ଉଦ୍ୟୋଗୀ ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ !

ଢେଙ୍କାନାଳ : ଜିଲ୍ଲା ନିୟୋଜନ କାର୍ଯ୍ୟାଳୟସ୍ଥିତ ସଭାଗୃହଠାରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ରାଷ୍ଟ୍ରୀୟ ଉଦ୍ୟମିତା ଓ ଲଘୁ ବ୍ୟବସାୟ ବିକାଶ ସଂସ୍ଥାନ ପକ୍ଷରୁ ଏକ ଉଦ୍ୟୋଗୀ ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି ।

ଭାରତ ସରକାରଙ୍କ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ, ନୂଆଦିଲ୍ଲୀଙ୍କ “ସଂକଳ୍ପ ” ଯୋଜନା ଅନ୍ତର୍ଗତ ଏହି ୧୫ଦିନିଆ ନିଃଶୁଳ୍କ ତାଲିମ୍ କାର୍ଯ୍ୟକ୍ରମରେ ୫୦ଜଣ ଯୁବକଯୁବତୀ ଅଂଶଗ୍ରହଣ କରିଛନ୍ତି । ଢେଙ୍କାନାଳ ଆଂଚଳିକ ଶିଳ୍ପ ତାଲିମ୍ କେନ୍ଦ୍ରର ସାଧାରଣ ପରିଚାଳକ ପ୍ରଭାକର ରାଓ ପ୍ରଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ ।
ଅଣ ଓଡିଶାର ଯୁବପିଢୀ “ସାଂପ୍ରତିକ ପ୍ରତିଯୋଗିତା ମୂଳକ ଆର୍ଥିକ ବ୍ୟବସ୍ଥାରେ ଚାକିରୀ ପଛରେ ନଗୋଡାଇ, ନିଜକୁ ଆର୍ଥିକ ସ୍ୱାବଲମ୍ବନକ୍ଷମ କରିବା ସହ, ଗୁଜୁରାଟ ରାଜ୍ୟ ମଡେଲ୍ ଅନୁକରଣ କରି ନିଜର ସ୍ୱରୋଜଗାର ପନ୍ଥା ନିର୍ଦ୍ଧାରଣ କରିବା ଅପରିହାର୍ଯ୍ୟ ” ବୋଲି ପରାମର୍ଶ ଦେଇଥିଲେ । ଏହି ପ୍ରଶିକ୍ଷଣ ଅବଧିକାଳରେ ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ଜଣେ ଜଣେ ସଫଳ ଉଦ୍ୟୋଗୀ ଭାବେ ଗଢି ତୋଳିବାକୁ, ସବୁ ପ୍ରକାର ଆନୁଷ୍ଠାନିକ ସହଯୋଗ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।

ଜିଲ୍ଲା ନିୟୋଜନ ଅଧିକାରୀ ଆଶିଷ କୁମାର ବସନ୍ତିଆ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି, ସମସ୍ତ ପ୍ରଶିକ୍ଷାର୍ଥିଙ୍କର ଉଦ୍ୟୋଗ ରେଜିଷ୍ଟ୍ରେସନ୍‌, ନିର୍ଦ୍ଦିଷ୍ଟ ବ୍ୟବସାୟ ପାଇଁ ଭିନ୍ନ ଭିନ୍ନ ପ୍ରକଳ୍ପ ବିବରଣୀ ପ୍ରସ୍ତୁତି, ବ୍ୟବସାୟରେ ବାର୍ଷିକ ଲାଭକ୍ଷତିର ହିସାବ ରକ୍ଷଣ, ଦ୍ରବ୍ୟ ଓ ସେବାକର, କଂଚାମାଲ୍ କ୍ରୟ ଓ ଉତ୍ପାଦ ସାମଗ୍ରୀର ବିପଣନ ସୁବିଧା, ବ୍ୟାଙ୍କ୍‌ରୁ ଋଣ ସୁବିଧା, ଋଣ ବିନିଯୋଗ ଓ ପରିଶୋଧ ଇତ୍ୟାଦି ସମସ୍ତ ବ୍ୟବସାୟ ପରିଚାଳନାଗତ କୌଶଳ ଶିକ୍ଷା ପାଇଁ ଏହି ପ୍ରଶିକ୍ଷଣ ଅତ୍ୟନ୍ତ  ଉପାଦେୟ ବୋଲି ସୂଚନା ଦେଇଥିଲେ ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ଉଦ୍ୟମିତା ଓ ଲଘୁ ବ୍ୟବସାୟ ବିକାଶ ସଂସ୍ଥାନ, ଓଡିଶା ରାଜ୍ୟ ନିର୍ଦ୍ଦେଶକ ମନୋରଞ୍ଜନ ଦାସ ଆଭାସୀ ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ, ସଫଳତାର ସହିତ ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳର ଯୁବକଯୁବତୀମାନେ ଉତୀର୍ଣ୍ଣ ହୋଇ ସ୍ୱରୋଜଗାରକ୍ଷମ ହେବାକୁ ପରାମର୍ଶ ଦେଇଥିଲେ ।

ରାଷ୍ଟ୍ରୀୟ ଉଦ୍ୟମିତା ଓ ଲଘୁ ବ୍ୟବସାୟ ବିକାଶ ସଂସ୍ଥାନର ପୂର୍ବାଂଚଳ ଜୋନ୍‌ର ସଂଯୋଜକ ନମିତା ଦାସ ଭାରତ ସରକାରଙ୍କ “ଆତ୍ମ ନିର୍ଭର ଭାରତ” ଅନ୍ତର୍ଗତ ଯୁବକ ଯୁବତୀମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ଓ ଏହାର ସଦୁପଯୋଗ କରିବା ଅପରିହାର୍ଯ୍ୟ ବୋଲି ଆଶା ବ୍ୟକ୍ତ କରିଥିଲେ । ପ୍ରଶିକ୍ଷକ ତଥା ନିଓ କମ୍ପ୍ୟୁଟର ଏକାଡେମୀର ନିର୍ଦ୍ଦେଶକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଶିକ୍ଷକ ରାଜ କିଶୋର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.

2 × 3 =