ଢେଙ୍କାନାଳ : ଜିଲ୍ଲା ସ୍ପୋର୍ଟସ୍ ଆସୋସିଏସନ୍ ଢେଙ୍କାନାଳ ଆନୁକୂଲ୍ୟରେ ଶାରୀରିକ ଶିକ୍ଷା ଶିକ୍ଷକ ମାନଙ୍କର ଏକ ବାର୍ଷିକ ସମ୍ମିଳନୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଥିଲା ।
ଏହି ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତ ପାଣି ସଭାପତିତ୍ୱ କରିଥିଲେ । ସମ୍ବଲପୁର ଜୋନ୍ ଆଞ୍ଚଳିକ ନିର୍ଦ୍ଦେଶକ ବିକାଶ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟକୁ ଆଗେଇ ନେଇଥିଲେ । ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର ଭୂମିକା ଓ ଗୁରୁତ୍ୱ ବିଦ୍ୟାଳୟ ସ୍ତରରେ କିପରି ହେବା ଉଚିତ୍ ତାହା ଆଲୋକପାତ କରିଥିଲେ ।
ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ହିନ୍ଦୋଳ-ଶାନ୍ତନୁ ମଲ୍ଲିକ, ଓଡାପଡା-ବ୍ରହ୍ମତ୍ରୀ ବିଶ୍ୱାଳ, ଢେଙ୍କାନାଳ ସଦର- ବ୍ରହ୍ମାନନ୍ଦ ରାଉତ, ଭୂବନ-ରୁଦ୍ରନାରାୟଣ ରାଉତ, ପର୍ଜଙ୍ଗ- ହରିହର ଦେହୁରୀ ଓ କଙ୍କଡାହାଡ – ମିନତୀ ଦେହୁରୀ ଯୋଗଦେଇଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡା ବାର୍ଷିକ ବିବରଣୀ ପାଠ କରିଥିଲେ ଓ ବାର୍ଷିକ ଆୟବ୍ୟୟ ଅଟକଳ ଉପସ୍ଥାପନ କରିଥିଲେ, ଏହା ସର୍ବସମ୍ମତି କ୍ରମେ ସଭାରେ ଅନୁମୋଦନ କରାଗଲା । ବିଭିନ୍ନ ଖେଳକୁଦ ଗ୍ରାମାଞ୍ଚଳରେ କରିବା ପାଇଁ ସ୍ଥାନ ନିରୁପଣ କରିଥିଲେ ।
ପୂର୍ବତନ ଜୁନିଅର ରେଡ୍କ୍ରସ୍ର ଯୁଗ୍ମ ସମ୍ପାଦକ ବିପିନି ବିହାରୀ ଶତପଥୀଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକ “ସେବା ଆରତୀ” ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ସଭା ଆରମ୍ଭରେ ଶାରୀରିକ ଶିକ୍ଷା ଶିକ୍ଷକ ସୁଶୀଲ କୁମାର ପଣ୍ଡା ବେଦପାଠ କରିଥିଲେ । ଶାରୀରିକ ଶିକ୍ଷା ଶିକ୍ଷକ ବିପିନି କୁମାର ସାହୁ ସଭାରେ ସଂଯୋଜନା କରିଥିଲେ । ପ୍ରଶାନ୍ତ କୁମାର ସାହୁ ସହଯୋଗ କରିଥିଲେ । ସହ ସମ୍ପାଦକ ତଥା ଶାରୀରିକ ଶିକ୍ଷା ଶିକ୍ଷକ ନରେଶ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।