ଜାତୀୟ ବିଜ୍ଞାନ ନାଟକ ମହୋତ୍ସବରେ ହାଟ୍ରିକ୍ କରିଥିବା ୩ଟି ନାଟକର ସଙ୍କଳନ- ମହାମହିମ ରାଜ୍ୟପାଳଙ୍କ ଦ୍ୱାରା “ସୃଷ୍ଟି” ଲୋକାର୍ପିତ !
ଢେଙ୍କାନାଳ :ଭୁବନେଶ୍ୱର ରାଜଭବନ ପରିସରରେ ଗୁରୁବାର ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ଙ୍କ ଦ୍ୱାରା ବିଜ୍ଞାନ ନାଟକ ସଙ୍କଳନ “ସୃଷ୍ଟି” ଲୋକାର୍ପିତ ହୋଇଯାଇଛି ।
ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନିଜର ନାଟ୍ୟ ଦକ୍ଷତା ପ୍ରତିପାଦିତ କରିଥିବା ନାଟ୍ୟକାର ତଥା ନିର୍ଦ୍ଦେଶକ ଦିନେଶ ଦାସଙ୍କ ଦ୍ୱାରା ରଚିତ ତିନୋଟି ବିଜ୍ଞାନ ନାଟକ ଏହି ସଙ୍କଳନ “ସୃଷ୍ଟି” ରେ ସ୍ଥାନିତ ହୋଇଛି । ୨୦୧୭-୧୮ରେ “ଚଷମା”, ୨୦୧୮-୧୯ରେ “ହୋପ୍” ଓ ୨୦୧୯-୨୦ରେ “ସୃଷ୍ଟି” ନାଟକ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡ କାନପୁରା ଗ୍ରାମରେ ଥିବା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ପରିବେଷିତ ହୋଇ ଜିଲ୍ଲା, ରାଜ୍ୟ ଜୋନ୍, ରାଜ୍ୟ ଓ ପୂର୍ବ ଭାରତ ପ୍ରତିଯୋଗିତାରେ ଲଗାତାର ଭାବରେ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରି ଜାତୀୟ ବିଜ୍ଞାନ ନାଟକ ମହୋତ୍ସବରେ ଯଥାକ୍ରମେ ମୁମ୍ବାଇ, ଦିଲ୍ଲୀ ଏବଂ କୋଲ୍କାତାରେ ପରିବେଷିତ ହୋଇଥିଲା ।
ନାଟ୍ୟକାର ତଥା ନିର୍ଦ୍ଦେଶକ ଦିନେଶ ଦାସଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ଉକ୍ତ ନାଟକ ଗୁଡିକ ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଜାତୀୟ ବିଜ୍ଞାନ ନାଟକ ମହୋତ୍ସବରେ ହାଟ୍ରିକ ଅର୍ଜନ କରିବା ସହିତ ଜାତୀୟ ସ୍ତରରେ ଓଡିଆ ନାଟକର ଉତ୍କର୍ଷତାକୁ ପ୍ରତିପାଦିତ କରିଥିଲା । ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ତଥା ମହାମହିମ ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ରକ୍ଷକ ନାୟକ, ସୁ-ସାହିତ୍ୟିକ ଶଙ୍କର ପରିଡା, ଅଲ୍ଟର୍ନେଟିଭ୍ ରିଦମ ଥିଏଟର୍ର ଅଧ୍ୟକ୍ଷା ତଥା ଅଧ୍ୟାପିକା ଡଃ ପୁଷ୍ପଲତା ରଥ, ପଂଚାୟତରାଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ମହାମହିମ ରାଜ୍ୟପାଳ ବିଜ୍ଞାନ ନାଟକ ସଙ୍କଳନର ସଫଳତା କାମନା କରିବା ସହିତ ବିଜ୍ଞାନ ନାଟକ ରଚନା କ୍ଷେତ୍ରରେ ଦକ୍ଷତା ପ୍ରତିପାଦିତ କରିଥିବା ନାଟ୍ୟକାର ଦିନେଶ ଦାସଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ପୁସ୍ତକଟି କଟକର ବିଜୟିନୀ ପବ୍ଲିକେଶନ୍ସ ଦ୍ୱାରା ପ୍ରକାଶିତ ହୋଇଥିବା ବେଳେ ସମରେନ୍ଦ୍ର ନାୟକ ଏହାର ପ୍ରଚ୍ଛଦ ରଚନା କରିଛନ୍ତି ।