୬୫ତମ ଆନ୍ତର୍ଜାତୀକ ବଧିର ଦିବସ ପାଳନ !

ଢେଙ୍କାନାଳ :   ଜିଲ୍ଲା ବଧିର ସଂଘ ଓ ଅକ୍ଷମ କଲ୍ୟାଣ ସମିତି ବଧିର ବିଦ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ୬୫ତମ ଆନ୍ତର୍ଜାତୀକ ବଧିର ଦିବସ ପାଳନ ହୋଇଯାଇଅଛି ।

ଆନ୍ତର୍ଜାତୀୟ ବଧିର ଦିବସ ସର୍ବପ୍ରଥମେ ଫିନ୍‌ଲାଣ୍ଡ ହେଲ୍‌ସିଙ୍ଗ୍ ସହରରେ ୧୯୫୭ ମସିହାରେ ପାଳିତ ହୋଇଥିଲା । ଏହା ପୃଥିବର ବଧିରମାନଙ୍କ ସଂଘ ଦ୍ୱାରା ଆୟୋଜିତ ହୋଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପୃଥିବୀର ବଧିରମାନଙ୍କ ପାଇଁ ଏକ ପୃଷ୍ଠଭୂମି ତିଆରି କରିବା ଏବଂ ସାଧାରଣ ଲୋକମାନଙ୍କ ମଧ୍ୟରେ ବଧିର ମାନଙ୍କର ଅସୁବିଧାକୁ ସଚେତନ କରାଇବା ।

ପ୍ରଥମେ ସମସ୍ତ ଅତିଥିମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦ୍ୱୀପ ପ୍ରଜ୍ୱଳନ କରିବା ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ  ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଧିରମାନଙ୍କୁ ଆମ୍ଭେ ସାମାଜିକ ସ୍ରୋତରେ ସାମିଲ୍ କରିବା ସହିତ ସେମାନଙ୍କୁ ହେୟଜ୍ଞାନ ନକରି ସେମାନଙ୍କର ଉନ୍ନତି ପାଇଁ ଏବଂ ସମାଜରେ ସେମାନଙ୍କୁ ଆଗକୁ ଆଗେଇନେବା ପାଇଁ ସମସ୍ତ ସହଯୋଗ କାମନା କରିଥିଲେ ।

ସମ୍ମାନିତ ଅତିଥି ଢେଙ୍କାନାଳ ପୌରପରିଷଦର ଉପନଗରପାଳ ପ୍ରକାଶ କୁମାର କୂଅଁର ବଧିର ସଂଘର ଗୃହ ନିର୍ମାଣ ପାଇଁ ଜାଗାର ଆବଶ୍ୟକତା ଥିବାରୁ ସହଯୋଗ କରିବେ ବୋଲି କହିଥିଲେ । ଆମ୍ଭେ ସମସ୍ତେ ଏଥିପାଇଁ ସହଯୋଗର ହାତ ବଢାଇଲେ ସେମାନଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରିବ ।

ଡି.ଏସ୍‌.ଏସ୍‌.ଓ ଶୁଭେନ୍ଦୁ କୁମାର ଖୁଣ୍ଟିଆ ଯୋଗଦେଇ କହିଥିଲେ ଯେ, ସରକାରଙ୍କର ଯୋଜନା ଯଥା ବଧିରଙ୍କୁ ବିବାହ କଲେ ଅଢେଇ ଲକ୍ଷ ଟଙ୍କାର ଅନୁଦାନ ମିଳିବା, ବଧିରଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବୃତି ପ୍ରଦାନ କରାଯାଉଛି ଓ ସରକାରୀ ଚାକିରୀରେ ୩% ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ଅଛି । ବଧିର ପିଲାମାନେ ବ୍ୟାଙ୍କରୁ ଋଣ ନେଇ ଯେକୌଣସି ବ୍ୟବସାୟ କରିପାରିବେ ବୋଲି ପ୍ରକାଶ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବଧିର ସଂଘର ଜିଲ୍ଲା ସଭାପତି ମନୋରଞ୍ଜନ ସାମଲ ଓ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ । ସଂଘର ପୃଷ୍ଠପୋଷକ ଆଇନ୍‌ଜୀବୀ ଦୀପକ ପ୍ରସାଦ ପଟ୍ଟନାୟକ ସଭାକୁ ସଞ୍ଚାଳନ କରିଥିଲେ । ଉପସଭାପତି ରାଜେନ୍ଦ୍ର ନାରାୟଣ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

ବଧିର ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସଂଘର ସମସ୍ତ ସଭ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ପରେ ସଂଘର କର୍ମଶାଳା ଅନୁଷ୍ଠିତ ହୋଇଥିଲା ଏବଂ ପୁରଷ୍କାର ବିତରଣ କରାଯାଇଥିଲା ।

Leave A Reply

Your email address will not be published.

one × 3 =