ଢେଙ୍କାନାଳ : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ “ଦାନ ଉତ୍ସବ ” ଢେଙ୍କାନାଳର ସଂଯୋଜକ ତଥା ରୋଟାରିଆନ୍ ରାଜକିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଢେଙ୍କାନାଳର ବିଭିନ୍ନ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ, ସ୍କୁଲ୍ ଓ କଲେଜ୍ର ଅଧ୍ୟକ୍ଷ, ସ୍ୱେଚ୍ଛାସେବୀ ସଂଗଠନର ମୁଖ୍ୟ କାର୍ଯ୍ୟକର୍ତା ଓ ଭଲ୍ୟୁଂଟିଅର ଏହି ମାନସ ମନ୍ଥନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି “ଦାନଉତ୍ସବ ”ର ସଫଳ ରୂପାୟନ ଦିଗରେ ନିଜସ୍ୱ ମତାମତ ଉପସ୍ଥାପନ କରିଥିଲେ । ଓଡିଶା ରାଜ୍ୟର ପ୍ରାକ୍ତନ ସୂଚନା ଆୟୁକ୍ତ ଜଗଦାନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରତ୍ୟେକ ମଣିଷ ଭିତରେ ଦାନର ପ୍ରବୃତି ଓ ମୂଳ ଭିତି ଲୁକ୍କାୟିତ ହୋଇ ରହିଥାଏ । ଉପଯୁକ୍ତ ସମୟ ଓ ପରିବେଶରେ ଏହାର ପରିପ୍ରକାଶ ହୁଏ ଓ ପରିବାର, ସମାଜ ଓ ରାଷ୍ଟ୍ରକୁ ପରିବ୍ୟାପ୍ତ ହୋଇଯାଏ । “ଦାନ ଉତ୍ସବ”ରେ ଦାତାଙ୍କୁ ସ୍ୱର୍ଗୀୟ ଆନନ୍ଦ ମିଳିଥାଏ ।
ଢେଙ୍କାନାଳରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ଓ ଏହା ସମଗ୍ର ଓଡିଶା ରାଜ୍ୟ ପାଇଁ ପ୍ରେରଣା ସୃଷ୍ଟି କରିବ ବୋଲି ଆଶାବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗଦାନ କରି, “ଦାନ ଉତ୍ସବ” କେଉଁ ଆବହମାନ କାଳରୁ ଆମ ସମାଜରେ ପ୍ରଚଳିତ ଅଛି । ଲୋକଙ୍କର ଧର୍ମୀୟ ଭାବନା ସହିତ “ଦାନ”କୁ ବିଭିନ୍ନ ପ୍ରକାରେ ଆମ ପୂର୍ବ ପୁରୁଷମାନେ ସାମିଲ୍ କରି ଆତ୍ମ ସନ୍ତୋଷ ଲାଭର ମାଧ୍ୟମ ରୂପେ ବିବେଚନା କରିଆସୁଛନ୍ତି ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡିଶା “ଦାନ ଉତ୍ସବ”ର ସଂଯୋଜକ ବିପିନ ମହାନ୍ତି ଯୋଗଦାନ କରି, ଦାନ ଉତ୍ସବ ଏକ ମହନୀୟ ସଂସ୍କୃତି, ଏହା ଫଳରେ ବ୍ୟକ୍ତିର ସେବା, ସହନଶୀଳତା ଆଦି ଗୁଣାବଳୀର ପରିସ୍ଫୁଟନ ହୁଏ । ଢେଙ୍କାନାଳରେ ଏହାର ସର୍ବ ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ବିଭିନ୍ନ ସ୍ଥାନରେ “ଦାନ ଉତ୍ସବ”ର ସଫଳ ଆୟୋଜନ ସମ୍ବଳିତ ଦୃଶ୍ୟ ଶ୍ରାବ୍ୟ ଉପସ୍ଥାପନା କରିଥିଲେ । ଢେଙ୍କାନାଳ “ଦାନ ଉତ୍ସବ”ର ସଂଯୋଜକ ରାଜକିଶୋର ବେହେରା “ଦାନ ଉତ୍ସବ”କୁ ଢେଙ୍କାନାଳରେ ଏକ ସାର୍ବଜନୀନ ଉତ୍ସବ ରୂପେ ଗଢି ତୋଳିବାକୁ ସମସ୍ତଙ୍କ ସହଯୋଗକାମନା କରିଥିଲେ । ଏହି ନିଆରା ଉତ୍ସବକୁ ଜାତି, ଧର୍ମ, ଉଚ୍ଚନୀଚ୍ଚ, ଧନୀ-ନିର୍ଦ୍ଦନୀ ନିର୍ବିଶେଷରେ ପ୍ରତ୍ୟେକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ପାଳନ ନିମନ୍ତେ ସଂକଳ୍ପ ବଦ୍ଧ ହେବାକୁ ଅନୁରୋଧ କରିଥିଲେ । ପରିଶେଷରେ ମୁଖ୍ୟ ଅତିଥି ଜଗଦାନନ୍ଦଙ୍କୁ ବରିଷ୍ଠ ସଦସ୍ୟ ରଘୁନାଥ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।