ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ନୂତନ ରେଳ ଚଳାଚଳ ସହ ସଂପ୍ରସାରଣ ଦାବୀ !

ଢେଙ୍କାନାଳ : ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ଅନ୍ତର୍ଭୁକ୍ତ ତାଳଚେର-ଅନୁଗୁଳ ଶିଳ୍ପାଞ୍ଚଳ ବହୁ କେନ୍ଦ୍ରୀୟ ଓ ଘରୋଇ ବୃହତ ଶିଳ୍ପକୁ ନେଇ ସମୃଦ୍ଧ ।

କିନ୍ତୁ ଏହି ଅଞ୍ଚଳ ଆଧୁନିକ ରେଳ ସେବାରୁ ବଞ୍ଚିତ ହେଉଥିବାରୁ ଢେଙ୍କାନାଳ ସାଂସଦ ମହେଶ ସାହୁ ଏହାର ପ୍ରତିକାର ଲୋଡି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ସଂପ୍ରତି ଅନୁଗୁଳ- ତାଳଚେର ଶିଳ୍ପାଞ୍ଚଳରେ ନାଲ୍‌କୋ, ଏନ୍‌ଟିପିସି, ଜିନ୍ଦଲ୍ ଓ ଟାଟା ଷ୍ଟିଲ୍‌, ଜି.ଏମ୍‌.ଆର୍‌. କମଳାଙ୍କ ତାପଜ ବିଦ୍ୟୁତ୍ କେନ୍ଦ୍ର, ସାରକାରଖାନା, ଭାରିଜଳ ପ୍ରକଳ୍ପ ଓ ମହାନଦୀ କୋଲ୍ ଫିଲ୍ଡ ଅନ୍ତର୍ଭୁକ୍ତ ଏକାଧିକ କୋଇଲାଖଣି ପ୍ରକଳ୍ପ କାର୍ଯ୍ୟକ୍ଷମ ରହିଥିବାବେଳେ ବର୍ଦ୍ଧିତ ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ରେଳ ଚଳାଚଳର ସୁବିଧା ପାଇଁ ସାଂସଦ ଶ୍ରୀ ସାହୁ ରେଳ ମନ୍ତ୍ରୀଙ୍କ ଠାରେ ଦାବୀ କରିଛନ୍ତି ।

ପୂର୍ବାଞ୍ଚଳ ରାଜଧାନୀ କୋଲକତା ସହର ସହ ସିଧାସଳଖ ସଂଯୋଗୀକରଣ ପାଇଁ ସପ୍ତାହକୁ ଥରେ ସମ୍ବଲପୁରରୁ ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଦେଇ ଚାଲୁଥିବା ସମ୍ବଲପୁର-ହାଓଡା ଏକ୍ସପ୍ରେସ୍‌କୁ ନିୟମିତ କରାଗଲେ ଲକ୍ଷ ଲକ୍ଷ ରେଳଯାତ୍ରୀ ଉପକୃତ ହେବେ । ପ୍ରତ୍ୟହ ସର୍ବାଧିକ କୋଇଲା ଟ୍ରେନ୍ ତାଳଚେରରୁ ପାରାଦ୍ୱୀପ ଯାଉଥିବାବେଳେ ଅନୁଗୁଳ-ତାଳଚେରରୁ କଟକ ଦେଇ ପାରାଦ୍ୱୀପ ବନ୍ଦରକୁ ଗୋଟିଏ ବି ଯାତ୍ରୀବାହୀ ରେଳ ଚଳାଚଳ କରୁନଥିବା ଦୁଃଖଦାୟକ ବୋଲି ଶ୍ରୀ ସାହୁ କହିଛନ୍ତି ।

ମାନ୍ୟବର ମନ୍ତ୍ରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବୀ କରିଛନ୍ତି । ସେହିପରି ସମ୍ବଲପୁର-ଶାଲିମାର ଟ୍ରେନ୍ ନଂ-୨୨୮୦୩/୮୦୪କୁ ସାପ୍ତାହିକ ପରିବର୍ତେ ସପ୍ତାହକୁ ତିନିଦିନ ଚାଲିବା, ଟ୍ରେନ୍ ନଂ-୨୦୮୦୭/୮୦୮ ବିଶାଖାପାଟଣା- ଅମୃତସର ଏକ୍ସପ୍ରେସ୍‌କୁ ସପ୍ତାହରେ ତିନିଦିନ ପରିବର୍ତେ ପ୍ରତିଦିନ ଚଳାଚଳର ସୁବିଧା କରାଯିବା, ଟ୍ରେନ୍ ନଂ-୧୨୮୭୯/୮୮୦ ଭୁବନେଶ୍ୱର-ଲୋକମାନ୍ୟ ତିଳକ ଟର୍ମିନସ୍ ମୁମ୍ବାଇ ସପ୍ତାହକୁ ଦଇଥର ପରିବର୍ତେ ପ୍ରତ୍ୟହ ଚଳାଚଳ କରିବା ଏବଂ ସପ୍ତାହକୁ ଥରେ ଚାଲୁଥିବା ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍‌କୁ ସପ୍ତାହକୁ ତିନିଦିନ ଚଳାଯିବା ପାଇଁ ସାଂସଦ ଶ୍ରୀ ସାହୁ ଦାବୀ କରିଛନ୍ତି ।

ଟ୍ରେନ୍ ନଂ-୧୨୮୪୫/୮୪୬ ଭୁବନେଶ୍ୱର-ବେଙ୍ଗାଲୁର୍ ସାପ୍ତାହିକ ଏକ୍ସପ୍ରେସ୍‌କୁ ତିନିଦିନ ଚଳାଚଳ ପାଇଁ ମଧ୍ୟ ସାଂସଦ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି । ଅନୁଗୁଳ ଠାରେ ପଶ୍ଚିମ ଓଡିଶା ଓ ପୂର୍ବ ଉପକୂଳ ଓଡିଶା ମଧ୍ୟରେ ଏକ ପାସେଞ୍ଜର୍ ଟ୍ରେନ୍ ଟର୍ମିନାଲ୍‌ରେ ପରିଣତ କରିବାକୁ ଦୃଢ ଦାବୀ ରଖିଛନ୍ତି । ସମ୍ବଲପୁର, ଦେବଗଡ, ସୋନପୁର, ବୌଦ୍ଧ୍ ଓ କନ୍ଧମାଳ ଜିଲ୍ଲାବାସୀଙ୍କ ସୁବିଧା ପାଇଁ ୫ଟି ଟ୍ରେନ୍‌ର ସଂପ୍ରସାରଣ ଭୁବନେଶ୍ୱରରୁ ଅନୁଗୁଳଯାଏ କରିବାକୁ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ସେଗୁଡିକ ହେଲା ଟ୍ରେନ୍ ନଂ-୧୨୮୨୯/୮୩୦ ଭୁବନେଶ୍ୱର-ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍‌, ଟ୍ରେନ୍ ନଂ- ୧୨୮୯୭ / ୮୯୮ ଭୁବନେଶ୍ୱର-ପୁଡୁଚେରୀ ଏକ୍ସପ୍ରେସ୍‌, ଟ୍ରେନ୍ ନଂ-୨୦୮୯୫/୮୯୬ ଭୁବନେଶ୍ୱର-ରାମେଶ୍ୱରମ୍ ଏକ୍ସପ୍ରେସ୍ ଓ ୧୭୦୧୫/୦୧୬ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍ । ଏହି ସାକ୍ଷାତକାର ସମୟରେ ମନ୍ତ୍ରୀ ପ୍ରକାଶ କରିଥିଲେ ଯେ, ଅନୁଗୁଳ-ଢେଙ୍କାନାଳ ରେଳ ରାସ୍ତା ସଂପର୍କରେ ସେ ସଂପୂର୍ଣ୍ଣ ଭାବେ ଅବଗତ ଅଛନ୍ତି ଏବଂ ରେଳବାଇ ଟ୍ରାଫିକ୍ ସର୍ଭେ ଓ ଆନୁସଙ୍ଗିକ ବିଭାଗୀୟ ସମୀକ୍ଷା ପରେ ଅନୁଗୁଳରୁ ଢେଙ୍କାନାଳ ଦେଇ ସାଂସଦଙ୍କ ଦ୍ୱାରା ପୂର୍ବରୁ ଦିଆଯାଇଥିବା ପ୍ରସ୍ତାବିତ ଚେନ୍ନାଇ ଏକ୍ସପ୍ରେସ୍ ଚଳାଚଳ ସଂପର୍କରେ ଶୀଘ୍ର ନିଷ୍ପତି ନିଆଯିବ ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କ ଏହି ଆଲୋଚନା ସମୟରେ ସାଂସଦଙ୍କ ବ୍ୟକ୍ତିଗତ ସଚିବ ପଣ୍ଡିତ୍ ମାତୃପ୍ରସାଦ ମିଶ୍ର ଉପସ୍ଥିତ ରହି ସୂଚନା ଦେଇଥିଲେ ।

Leave A Reply

Your email address will not be published.

9 − six =