ହାତୀପଲ ପଶି ଦିବ୍ୟାଙ୍ଗ ଘର ଉଜାଡ଼ିଲେ : ସହାୟତା ଦେଲେ ରୋଡ଼ ସରପଞ୍ଚ ବିଶ୍ୱଜିତ୍‌ !

ଢେଙ୍କାନାଳ : ଡିହଡୋଳ ବନାଞ୍ଚଳ ସାଆଁନ୍ଦା ବିଟ୍‌ ଅଧୀନ
ନୂଆ ରୋଡ଼ ଗ୍ରାମରେ ହାତୀ ଉପଦ୍ରବ ଅଞ୍ଚଳବାସୀଙ୍କ ନିଦ ହଜାଇଛି ।

ରାତିରେ ଗ୍ରାମରେ ହାତୀପଲ ପଶି ଦିବ୍ୟାଙ୍ଗ ନୃସିଂହ ସାହୁଙ୍କ ଘର ଭାଙ୍ଗିଦେଇଛନ୍ତି। ହାତୀ ଆକ୍ରମଣରୁ ପରିବାରର ସଦସ୍ୟ ବର୍ତି ଯାଇଛନ୍ତି । ହେଲେ ଲଗାଣ ବର୍ଷାରେ ସେମାନେ ଏବେ କେଉଁଠି ମୁଣ୍ଡ ଗୁଞ୍ଜିବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ନୃସିଂହଙ୍କ ସ୍ତ୍ରୀ ଅପତିଙ୍କ କହିବା କଥା, ଦିବ୍ୟାଙ୍ଗ ସ୍ୱାମୀ ଏବଂ ଦୁଇ ଝିଅପୁଅଙ୍କୁ ନେଇ ତାଙ୍କର ପରିବାର। ସ୍ୱାମୀ କାମଦାମ କରିପାରନ୍ତିନାହିଁ। ନିଜେ ମୂଲମଜୁରି ଲାଗଲେ ୪ ପ୍ରାଣୀ କୁଟୁମ୍ବ ଙ୍କ ପେଟକୁ ଦାନା ଯୋଗାଡ଼ ହୁଏ। ରାତିରେ ସମସ୍ତେ ଖାଇପିଇ ଶୋଇବାକୁ ଯାଉଥିବା ବେଳେ ଗ୍ରାମରେ ହାତୀପଲ ପଶି ଆତଙ୍କ ସୃଷ୍ଟି କରିଥିଲେ। ଘର ଭାଙ୍ଗିବା ସହ ଧାନ ଚାଉଳ ସବୁ ମାଟିରେ ମିଶାଇ ଦେଲେ। ଜୀବନ ବିକଳରେ ପରିବାର ସଦସ୍ୟ ବାହାରକୁ ଦୌଡ଼ି ପଳାଇବାରୁ ହାତୀ ମୁହଁରୁ ଅଳ୍ପକେ ବର୍ତି ଯାଇଛନ୍ତି।

ସୂଚନା ପାଇ ବନ କର୍ମଚାରୀ ପହଞ୍ଚି ହାତୀଙ୍କୁ ଘଉଡ଼ାଇ ଥିଲେ। ଏବେ ବର୍ଷା ଲାଗି ରହିଥିବାବେଳେ ଘର ମାଟିରେ ମିଶିଯାଇଛି। ଦିବ୍ୟାଙ୍ଗ ସ୍ୱାମୀ ଏବଂ ଦୁଇ ପିଲାଙ୍କୁନେଇ କେଉଁଠି ରହିବେ ତାହାକୁ ନେଇ ଚିନ୍ତାରେ । ଖବର ପାଇ ରୋଡ଼ ସରପଞ୍ଚ ବିଶ୍ୱଜିତ୍‌ ନାୟକ ପହଞ୍ଚି ମାସକର ରାଶନ, ପଲିଥିନ ଯୋଗାଇ ଦେଇଛନ୍ତି। ସମ୍ପୃକ୍ତ ପରିବାରକୁ ଖୁବ୍‌ଶୀଘ୍ର ଆବାସ ଯୋଜନାରେ ସାମିଲ କରାଯିବ। ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.

five × 1 =