ଢେଙ୍କାନାଳ : ଢେଙ୍କାନାଳ ପୌରପରିଷଦ ୬ନଂ ୱାର୍ଡ ଅନ୍ତର୍ଗତ ଦେଉଳସାହି ଅଞ୍ଚଳର ବଳରାମ ମନ୍ଦିର ଆଖପାଖରେ ବହୁ ବର୍ଷ ଧରି ବସବାସ କରି ରହିଆସୁଥିବା ଲୋକମାନେ ସରକାରଙ୍କ ଜାଗାମିଶନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଜାଗା ଓ ଘର ପାଇଥିଲେ । ଯାହାକି ଗଢି ଉଠିଥିବା ବସ୍ତିର ଉନ୍ନତି ପାଇଁ ଏକ ବସ୍ତି ଉନ୍ନୟନ କମିଟି ଗଠନ କରାଯାଇଥିଲା । ତାହା ଏହି ବସ୍ତିର ନାମ ଭୂଲ୍ କ୍ରମେ ପୌରପରିଷଦ ରେକର୍ଡରେ ମାଳିସାହି ଦର୍ଶାଯାଇଛି ।
ଏହି ଅଞ୍ଚଳର ପୋଷ୍ଟାଲ୍, ଆଧାର ଓ ତହସିଲ ରେକର୍ଡରେ ଠିକଣା ଦେଉଳସାହି ଥିବାରୁ ଏହାକୁ ସଂଶୋଧନ କରିବା ପାଇଁ ୱାର୍ଡ କାଉନ୍ସିଲର ସନ୍ଦୀପ ଷଢଙ୍ଗୀଙ୍କ ନେତୃତ୍ୱରେ ସ୍ଥାନୀୟ ବସ୍ତିବାସିନ୍ଦାମାନେ ପୌରପରିଷଦର ଅଧ୍ୟକ୍ଷା ଜୟନ୍ତୀ ପାତ୍ର, ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର, ନିର୍ବାହୀ ଅଧିକାରୀ ଅତନୁ ସବ୍ୟସାଚି ନାୟକଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି । ବିହୀତ ପଦକ୍ଷେପ ନେଇ ଏହି ତୃଟିକୁ ଶୀଘ୍ର ସଂଶୋଧନ କରାନଗଲେ ୬ନଂ ୱାର୍ଡର ବସ୍ତିବାସିନ୍ଦାଙ୍କ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ଏହି ଦାବୀପତ୍ର ପ୍ରଦାନ ବେଳେ ଅଞ୍ଚଳର ବେଦାଧ୍ୟୟନ ପଣ୍ଡା, ସୁରେନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ନାୟକ, ଗଣେଶ୍ୱର ମହାପାତ୍ର, ସନ୍ତୋଷ ବେହେରା, ପ୍ରୀତମ୍ ମହାନ୍ତି, ଶୁଭମ୍ ଗୁରୁଙ୍ଗ୍, ଜ୍ୟୋତିପ୍ରକାଶ ବେହେରା, ସୂର୍ଯ୍ୟକାନ୍ତ ବେହେରା, କାହ୍ନା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।