥୀପତ୍ର ଦାଖଲ ନକରି ଫେରି ଆସିଲେ। ମୋର ଏହି ଛୋଟିଆ ମୁଣ୍ଡରେ ମୁଁ ମଧ୍ୟ ଏ ଘଟଣା କିଛି ବୁଝି ପାରିଲି ନାହିଁ । କେନ୍ଦ୍ରରେ ଥିବା ସରକାର ଯଦି ଚାହିଁବ ତେବେ ଦୁଇ ସେକେଣ୍ଡ ରେ ସମସ୍ୟା ସମାଧାନ ହୋଇ ପାରିବ । କେନ୍ଦ୍ର ସରକାର ଙ୍କ ଅଧୀନରେ ପିଏମ କିଷାନ ନିଧି ଯୋଜନା । କେନ୍ଦ୍ର ସରକାର ଚାହିଁଲେ ଧାନ ର ସହାୟକ ଦର ବୃଦ୍ଧି କରିବାରେ ଅସୁବିଧା ନାହିଁ ।
ସେହିପରି ଓଡ଼ିଶା ସରକାର ଙ୍କ ର ଚାଷୀ ମାନଙ୍କ ପାଇଁ “କାଳିଆ”ଯୋଜନା । କିଛି ଚାଷୀ ଙ୍କ ବ୍ୟାଙ୍କ ଖାତା କୁ ସରକାର ୨ରୁ ୫ହଜାର ଟଙ୍କା ଦେଇଦେଲେ ଚାଷୀ ର ସମସ୍ୟା ସମାଧାନ ହୋଇଯାଏ ବୋଲି ଯିଏ ଭାବୁଥାଏ ତାଠାରୁ ବଳି” ମୂର୍ଖ “ଏହି ସଂସାର ରେ କେହି ନାହାନ୍ତି । ମୋ ମତରେ ଚାଷୀ ଙ୍କ କ୍ଷେତ୍ର ରେ ଦୁଇଟି ଯାକ ସରକାର ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ଗୋଟିଏ ଚାଷୀ ର ସମସ୍ୟା କେବଳ ଗୋଟିଏ ଚାଷୀ ହିଁ କହି ପାରିବ । କାଳିଆ ଯୋଜନା ରେ ଯେଉଁ ହଜାର ହଜାର କୋଟି ଟଙ୍କା ବଣ୍ଟା ଯାଉଛି ସେହି ଟଙ୍କାରେ ଗୋଟିଏ ରାଜ୍ୟର ଚାଷୀ ଙ୍କୁ ଭିକ୍ଷା ନଦେଇ ସ୍ୱାବଲମ୍ବୀ କରିହେବ । ଏ କଥା ସରକାର ଜାଣି ଥିଲେ ବି କାହିଁକି କରୁ ନାହାନ୍ତି ” ତାର କାରଣ ହେଲା ଟଙ୍କା ଦେଇ ଭୋଟ ଆଣିବା ଓ ସବୁଦିନ କ୍ଷମତା ରେ ରହିବା ପାଇଁ ଯୋଜନା କରିବା ।
ଏ ସବୁ ଫନ୍ଦି ଫିକର କେରଳ, ତାମିଲନାଡୁ ,ପଞ୍ଜାବ ଭଳି ରାଜ୍ୟ ରେ କାହିଁକି କାମ କରୁନାହିଁ ଓ ଓଡ଼ିଶାରେ କାହିଁକି କାମ କରୁଛି ? ଆମ ରାଜ୍ୟର ଚାଷୀ ଓ ଚାଷ କୁ ହତ୍ୟା କରିବା ପାଇଁ ସରକାର ରୀତିମତ ଯୋଜନା କରୁଛନ୍ତି । ଆମ ଚାଷୀକୁଳ ସେତେ ଶିକ୍ଷିତ ନୁହନ୍ତି । ଆଜି ରାଜ୍ୟରେ ଗୋଟିଏ ସରକାର ୨୨ବର୍ଷ ଧରି ଥିଲେବି ଆମ ଚାଷ ଜମି କୁ ପାଣି ଆଜି ପର୍ଯ୍ୟନ୍ତ ପହଞ୍ଚ ପାରିନାହିଁ ।ସେ ବୃହତ ଜଳ ସେଚନ ହେଉ କି ମାଧ୍ୟମ ଜଳସେଚନ ହେଉ କି ଉଠା ଜଳ ସେଚନ ହେଉ ।ଉଠା ଜଳ ସେଚନ କଥା ତ ନକହିବା ଭଲ । ୭୦ଭାଗ ଉଠା ଜଳ ସେଚନ ପଏଣ୍ଟ ଗୁଡିକ ଅଚଳ । ତାକୁ ମରାମତି କରିବା ପାଇଁ ସରକାର ଙ୍କ ପାଖରେ ଅର୍ଥ ନାହିଁ । ଆମର ତ ଢେଙ୍କାନାଳ ରେ ରେଙ୍ଗାଲି ଜଳ ସେଚନ ପ୍ରକଳ୍ପ ୨୦୦୫ମସିହା ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଲକ୍ଷ ଥିଲେ ମଧ୍ୟ ଆଜିଯାଏ କାମ ସରିବା ନାଁ ଧରୁନାହି ।୨୦୧୭ମସିହାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଗଁଦିଆ ରେଙ୍ଗାଲି ଶାଖା କେନାଲ ରେ ପାଣି ଛାଡିବା ଶୁଭ ଦେଇଥିଲେ ବି ଆଜି ପର୍ଯ୍ୟନ୍ତ କେନାଲ ପାଣି ଗଁଦିଆ ରେ ପହଞ୍ଚି ପାରିଲା ନାହିଁ ।ଆଉ କେତେ ବର୍ଷ ଲାଗିବ କିଏ ବା କହିବ ।
ସବୁଠାରୁ ଦୁଃଖ ର ବିଷୟ ଆଜି ବି ଆମ ରାଜ୍ୟ ଆଳୁ, କଦଳୀ,ଅଣ୍ଡା ,ମାଛ ରେ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ପଶ୍ଚିମ ବଙ୍ଗଳା ଯଦି ଆଳୁ ଯୋଗାଇବା ବନ୍ଦ କରିଦେବ ତେବେ ଆମର ଏଠି ଆଳୁ ର ଦାମ ବଢିଯିବ । ରାଜ୍ୟ ସରକାର ଏହାକୁ ଆଖିଆଗରେ ରଖି ରାଜ୍ୟରେ”ଆଳୁ ମିଶନ” କରିଥିଲେ । ଆନ୍ଧ୍ର ରୁ ମାଛ ଓ କଦଳୀ ଆମ ରାଜ୍ୟକୁ ଆସୁଛି । ନାସିକ ରୁ ପିଆଜ ଆସୁଛି ।
ଏଠି ପ୍ରଶ୍ନ ଉଠୁଛି ଏହି ଜିନିଷ ଗୁଡିକର ଉତ୍ପାଦନ ପାଇଁ ଆମ ରାଜ୍ୟ ରେ ଜଳବାୟୁ ଉପଯୁକ୍ତ ଥିବା ସତ୍ୱେ ଆମର ଏଠି ଉତ୍ପାଦନ କାହିଁକି ହୋଇ ପାରୁନାହିଁ । ଅନ୍ୟ ରାଜ୍ୟରେ “ଶୀତଳ ଭଣ୍ଡାର ପାଇଁ ବିଦ୍ୟୁତ ରେ ସବ୍ସିଡି ମିଳୁଥିଲା ବେଳେ ଆମ ରାଜ୍ୟରେ ସେ ସୁବିଧା ନାହିଁ । ଓଡ଼ିଶାର ଥିବା ଶୀତଳ ଭଣ୍ଡାର ଗୁଡିକରୁ ୭୫ଭାଗ ଅଚଳ । ଆମର ସବୁ ଅଛି କିନ୍ତୁ ମାନସିକତା ର ଅଭାବ ଅଛି । ଏଠି କାହାର କିଛି ଉତ୍ତର ଦାୟିତ୍ୱ ଥିଲା ଭଳି ଲାଗୁନାହିଁ ।କେବଳ ମାଗଣା ଖିଆ ଯୋଜନା କରି କିଭଳି ସରକାର ରେ ରହିହେବ ତାହା ହେଉଛି ସରକାର ଙ୍କ ମୁଖ୍ୟ କାମ ।
ଏବେ ଆସିବା ଚାଷୀ ଙ୍କ ମୂଳ ସମସ୍ୟା କୁ । ରାଜ୍ୟ ରେ ଚାଷୀ ମାନେ ପ୍ରାୟତଃ ଗ୍ରାମାଞ୍ଚଳ ରେ ଥିବା “ପ୍ରାଥମିକ କୃଷି ସେବା ସମବାୟ ସମିତି “ଉପରେ ନିର୍ଭର କରିଥାନ୍ତି । ଚାଷୀ ମାନେ ଚାଷ ପାଇଁ ଋଣ ପ୍ରାୟ ସେବା ସମବାୟ ସମିତି ଉପରେ ନିର୍ଭର କରିଥାନ୍ତି । ଯେଉଁ ଚାଷୀ ୨୦ବର୍ଷ ତଳେ ସମିତି ରୁ ୫ହଜାର କି ୧୦ହଜାର ଟଙ୍କା ଋଣ କରିଛି ସେ ଟଙ୍କା ଆଜି ସୁଧ ଓ ଚକ୍ରବୃଦ୍ଧି ସୁଧ ସହ ମିଶି ଲକ୍ଷାଧିକ ଟଙ୍କା ପାର ହେଲାଣି । ମୂଳ କିନ୍ତୁ ୫କି ୧୦ହଜାର ହୋଇଥିବ ।ଗାଁ ରେ ଥିବା ଗୋଲା(ସେବା ସମବାୟ ସମିତି)ଗୁଡିକ ପ୍ରତିବର୍ଷ ଋଣ କୁ ସୁଧ ମିଶାଇ ପୁଣି ମୂଳ ହୋଇଯାଏ । ସମିତି ରେ ଋଣ ଆଦାୟ ହେଲା ଓ ଋଣ ଦିଆ ହେଲା ବୋଲି କାଗଜାତ ତିଆରି ହୋଇଯାଏ ।ଏହା ପ୍ରାୟ ସମସ୍ତେ ଜାଣନ୍ତି । ସମିତି ରୁ ନୂଆ ଋଣ ନେବା ଲୋକ ଶତକଡା ୫ଭାଗ ରୁ କମ । ଯେଉଁ ଋଣୀ ମନେ ୩୦ବର୍ଷ ତଳେ ଋଣ ୫କି ୧୦ହଜାର ଋଣ ନେଇଥିଲେ ଓ ଆଜି ପର୍ଯ୍ୟନ୍ତ ତାହା ଶୁଝି ନପାରି କେବଳ ଋଣ କୁ ନୂଆ ପୁରୁଣା କରି ଆସୁଛନ୍ତି ସେମାନଙ୍କ ସଂଖ୍ୟା ବହୁତ ଅଧିକ ।ସେମାନେ ଆଜି ଲକ୍ଷାଧିକ ଟଙ୍କା ଋଣ ରେ ବୁଡି ରହିଛନ୍ତି । ସେମାନଙ୍କ ଦୁଃଖ କିଏ ବୁଝିବ ? ରାଜ୍ୟର କୌଣସି ଚାଷୀ ସଙ୍ଗଠନ ମଧ୍ୟ ଏହି ସମସ୍ୟା ଉପରେ ଧ୍ୟାନ ଦେଇ ନାହାନ୍ତି । ବିଗତ କଂଗ୍ରେସ ସରକାର ସମୟରେ ମନ ମୋହନ ସିଂହ ଙ୍କ ସରକାର ଯେଉଁ ଋଣ ଛାଡ ଘୋଷଣା କରିଥିଲେ ଯେଉଁ ରୁଣୀ ମାନେ ଆଦୌ ଋଣ ଶୁଝି ନଥିଲେ ସେହିମାନେ ଋଣ ଛାଡ ଯୋଜନା ରେ ଉପକୃତ ହେଲେ କିନ୍ତୁ ଯେଉଁ ରୁଣୀ ମାନେ ସମବାୟ ବିଭାଗ କର୍ମଚାରୀ ମାନଙ୍କ କଥାରେ ପଡି ତାଙ୍କର ଋଣ ଗୁଡିକୁ ନୂଆ ପୁରୁଣା କରିଥିଲେ ସେମାନେ ଉପକୃତ ହୋଇ ପାରିଲେ ନାହିଁ କି ସରକାର ସେହି ରୁଣୀ ଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଲେ ନାହିଁ । ଆଜି ବି ସେହି ସମସ୍ୟା ଅଛି ।
ଗ୍ରାମାଞ୍ଚଳରେ ସମବାୟ ଋଣ କୁ ନୂଆ ପୁରୁଣା କରି ଲକ୍ଷ ଲକ୍ଷ ଚାଷୀ ଋଣ ଶୁଝି ପାରୁ ନାହାନ୍ତି । ସେମାନଙ୍କ ପାଇଁ କେଉଁ ସରକାର କୁମ୍ଭୀର କାନ୍ଦଣା କାନ୍ଦୁ ନାହାନ୍ତି । ତେଣୁ ଆଜି ସମୟ ଉପନୀତ ସମସ୍ତ ଏହିଭଳି ଭାବେ ଖିଲାପି ଚାଷୀ ମାନେ ଏକତ୍ରିତ ହୁଅନ୍ତୁ ଓ ସରକାରଙ୍କ ଉପରେ ଚାପ ସୃଷ୍ଟି କରନ୍ତୁ ।ମୋର ବିଶ୍ୱାସ ଆଜି ନହଲେ କାଲି ଏ ସମସ୍ୟାର ସମାଧାନ କରିବାକୁ ସରକାର ବାଧ୍ୟ ହେବେ ସେ କେନ୍ଦ୍ର ସରକାର ହେଉ କି ରାଜ୍ୟ ସରକାର ହେଉ ।
ନବୀନ ନନ୍ଦ,ପୁର୍ବତନ ବିଧାୟକ ,ଢେଙ୍କାନାଳ