ଖୁବ୍ ଶୀଘ୍ର ତାଳଚେର, ଅନୁଗୁଳ ଓ ଢେଙ୍କାନାଳ ଦେଇ କୋଲକତାକୁ ଚାଲିବ ନୂଆ ଟ୍ରେନ୍-ଧର୍ମେନ୍ଦ୍ର ପ୍ରଧାନ
ଢେଙ୍କାନାଳ : ଖୁବ୍ ଶୀଘ୍ର ସମ୍ବଲପୁରରୁ ଏକ ନୂଆ ଟ୍ରେନ୍ ତାଳଚେର, ଅନୁଗୁଳ ଓ ଢେଙ୍କାନାଳ ଦେଇ କୋଲକତାକୁ ଚଳାଚଳ କରିବ ବୋଲି ରବିବାର ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୁଳ ଓ ଢେଙ୍କାନାଳରେ କ୍ରିୟାନ୍ୱୟନ ହୋଇଥିବା ବିଭିନ୍ନ ରେଳବାଇ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କରିବା ଅବସରରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନ୍ରୁ ଟ୍ରେନ୍ ଯୋଗ ଏକ ସ୍ୱତନ୍ତ୍ର ବଗିରେ ପୂର୍ବତଟ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରିଥିଲେ । ସେ ତାଳଚେର ରୋଡ, ଅନୁଗୁଳ, ଏମ୍.ସି.ଏଲ୍.ର ବଳରାମ ସାହି, ତାଳଚେର, ସୁନାଖଣି, ବୁଢାପଙ୍କ, ମେରାମୁଣ୍ଡଳୀ, ହିନ୍ଦୋଳ ରୋଡ, ସଦାଶିବପୁର ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ନେଇ ରେଳ ଅଧିକାରୀଙ୍କୁ ପଚାରି ବୁଝିଥିଲେ । ଏହା ବ୍ୟତୀତ ବଅଁରପାଳ ବ୍ଲକ୍ର ବ୍ରିଜ୍ ନଂ-୫ ଏବଂ ନତଡା ଗ୍ରାମପଂଚାୟତରେ ହିଙ୍ଗୁଳା ଅଂଚଳର ନିର୍ମାଣଧିନ ରେଲ୍ ଲିଙ୍କ୍ର କାର୍ଯ୍ୟ ଦେଖିଥିଲେ । ପରବର୍ତୀ ପର୍ଯ୍ୟାୟରେ ଅନୁରୂପ ଭାବେ ଢେଙ୍କାନାଳ, ଶ୍ୟାମାଚରଣପୁର, ଯୋରନ୍ଦା ରୋଡ ରେଳଷ୍ଟେସନ୍ରେ ହୋଇଥିବା ଅଗ୍ରଗତି କାର୍ଯ୍ୟଗୁଡିକ ପ୍ରତ୍ୟକ୍ଷ ଭାବେ ବୁଲି ଦେଖିଥିଲେ ।
ଶ୍ରୀ ପ୍ରଧାନ ଷ୍ଟେସନ୍ରେ ଚାଲିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ରେଳ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ସବୁ ଷ୍ଟେସନ୍ରେ ସ୍ଥାନୀୟ ଲୋକଙ୍କୁ ଭେଟି ସେମାନଙ୍କ ସହ କଥାବାର୍ତା କରିଥିଲେ ।ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅନୁଗୁଳରୁ କୋଲକତା ପର୍ଯ୍ୟନ୍ତ ସିଧାସଳକ ଟ୍ରେନ୍ ଚଳାଚଳ କରିବା ପାଇଁ ଜିଲ୍ଲାବାସୀଙ୍କ ଦୀର୍ଘଦିନର ଦାବୀ ରହିଥିଲା । ଏହାକୁ ମୋଦି ସରକାର ସ୍ୱୀକୃତି ଦେଇଛନ୍ତି । ଖୁବ୍ ଶୀଘ୍ର ଏକ ନୂଆ ଟ୍ରେନ୍ ସମ୍ବଲପୁରରୁ ଅନୁଗୁଳ, ତାଳଚେର ଓ ଢେଙ୍କନାଳ ଦେଇ କୋଲକାତା ଯିବ ।
ଅନୁଗୁଳ ଓ ଢେଙ୍କାନାଳ ମଧ୍ୟରେ ନୂଆ ରେଳ ଚଳାଚଳ କରିବାର ଦାୟିତ୍ୱ ନେଇ ଜିଲ୍ଲାବାସୀଙ୍କୁ ପୂଜା ଉପହାର ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତ ସରକାରଙ୍କ ରେଳ ବିଭାଗ ତରଫରୁ ଅନୁଗୁଳ ଓ ଢେଙ୍କାନାଳ ଅଂଚଳରେ ପ୍ରାୟ ୨,୫୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର କାମ ଜାରି ରହିଛି । ଅନୁଗୁଳରେ ବୃହତ ଶିଳ୍ପାଞ୍ଚଳରେ କୋଇଲା ଭଳି ମାଲ୍ ପରିବହନ ପାଇଁ ରେଳ ବିଭାଗ ପ୍ରାଥମିକତା ଦେଉଅଛି । ତାଳଚେର, ତେଳଚେର ରୋଡ, ଅନୁଗୁଳ, ଢେଙ୍କାନାଳ ଏହି ଚାରୋଟି ରେଳଷ୍ଟେସନ୍ର ପୁନଃଉଦ୍ଧାର ସହ ଅନେକ ଷ୍ଟେସନ୍ରେ ରେଳ ଲାଇନ୍ର ଦୋହରିକରଣ, ତୃତୀୟ ଲାଇନ୍, ଚତୁର୍ଥ ଲାଇନ୍ର କାମ ଚାଲୁ ରହିଛି ।
ଖୁବ୍ ଶୀଘ୍ର ତାଳଚେରରୁ ଅନୁଗୁଳ ପର୍ଯ୍ୟନ୍ତ ଗୋଟିଏ ପାସେଞ୍ଜର ଓ ଦୁଇଟି ମାଲବାହୀ ରେଳ ଲାଇନ୍ର କାମ ଶେଷ ହେବ । ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟରେ ତାଳଚେରରୁ ଭାୟ ଏଫ୍.ସି.ଆଇ ଓ ନାଲ୍କୋ ଦେଇ ଅନୁଗୁଳ ପର୍ଯ୍ୟନ୍ତ ଯାତ୍ରୀବାହି ରେଳ ଲାଇନ୍ର କାମ ଆସନ୍ତା ନଭେମ୍ବର ସୁଦ୍ଧା ଶେଷ ହେବା ନେଇ ରେଳ ବିଭାଗ ଅଧିକାରୀ ମାନେ ସୂଚନା ଦେଇଛନ୍ତି । ଅନୁଗୁଳ ଓ ଢେଙ୍କାନାଳରେ କ୍ରିୟାନ୍ୱୟନ ହେଉଥିବା ରେଳ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ନାଗରିକ ଓ ଯାତ୍ରୀମାନେ ବିଶେଷ ଭାବରେ ଉପକୃତ ହେବେ । ସେ ଆହୁରି କହିଛନ୍ତି ଯେ, ଶିଳ୍ପ ସମୃଦ୍ଧ ଅଞ୍ଚଳ ଅନୁଗୁଳ ଏବଂ ତାଳଚେରକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ମୋଦି ସରକାର ରେଳ କ୍ଷେତ୍ରରେ ବିପୁଳ ଆର୍ଥିକ ଅନୁଦାନ ଓ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି ।
ମୋଦି ସରକାରରେ ରେଳ ଯୋଗେ ମାଲ୍ ପରିବହନ ସହ ଯାତ୍ରୀ ସୁବିଧାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଏହା ବ୍ୟତୀତ ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଅନୁଗୁଳ ଭଲି ଖଣିଖାଦାନ ଅଂଚଳର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି (ଡି.ଏମ୍.ଏଫ୍.) ର ବ୍ୟବସ୍ଥା କରିଛନ୍ତି । ମୋଦି ସରକାରଙ୍କର ବ୍ୟବସ୍ଥା କାରଣରୁ ଏହି ଜିଲ୍ଲାକୁ ଡିଏମ୍ଏଫ୍ରେ ବାର୍ଷିକ ୩୫୦ କୋଟି ଟଙ୍କା ଆସୁଛି । ତାଳଚେର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିଶ୍ୱରୂପା ମା’ ହିଙ୍ଗୁଳା ମନ୍ଦିରର ଉନ୍ନତିକରଣ ପାଇଁ ଏମ୍.ସି.ଏଲ୍. ୮ କୋଟିରୁ ଅଧିକ ଟଙ୍କା ଦେଇଛି । ତାଳଚେର ଗୋପାଳଗଡ କଣିହା ରାସ୍ତାରେ ସାଧାରଣ ଲୋକଙ୍କ ଯାତାୟତ ଓ କୋଇଲା ପରିବହନ ପାଇଁ ପୃଥକ ପୃଥକ ରାସ୍ତା କରିବା ପାଇଁ ମଧ୍ୟ ଯୋଜନା କରାଯିବ ।ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁଗୁଳ ଓ ଢେଙ୍କାନାଳର ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତାଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।