ଅଭିନବ ଜମି ଠକେଇ ମାମଲାରେ ୮ ଅଭିଯୁକ୍ତ ଗିରଫ !

ଢ଼େଙ୍କାନାଳ : ସହରରେ ଏବେ ଜମିଠକେଇ ର ଗନ୍ତାଘର। ସହଜ ଉପାୟରେ ଅଧିକ ଧନ ଉପାର୍ଜନ ଉପାୟ କରିବାର ପନ୍ଥା  । ଭୁଲି ଯାଇଛନ୍ତି ନିଜର ସମାଜରେ ଥିବା ସମ୍ମାନକୁ । ଏଭଳି ଏକ ଅଭିନବ ଜମି ଠକେଇ ମାମଲାର ରହସ୍ୟ ଉନ୍ମୋଚନ କରିଛି ଢେଙ୍କାନାଳ ଟାଉନ ଥାନା ପୋଲିସ। 

 ଏହିଘଟଣାରେ ଜଣେ ମହିଳାଙ୍କ ସମେତ ମୋଟ ୮ ଅଭିଯୁକ୍ତ ବନ୍ଧା ହୋଇଛନ୍ତି। ସେମାନେ ହେଲେ ଗଁଦିଆ ଥାନା ଚିରୁଳେଇ ଗ୍ରାମର ତଥା ଢେଙ୍କାନାଳ ଜୟଗୋପାଳ ସାହିରେ ରହୁଥିବା ଘଟଣାର ମାଷ୍ଟର ମାଇଣ୍ଡ୍‌ ଅରୁଣ ପଟ୍ଟନାୟକ ଓରଫ୍‌ ଦେବାଶିଷ (୪୭), ଖମାର ସାହର ପ୍ରଦୀପ କୁମାର ରାଉତ (୪୦), ଶ୍ୟାମାଚରଣପରରୁ ନିର୍ମଳ କୁମାର ଧଳ (୪୫), ଅମଲାପଡ଼ାର ଅନିଲ ଚୌଧୁରୀ (୩୨), ତୁମୁସିଙ୍ଗା ଥାନା କୋଟଗରା ଅଞ୍ଚଳର ଅଶୋକ ମଲ୍ଲିକଙ୍କ ସ୍ତ୍ରୀ ଟିକିନା ମଲ୍ଲିକ (୩୫),  ତୁମୁସିଙ୍ଗା ଥାନା ବାରୁଆଁ (କା) ଅଞ୍ଚଳର ଯଶୋବନ୍ତ ଭୂତିଆ (୫୯), ସହରସ୍ଥିତ ଜବାହର ଚୌକର ଜେରକ୍ସ ଦୋକାନୀ ରଣଜିତ୍‌ ମହାରଣା (୪୪)। ପୋଲିସ ସେମାନଙ୍କ ନିକଟରୁ ଏଗ୍ରିମେଣ୍ଟ  ପେପର, ଇସି, ଜାଲ ଜମିପଟ୍ଟା  , ଜମିନକ୍ସା, ନକଲି ଆଧାରକାର୍ଡ,  ପୌରସଂସ୍ଥାର ଜାଲ୍‌ ସିଲ୍‌ ସମେତ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛି।

ପୋଲିସ ସୂଚନା ମୁତାବକ  ,  ଶ୍ୟାମାଚରଣପୁର ନିବାସୀ ମୁରାରୀ ପଣ୍ଡାଙ୍କ ନାମରେ ଖାତା ନଂ . ୧୦୪/୧୦୪, ପ୍ଲଟ ନଂ .୨୭ ତଇଳା କିସମ-୨ରେ ୨୨ ଡେସିମିଲ ଜାଗା କୁ ନେଇ ରଚାଯାଇଛି ଠକେଇ ମାମଲା  । ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ଅବସରପ୍ରାପ୍ତ କର୍ମଚାରୀ ତଥା ତୁମୁସିଙ୍ଗା ଥାନା କଣ୍ଟାପାଳ ଗ୍ରାମର ଭ୍ରମରବର ମହାକୁଡ (୬୭) ଶ୍ୟାମାଚରଣପୁରରେ ଆସିଭଡ଼ାରେ ଥିଲେ। ଉକ୍ତ ଅଞ୍ଚଳରେ ଜମି କିଣିବାକୁ ସେ ଯୋଗାଯୋଗ କରିବା  ବେଳେ ଅଭିଯୁକ୍ତ ନିର୍ମଳ ଏଥିରେ ସହଯୋଗ କରିବେ ବୋଲି କଥା ଦେଇଥିଲେ । ଏହାପରେ ଅନିଲ,  ଯଶୋବନ୍ତ, ଶ୍ରୀକାନ୍ତଙ୍କୁ ଯୋଗାଯୋଗ କରିଥିଲେ ନିର୍ମଳ। ଦେବାଶିଷ ଏବଂ ପ୍ରଦୀପଙ୍କ ସହ ଆଲୋଚନା କରି ଜଣେ ଓକିଲଙ୍କ ଜରିଆରେ  ଭ୍ରମରବରଙ୍କୁ ଠକେଇ କରିବା  ପାଇଁ ଆରମ୍ଭ  ହୋଇଥିଲା  ପ୍ରସ୍ତୁତି ।

ଭ୍ରମରବରଙ୍କ ସମ୍ମୁଖରେ  ଯଶୋବନ୍ତ ନିଜକୁ ଜାଗାର ପ୍ରକୃତ ମାଲିକ ମୁରାରୀ ପ୍ରସାଦ ପଣ୍ଡା ବୋଲି ପରିଚୟ ଦେଇଥିଲେ।  ସେହିପରି  ପ୍ରଦୀପ ନିଜକୁ ମୁରାରୀଙ୍କ ପୁଅ କୁଲଦୀପ ପଣ୍ଡା ଏବଂ ଟିକିନା ମଲ୍ଲିକ ନିଜକୁ ମୁରାରୀଙ୍କ ସ୍ତ୍ରୀ ସୁଷମାରାଣୀ ପଣ୍ଡା ବୋଲି କହିଥିଲେ। ତେବେ ସୁଷମାରାଣୀ ସାଜିଥିବା ଟିକିନାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଅଛିଏବଂ ସେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିବା  ଅଭିଯୁକ୍ତମାନେ କହିଥିଲେ। ଭ୍ରମରବରଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ସେମାନେ ଟିକିନାଙ୍କୁ ଅସୁସ୍ଥ ଦର୍ଶାଇ  ଉକ୍ତ ବେସରକାରୀ ମେଡିକାଲରେ  ଭର୍ତ୍ତି କରିଥିଲେ। ଏପରିକି ଏଗ୍ରିମେଣ୍ଟ  ପାଇଁ ଗତ ମେ’ ୨୪ରେ ଏକ କାଡି ଯୋଗେ ଭ୍ରମରବରଙ୍କୁ ସମ୍ପୃକ୍ତ ମେଡିକାଲକୁ  ନେଇଥିବା ବେଳେ  ଭ୍ରମରବର ଗାଡ଼ିରେ ଅପେକ୍ଷା କରିଥିବାବେଳେ ସୁଷମାରାଣୀଙ୍କ ନାମରେ ଜଣେ ଓକିଲଙ୍କ ଜରିଆରେ  ଏଗ୍ରିମେଣ୍ଟ  ପେପରରେ ଦସ୍ତଖତ ଅଣାଯାଇଥିଲା।

ଅଭିଯୁକ୍ତଙ୍କ ଷଡ଼ଯନ୍ତ୍ରରେ ଫସି ଯାଇଥିବା  ଭ୍ରମରବର ଏଥିରେ  ବିଶ୍ୱାସ କରି ଜମି ପାଇଁ ଡିଲ୍‌ ହୋଇଥିବା  ୨୨ ଲକ୍ଷ ମଧ୍ୟରୁ ୮ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ।  ସେହି ଅଗ୍ରୀମ ଟଙ୍କା  ଅଭିଯୁକ୍ତମାନେ ନିଜ ପ୍ରାପ୍ୟ ଅନୁସାରେ ବାଣ୍ଟି ନେଇଥିଲେ ।

Leave A Reply

Your email address will not be published.

1 × 4 =