ଢେଙ୍କାନାଳ : ସ୍ଥାନୀୟ ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ବାଳ ଙ୍କ ନିର୍ଦ୍ଦେଶନା ଓ ମାର୍ଗଦର୍ଶନରେ ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ସଂସ୍କୃତ ଶିକ୍ଷକ ଦୀପ୍ତିଶ୍ କୁମାର ଶତପଥୀଙ୍କ ମିଳିତ ପ୍ରଚେଷ୍ଟାରେ ସମସ୍ତଙ୍କର ସହଯୋଗରେ କୋଭିଡ୍ -୧୯ ନିୟମ ସବୁକୁ ଅନୁପାଳନ କରି ଦୀର୍ଘ ପନ୍ଦର ଦିନ ବ୍ୟାପୀ ସ୍ୱଚ୍ଛତା ପକ୍ଷ -୨୦୨୨ ନିରାଡ଼ମ୍ବର ଭାବେ ପାଳିତ ହୋଇ ଯାଇଛି।
ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ,ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡ଼ା. ଦେବୀ ପ୍ରସାଦ ମିଶ୍ର ସ୍ୱଚ୍ଛତା ହିଁ ଆଜିର ପ୍ରମୁଖ ଆବଶ୍ୟକତା ଓ ସ୍ୱଚ୍ଛତା ହିଁ ଉତ୍ତମ ସ୍ବାସ୍ଥ୍ୟ ତଥା ନିରୋଗ ଜୀବନଯାପନର ମୂଳମନ୍ତ୍ର ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ।
ସ୍ବଚ୍ଛତା କୁ ନେଇ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତା ଗୁଡିକରେ କୃତୀ ପ୍ରତିଯୋଗୀ ଛାତ୍ରୀ ଛାତ୍ର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବାରୁ ପ୍ରାର୍ଥନା ସଭାରେ ବରିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ପର୍ଯ୍ୟାୟ କ୍ରମେ ପୁରସ୍କୃତ ହୋଇଥିଲେ।
ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ବୃନ୍ଦ, ବିଦ୍ୟାଳୟରେ କୋଭିଡ-୧୯ ନିୟମାବଳୀ ଅନୁପାଳନ କରି ଯୋଗଦାନ କରି ଏହି ସ୍ୱଚ୍ଛତା ପକ୍ଷ -୨୦୨୨ ପାଳନ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ପରିଶେଷରେ ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଉପଲକ୍ଷେ ଦୀର୍ଘ ପନ୍ଦର ଦିନ ବ୍ୟାପୀ ସ୍ୱଚ୍ଛତା ପକ୍ଷ -୨୦୨୨ କାର୍ଯ୍ୟକ୍ରମର ସଫଳ ପାଳନ ଅବସରରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଡା.ଦେବୀ ପ୍ରସାଦ ମିଶ୍ର ପ୍ରାର୍ଥନା ସଭାରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।