ଢେଙ୍କାନାଳ : ସହୀଦ ବାଜି ରାଉତ ଶାଖା, ଭାରତ ବିକାଶ ପରିଷଦ, ଢେଙ୍କାନାଳ ତରଫରୁ ଛାତ୍ରମାନଙ୍କ ମଧ୍ୟରେ ରାଷ୍ଟ୍ର ଭକ୍ତି ଭାବନା ଜାଗରଣ ତଥା ନୈତିକ ମୁଲ୍ୟବୋଧର ବିକାଶ ନିମିତ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ଗୋପବନ୍ଧୁ ଟାଉନ ହଲ, ଢେଙ୍କାନାଳରେ “ରାଷ୍ଟ୍ରୀୟ ସମୁହ ଗାନ ପ୍ରତିଯୋଗିତା’, “ଭାରତ କୋ ଜାନୋ’ କୁଇଜ ପ୍ରତିଯୋଗିତା (ଉଭୟ ବରିଷ୍ଠ ଓ କନିଷ୍ଠ) ଅନୁଷ୍ଠିତ ହୋଇଯାଇଛି ।
ପ୍ରଥମେ କାର୍ଯ୍ୟକ୍ରମ ର ପର୍ଯ୍ୟବେକ୍ଷକ ତଥା ସମ୍ମାନିତ ଅତିଥି ଓଡ଼ିଶା ପୂର୍ବ ପ୍ରାନ୍ତ ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ମହାରଣା ଙ୍କ ଉପସ୍ଥିତିରେ ଶାଖାର ପୃଷ୍ଠ ପୋଷକ, ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସ୍ଥାୟୀ ଲୋକଅଦାଲତ ପୂର୍ବତନ ସଦସ୍ୟ ହରେକୃଷ୍ଣ କର ପ୍ରଭୁ ଜଗନ୍ନାଥ, ଭାରତ ମାତା, ବିବେକାନନ୍ଦ, ସହୀଦ ବାଜି ରାଉତ ଙ୍କୁ ପୁଷ୍ପ ଅର୍ପଣ ଓ ଦ୍ୱୀପ ପ୍ରଜ୍ୱଳନ ପୁର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରାରମ୍ଭରେ ବନ୍ଦେ ମାତରଂ ରାଷ୍ଟ୍ରଗୀତ ସାମୁହିକ ଗାନ କରାଯାଇ କାର୍ଯ୍ୟକ୍ରମ ପ୍ରାରମ୍ଭ ହେଲା ।
ପ୍ରାଥମାର୍ଦ୍ଧରେ ଶ୍ରୀମତୀ ସବିତା ଧୀରଙ୍କ ପରିଚାଳନାରେ ୭ ଟି ବିଦ୍ୟାଳୟର ୫୬ ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ରାଷ୍ଟ୍ରୀୟ ସମୁହଗାନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ପ୍ରତ୍ୟେକ ବିଦ୍ୟାଳୟ ହିନ୍ଦୀ, ସଂସ୍କୃତ ଓ ଓଡ଼ିଆ, ଏହିପରି ୩ ଟି ଗୀତ ପରିବେଷଣ କରିଥିଲେ । ଦ୍ୱିତୀୟାର୍ଦ୍ଧରେ ଆକାଶବାଣୀ ଜୋରନ୍ଦାର କାର୍ଯ୍ୟକ୍ରମ ଅଧିକାରୀ ଇଂ ରାଜୀବ ମାହୁନ୍ତଙ୍କ ପରିଚାଳନାରେ ୮ଟି ବିଦ୍ୟାଳୟର ୩୨ ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ଭାରତ କୋ ଜାନୋ ବରିଷ୍ଠ ଓ କନିଷ୍ଠ ବିଭାଗ କୁଇଜ ପ୍ରତିଯୋଗିତା କରାଯାଇଥିଲା ।
ସନ୍ଧ୍ୟାରେ ସଭାକାର୍ଯ୍ୟ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ହେଇଥିଲା । ଭାରତ ବିକାଶ ପରିଷଦ, ଢେଙ୍କାନାଳ ସଭାପତି ଇଂ.ବାବୁଚାନ୍ଦ ମହାଳିକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ନଗରର ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ମୁଖ୍ୟ ବକ୍ତା ଭାବେ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ଡ଼. ସୌମ୍ୟ ରଞ୍ଜନ ମହାପାତ୍ର, ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ରଥ ଯୋଗଦେଇ ଛାତ୍ର ଛାତ୍ରୀ ତଥା ଉପସ୍ଥିତ ସଂସ୍କୃତି ପ୍ରେମୀ ଶୁଭେଚ୍ଛୁ ମାନଙ୍କ ପାଇଁ କିଛି ସଂସ୍କାର ମୂଳକ କଥା ରଖିଥିଲେ । ପ୍ରାନ୍ତ ସାଧାରଣ ସମ୍ପାଦକ ପ୍ରଦୀପ୍ତ ମହାରଣା ଭାରତ ବିକାଶ ପରିଷଦ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ଶାଖା ସମ୍ପାଦକ ଡ଼. ସମୀର କୁମାର ସାହୁ ବିବରଣୀ ପାଠ କରିଥିଲେ । ଶେଷରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ ସହିତ ସମସ୍ତ ପ୍ରତିଭାଗୀଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା ।
କାର୍ଯ୍ୟକ୍ରମକୁ ଶାଖାର ବରିଷ୍ଠ ସଦସ୍ୟା ଉଷାରାଣୀ ଦାସ ସଞ୍ଚାଳନ କରିଥିଲେ । ଇଂ. ମୋନାଲିସା ମାହୁନ୍ତ ଓ ରାମନାଥ ପାତ୍ରଙ୍କ ଆବାହକତ୍ୱ, ନବଦ୍ୱୀପ ନାୟକ, ବ୍ରଜ କିଶୋର ମହାନ୍ତି, ସ୍ୱାତୀ ନନ୍ଦ, ମାନସ ମହାପାତ୍ର ଓ ଅନିଲ ରାଉତ ତଥା ସଂଗଠନର ସମସ୍ତ କାର୍ଯ୍ୟକର୍ତାଙ୍କ ସହଯୋଗରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ ହେଇଥିଲା । ସର୍ବଶେଷରେ ସାମୁହିକ ଜାତୀୟ ସଙ୍ଗୀତ ଗାନ କରାଯାଇ ସଭାସାଙ୍ଗ ହୋଇଥିଲା ।