ଢେଙ୍କାନାଳ : ପରଜଙ୍ଗ ବ୍ଲକ ରୋଡ୍ କୁନ୍ଦନଦେଈପୁର
ହାଇସ୍କୁଲରେ ଶିକ୍ଷକଙ୍କ ବଦଳି ବାତିଲ ଦାବିନେଇ ଧାରଣାରେ ଛାତ୍ରଛାତ୍ରୀ। ଏହାର ପ୍ରତିବାଦରେ ସେମାନେ ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ସମ୍ପୃକ୍ତ ଶିକ୍ଷକଙ୍କ ବଦଳି ବାତିଲ କରା ନ ଗଲେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ , ସ୍କୁଲରେ ୨୨୯ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ସର୍ବନିମ୍ନ ୮ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ତେବେ ଦୀର୍ଘଦିନ ହେଲା ୭ଜଣ ଶିକ୍ଷକଙ୍କୁ ନେଇ ଶିକ୍ଷାଦାନ ଚାଲିଥିଲା। ଇତିମଧ୍ୟରେ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକ ଅରୁଣ ନାୟକଙ୍କୁ
ସିଆରସିସି ଦାୟିତ୍ୱ ଦିଆଯାଇଛି। ଅନ୍ୟଜଣେ ଶିକ୍ଷକ ରବୀନ୍ଦ୍ର ମୁଣ୍ଡାଙ୍କୁ କାମାକ୍ଷାନଗର ବ୍ଲକକୁ ବଦଳି କରାଯାଇଛି। ଫଳରେ ଶିକ୍ଷକ ଅଭାବ ସମସ୍ୟା ଆହୁରି ଜଟିଳ ହୋଇପଡିଛି।
ଆଗକୁ ବାର୍ଷିକ ପରୀକ୍ଷା ଥିବାବଳେ ପାଠପଢ଼ା ପ୍ରଭାବିତ ହେଉଛି। ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଫାଟକ ଆଗରେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ରଖି ଧାରଣା ଦେଇଛନ୍ତି। ଶିକ୍ଷା ବିଭାଗ ଦାବିପୂରଣ ନ କରିବାଯାଏ ଧାରଣା ଜାରି ରହିବ ବୋଲି ସେମାନେ ନିଷ୍ପତ୍ତି ନେଇଛନ୍ତି।