ବି.ବି. ହାଇସ୍କୁଲରେ ସଦରବ୍ଲକସ୍ତରୀୟ ଏକଦିବସୀୟ ମୋ ସ୍କୁଲ ଅଭିଯାନର ମତବିନିମୟ କାର୍ଯ୍ୟକ୍ରମ -୨୦୨୨ ଅନୁଷ୍ଠିତ !

ଢେଙ୍କାନାଳ : ସ୍ଥାନୀୟ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ସଭାଗୃହରେ ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧ (କନିଷ୍ଠ)ଙ୍କ ମାର୍ଗଦର୍ଶନ ରେ କୋଭିଡ଼ -୧୯ ନିୟମ ସବୁକୁ ଅନୁପାଳନ କରି ଢେଙ୍କାନାଳ ସଦରବ୍ଲକସ୍ତରୀୟ ଏକଦିବସୀୟ ମୋ ସ୍କୁଲ ଅଭିଯାନ ଆଲୁମିନି ଆସୋସିଏସନର ସଭାପତି, ସ୍ବେଚ୍ଛାସେବୀ, ପ୍ରଧାନ ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ ମାନଙ୍କର ମତବିନିମୟ କାର୍ଯ୍ୟକ୍ରମ -୨୦୨୨ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶାର ରାଜ୍ୟସ୍ତରୀୟ ମୋ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନର ମୁଖ୍ୟ ପରିଚାଳନା ଅଧିକାରୀ(ଚିଫ ଅପରେଟିଙ୍ଗ ଅଫିସର) ଅମରଜିତ ଜେନା ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରି ସ୍ଵୀୟ ବକ୍ତ୍ୟବ୍ୟରେ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ବିଦ୍ୟାଳୟକୁ ଭଲ ପାଉଥିବା ସମସ୍ତଙ୍କର ସମ୍ମିଳିତ ଉଦ୍ୟମଦ୍ୱାରା ହିଁ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇପାରିବ ବୋଲି ଦୃଢ଼ ମତ ପୋଷଣ କରିଥିଲେ ଓ ସମସ୍ତେ ଏଥିପାଇଁ ଅର୍ଥ ଦାନ, ଦ୍ରବ୍ୟ ଦାନ ଓ ସେବା ପ୍ରଦାନ ପାଇଁ ଆଗେଇ ଆସିବାକୁ ଦୃଢ଼ ଆହ୍ୱାନ ଦେଇଥିଲେ।

ଓଡ଼ିଶା ସରକାର ଦାନ କରାଯାଇଥିବା ଅର୍ଥର ଦୁଇଗୁଣ ଅର୍ଥ ରାଶି ମ୍ୟାଚିଙ୍ଗ ଗ୍ରାଣ୍ଟ ହିସାବରେ ପ୍ରଦାନ କରୁଥିବାରୁ ଏହି ତିନିଗୁଣ ଅର୍ଥରାଶି ଦ୍ୱାରା ବିଦ୍ୟାଳୟର ଆବଶ୍ୟକତା ଅନୁସାରେ ଅନେକ ପ୍ରସ୍ତାବିତ ପ୍ରକଳ୍ପ କରିହେବ।ଓଡ଼ିଶାର ରାଜ୍ୟସ୍ତରୀୟ ମୋ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନର ପ୍ରକଳ୍ପ କାର୍ଯ୍ୟକ୍ରମ ପରିଚାଳନା ଅଧିକାରୀ (ପ୍ରୋଗ୍ରାମ ମ୍ୟାନେଜର) ଶୁଭା ପାଲିତ, ଆଞ୍ଚଳିକ ପ୍ରକଳ୍ପ କାର୍ଯ୍ୟକ୍ରମ ସଂଚାଳନ ଅଧିକାରୀ(ଜୋନାଲ ପ୍ରୋଜେକ୍ଟ ମନିଟରିଂ ଅଫିସର) ମୟିତ୍ରୀ ବାବୁ ଓ ପତଙ୍ଗ ଅନୁଷ୍ଠାନର ପ୍ରଶିକ୍ଷିକା ରାମେଶ୍ୱରୀ ଗୁରୁ,ଢେଙ୍କାନାଳ ସଦର ବ୍ଲକ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ ଓ ମୋ ସ୍କୁଲ ଅଭିଯାନ ଢେଙ୍କାନାଳ ଜିଲ୍ଲା କ୍ୟାମ୍ପେନ ଟିମର ଦଳମୁଖ୍ୟ ଡ଼ା. ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ କହିଥିଲେ ଯେ ବଦଳିଛି ବିଦ୍ୟାଳୟର ଚେହେରା। ଶିକ୍ଷାୟତନର ପରିସରରେ ଦେଖାଦେବାରେ ଲାଗିଛି ରୂପାନ୍ତରଣର ଅପୁର୍ବ ଝଲକ।

ସବୁଠୁ ବଡ଼ କଥା ହେଲା ଛାତ୍ରଛାତ୍ରୀ ପାଇବେ ଯୁଗପଯୋଗୀ ଓ ଆଧୁନିକ ଶିକ୍ଷା। ଯେକୌଣସି ବ୍ୟୟବହୁଳ ଘରୋଇ ଅଥବା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପରିବେଶ ଠାରୁ କୌଣସି ଗୁଣରେ କମ୍ ରହିବନି ସରକାରୀ ହାଇସ୍କୁଲ କ୍ୟାମ୍ପସ୍। ବିଦ୍ୟାଳୟର ପରିବେଶ ଏମିତି ସଜାଡ଼ି ହେବାରେ ଲାଗିଛି ଯେ ଛାତ୍ରଛାତ୍ରୀଙ୍କୁ ଏହା ଶିକ୍ଷା ନିମନ୍ତେ ଆକୃଷ୍ଟ କରୁଛି।

ନିଶ୍ଚିତ ଭାବେ ଏହା ଦ୍ବାରା ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ବେଶ୍ ମାତ୍ରାରେ ହ୍ରାସ ପାଇବ। କେବଳ ଶ୍ରେଣୀ ବହି ପଢ଼ା ନୁହେଁ, ପୋଥିଗତ ବିଦ୍ୟା ବାଦେ ଯୁଗପଯୋଗୀ ଜ୍ଞାନ ଆହରଣ ପାଇଁ ଉନ୍ନତ ଗ୍ରନ୍ଥାଗାର ସାଙ୍ଗକୁ ଡିଜିଟାଲ ଲାଇବ୍ରେରୀ ଓ ଲାଇବ୍ରେରୀ ଷ୍ଟକ ଗୃହ, ଡିଜିଟାଲ କ୍ଲାସ୍ ରୁମରେ ଶିକ୍ଷା ଗ୍ରହଣ କରିବା ସୁଯୋଗ ପାଇଛନ୍ତି ବିଦ୍ୟାର୍ଥୀ। ଏଥିସହ କ୍ରୀଡ଼ା, କମ୍ପ୍ୟୁଟର ଶିକ୍ଷା, ଉନ୍ନତମାନର ବୈଜ୍ଞାନିକ ପରୀକ୍ଷାଗାର (ସାଇନ୍ସ ଲ୍ୟାବ୍),ବିଜ୍ଞାନ ଷ୍ଟୋର,ବିଜ୍ଞାନ ଗ୍ୟାଲେରୀ,ଅଟଳ ଟିଙ୍କରିଂ ଲ୍ୟାବ,ଆଇ.ସି.ଟି. ଲ୍ୟାବରସୁବିଧା ସେମାନଙ୍କୁ ମିଳିପାରିଛି। ବିଶୁଦ୍ଧ ପାନୀୟ ଜଳ ହେଉ କିମ୍ବା ସ୍ଵଚ୍ଛ ଶୌଚାଳୟ, ଚକମକିଆ ଓ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଶିକ୍ଷଣୀୟ ବିଦ୍ୟାଳୟର ଶ୍ରେଣୀ କକ୍ଷରୁ ଆରମ୍ଭ କରି ସବୁଜ ବଗିଚା, ୱାଟର ଫାଉଣ୍ଟେନ, ବାଜିରାଉତ ପାର୍କ,ନ୍ୟୁଟ୍ରିସନ ବଗିଚା, ଔଷଧୀୟ ବଗିଚା,ମୁକ୍ତ ବନବିଦ୍ୟାଳୟର ପ୍ରାକୃତିକ ପରିବେଶ, ରଙ୍ଗୀନ ପାଚେରୀରେ ଝଲସୁଛି କ୍ୟାମ୍ପସ୍ ଓ ସମଗ୍ର ବିଦ୍ୟାଳୟ ପରିବେଶ ପାଲଟିଛି ଜ୍ଞାନର ଗନ୍ତାଘର।

ଏଥିପାଇଁ ଛାତ୍ରଛାତ୍ରୀ କିମ୍ବା ଅଭିଭାବକଙ୍କୁ କୌଣସି ଅତିରିକ୍ତ ବ୍ୟୟ ଦେବାକୁ ହୋଇନି। ସରକାର ନିଜସ୍ବ ଅନୁଦାନରେ ଶିକ୍ଷାନୁଷ୍ଠାନରେ ଆଣିଛନ୍ତି ଏଭଳି ଆଖିଦୃଶିଆ ପରିବର୍ତ୍ତନ। ଉଲ୍ଲେଖନୀୟ ଭାବେ ଏଥିରେ କେବଳ ସରକାର ଅଂଶୀଦାର ହୋଇ ନାହାନ୍ତି, ବରଂ ଗୋଷ୍ଠୀଗତ ଅଂଶଗ୍ରହଣ ଯଥା ସ୍କୁଲ ପରିଚାଳନା କମିଟି, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ଗ୍ରାମ୍ୟ ବା ସ୍ଥାନୀୟ ଉନ୍ନୟନ କମିଟି ଓ ଜନପ୍ରତିନିଧି ମଧ୍ୟ ବିକାଶର ଏହି ପ୍ରକ୍ରିୟାରେ ଭାଗିଦାରୀ ହୋଇଛନ୍ତି।

ରାଜ୍ୟ- ଦେଶ ତଥା ଜାତିର ଭବିଷ୍ୟତକୁ ଏବେ ଠାରୁ ସ୍ମାର୍ଟ ବିଦ୍ୟାର୍ଥୀ ଭାବେ ଗଢ଼ି ତୋଳିବା ପାଇଁ ଏଭଳି କିଛି ପଦକ୍ଷେପ ରାଜ୍ୟ ସରକାର “୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍” ତଥା ‘’ମୋ ସ୍କୁଲ ଅଭିଯାନ” ଜରିଆରେ ଗ୍ରହଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଓଡ଼ିଶାର ହାଇସ୍କୁଲ ଶିକ୍ଷା କ୍ଷେତ୍ର ଚଳିତ ବର୍ଷ ଏଭଳି କିଛି ଐତିହାସିକ ରୂପାନ୍ତରଣର ସାକ୍ଷୀ ହୋଇଛି। ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ ଏହାର ଏକ ଜ୍ୱଳନ୍ତ ଉଦାହରଣ ରୂପେ ଉଭା ହୋଇଛି।

ଏହି ବିଦ୍ୟାଳୟର ରୂପାନ୍ତରଣସବୁକୁ ବୁଲିଦେଖି ସମସ୍ତ ରାଜ୍ୟସ୍ତରୀୟ ଅଧିକାରୀବୃନ୍ଦ ଆଶ୍ଚର୍ଯ୍ୟ ଅଭିଭୂତ ହେବା ସଂଗେ ସଂଗେ ଗଭୀର ଆନନ୍ଦ ପ୍ରକାଶ କରିଥିଲେ। ଫୋଟୋଗ୍ରାଫି, ସିନେମାଟୋଗ୍ରାଫି କ୍ଷେତ୍ରରେ ଅନ୍ୟତମ ରାଜ୍ୟ ଜାତୀୟ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଯୁବ ପରିବେଶପ୍ରେମୀ ତଥା ଏହି ଶତାୟୁ ଅନୁଷ୍ଠାନର ପ୍ରାକ୍ତନ ଛାତ୍ର ଶୁଭ୍ରାଂଶୁ ଶତପଥୀ ଅନ୍ୟତମ ପ୍ରତିନିଧି ଭାବରେ ଯୋଗଦାନ କରି ନିଜକୁ ବିଦ୍ୟାଳୟ, ଜିଲ୍ଳା ଓ ରାଜ୍ୟସ୍ତରରେ ମୋ ସ୍କୁଲ କାର୍ଯ୍ୟକ୍ରମ ସବୁରେ ପରିବେଶ ସୁରକ୍ଷା, ଫଟୋଗ୍ରାଫି ଓ ଭିଡ଼ିଓ ଗ୍ରାଫି, ଚଳଚିତ୍ର ପ୍ରସ୍ତୁତି ଆଦି କ୍ଷେତ୍ରରେ ନିଜକୁ ସମର୍ପିତ ଭାବରେ ନିୟୋଜିତ କରିବାକୁ ଦୃଢ଼ ପ୍ରତିଶ୍ରୁତି ଦେବା ସଙ୍ଗେ ସଙ୍ଗେ ମୂଖ୍ୟ ଅତିଥିଙ୍କୁ ଏକ ମାଟି ପାତ୍ର ପ୍ରଦାନ କରି ସମସ୍ତେ ଏହିପରି ପାତ୍ରରେ ଜଳରଖି ବର୍ଷ ସାରା ପଶୁପକ୍ଷୀ ମାନଙ୍କର ଜୀବନ ରକ୍ଷା କରିବାକୁ ସୁପରାମର୍ଶ ପ୍ରଦାନ କରିଥିଲେ।

ତାଙ୍କ ଦ୍ୱାରା ପ୍ରସ୍ତୁତ କେତୋଟି କ୍ଷୁଦ୍ର ଭିଡ଼ିଓ/ଚଳଚିତ୍ର ମଧ୍ୟ ସ୍ମାର୍ଟ ଶ୍ରେଣୀଗୃହରେ ଇଣ୍ଟର ଆକ୍ଟିଭ ପ୍ୟାନେଲ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା।ଏହା ସମସ୍ତଙ୍କ ଦ୍ୱାରା ବେଶ ଉପଭୋଗ୍ୟ ହୋଇପାରିଥିଲା।ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସଦର ବ୍ଲକ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତଙ୍କ ଅବାହକତ୍ଵ ରେ ବିଭିନ୍ନ ବିଦ୍ୟାଳୟସବୁର ପ୍ରାୟ ୫୨ ଜଣ ପ୍ରତିନିଧି ଉପସ୍ଥିତ ହୋଇ ମତବିନିମୟରେ ସକ୍ରିୟ ଅଂଶଗ୍ରହଣ କରିଥିବାରୁ ସେ ସମସ୍ତଙ୍କୁ ସ୍ୱାଗତ କରି ସ୍ଵୀୟ ବକ୍ତବ୍ୟରେ ଏହି ବ୍ଲକରେ ମୋ ସ୍କୁଲ ଅଭିଯାନର ଅଗ୍ରଗତି ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ପାରିଛି ବୋଲି ଦୃଢ଼ ମତ ପୋଷଣ କରିଥିଲେ।

ମୋ ସ୍କୁଲ ଅଭିଯାନର ଅଭୂତପୂର୍ବ ସଫଳତା ହାସଲପାଇଁ ଉପସ୍ଥିତ ସମସ୍ତଙ୍କର ସୁଚିନ୍ତିତ ମତାମତ,ସୁବିଧା ଅସୁବିଧାଓ ସୁପରାମର୍ଶ ସବୁକୁ ଲିପିବଦ୍ଧ କରଯାଇ ଭବିଷ୍ୟତରେ କାର୍ଯ୍ୟକାରୀ କରିବାକୁ ସଭାରେ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରର ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ,ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ତଥା ମୋ ସ୍କୁଲ ଅଭିଯାନ ଢେଙ୍କାନାଳ ଜିଲ୍ଲା କ୍ୟାମ୍ପେନ ଟିମର ଦଳମୁଖ୍ୟ ଡ଼ା. ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ, ଅତିଥି ଓ ପ୍ରଶିକ୍ଷିକା ମାନଙ୍କର ପରିଚୟ ପ୍ରଦାନ, କାର୍ଯ୍ୟକ୍ରମ ପରିଚାଳନା ଓ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

twenty − seventeen =