ଢ଼େଙ୍କାନାଳ : ସହର ଉପକଣ୍ଠ ଦେଇ ଯାଇଥବା ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେବାରେ ଲାଗିଛି।
ଏହି ବ୍ୟସ୍ତବହୁଳ ଜାତୀୟ ରାଜପଥ ମରଣଯନ୍ତା ପାଲଟିଥିବା ବେଳେ ଏହାକୁ ନେଇ ଜନ ଅସେନ୍ତାଷ ତୀବ୍ର ହେବାର ଲାଗିଛି। ଏହାର ପ୍ରତିବାଦରେ ଜିଲ୍ଲା ଓକିଲ ସଂଘ ଆହ୍ୱାନରେ ଆସନ୍ତା ୨୨ ତାରିଖ (ଶୁକ୍ରବାର) ଢେଙ୍କାନାଳରେ ଶାନ୍ତିପୂର୍ଣ୍ଣ ଭାବେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବ।
ଜାତୀୟ ରାଜପଥ ପ୍ରାଧିକରଣ (ଏନ.ଏଚ.ଏଆ.ଇ. ) କତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ବିରୋଧରେ ବିଭାଗୀୟ କାର୍ଯ୍ୟାଳୟ ଘେରାଉ କରାଯିବ। ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଶ୍ୟାମାଚରଣପୁର ଠାରେ ପାସେଞ୍ଜର ରେଳରୋକୋ କରାଯିବ। ସେହିପରି କଲେଜ ବାଇପାସ, କୋରିଆଁ ବାଇପାସ୍ଏବଂ ଭାପୁର ଠାରେ ପୁରୁଣା କଟକ-ସମ୍ବଲପୁର ରାସ୍ତା ଅବରୋଧ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ବନ୍ଦ ପାଳନ ବେଳେ ଅତ୍ୟାବଶ୍ୟକ ଏବଂ ଜରୁରୀ ସେବା ଯେପରି ପ୍ରଭାବିତ ନ ହୁଏ, ସେଥପ୍ରତି ଧ୍ୟାନ ଦିଆଯିବ। ହିଂସାତ୍ମକ କାର୍ଯ୍ୟ ଠାରୁ ଦୂରରେ ରହି ଦଳଗତ ନିର୍ବିଶେଷରେ ଏହାକୁ ସମର୍ଥନ ଜଣାଇବାକୁ ନିବେଦନ କରାଯାଇଛି।
ପ୍ରସ୍ତାବିତ ଢେଙ୍କାନାଳ ବନ୍ଦକୁ ସଫଳ କରିବାକୁ ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ସୂଚନା ମୁତାବକ ଜୁନ ୧୫ ରୁ ଜୁନ ୩୦ ମଧ୍ୟରେ ୫୫ନଂ .ଜାତୀୟ ରାଜପଥର ଗୋଟିଏ ପାର୍ଶ୍ବ କାମ ଶେଷ ବାକୁ ଏନ.ଏଚ.ଏଆ.ଇ. ର ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ଜୁଲାଇ ଶେଷ ହେବାକୁ ବସିଥିବା ବେଳେ ଏହି କାର୍ଯ୍ୟ ହୋଇପାରିନାହିଁ।
ଏହାର ପ୍ରତିବାଦରେ ଆସନ୍ତା ୨୨ ତାରିଖରେ ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ ହେବ। ଦକ୍ଷିଣକାଳୀ ରୋଡ୍ସ୍ଥିତ ଏନ.ଏଚ.ଏଆ.ଇ. ର ଆଞ୍ଚଳିକ କାର୍ଯ୍ୟାଳୟରେ ତାଲା ପକାଯିବ। ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ। ଏନଏଚ ଏଆଇ କତ୍ତୃପକ୍ଷ ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ କାର୍ଯ୍ୟାଳୟ ଖୋଲିବାକୁ ଦିଆଯବନାହିଁ।
ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନାତ୍ମକ ପନ୍ଥା ହାତକୁ ନିଆଯିବ ବୋଲି ସଭାପତି ସୂଚନା ଦେଇଛନ୍ତି। ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହେବ। ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ। ରୋଗୀସେବା ଜାରି ରହିବ। କ୍ଷୀର ବିକ୍ରି, ଔଷଧ ଦୋକାନ ଖୋଲା ରହିବ। ତେବେ ସ୍କୁଲ, କଲେଜ, ବ୍ୟସାୟିକ ପ୍ରତିଷ୍ଠାନ , ଯାନବାହନ ଚଳାଚଳ ବନ୍ଦ କରାଯିବ ବୋଲି ସଭାପତି ସୂଚନା ଦେଇଛନ୍ତି।
ବୈଠକରେ ମିଳିତ ବଜାର ପୂଜା କମିଟି ସଭାପତି ବିଶ୍ୱନାଥ ବେହେରା, ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ସଂଘ ସଭାପତି ରାଜେନ୍ଦ୍ର ଦାସ, ବସ୍ ମାଲିକ ସଂଘ ସଭାପତି ପ୍ରଭାକର ବେହେରା, ଯୁଗ୍ମ ସମ୍ପାଦକ ରୁଦ୍ରନାରାୟଣ ତ୍ରିପାଠୀ, ଟ୍ରକ୍ ମାଲିକ ସଂଘ ସଭାପତି ରୁଦ୍ରାନ୍ତ ଦଳେଇ, ଜିଲ୍ଲାର ଦୁଇ ସାମ୍ବାଦିକ ସଂଘ ସମ୍ପାଦକ ସତ୍ୟସ୍ୱରୂପ ଦାସ, ପ୍ରତାପ ବରାଳ ପ୍ରମୁଖ ବନ୍ଦକୁ ସମର୍ଥନ ଘୋଷଣା କରିଥିଲେ। ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର, ବରିଷ୍ଠ ଆଇନଜୀବୀ ଦୀପକ ପ୍ରସାଦ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ସାହୁ, ପ୍ରତାପ ନାରାୟଣ ତ୍ରିପାଠୀ, ନବକିଶୋର ଗୁରୁ , ଦେବାଶିଷ ମିଶ୍ର, ଜିଲ୍ଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ, ସୁନୀଲ ଦାଶ, ବଜରଙ୍ଗ କ୍ଲବ ପକ୍ଷରୁ ସନ୍ଦୀପ ଷଡ଼ଙ୍ଗୀ, ସଚେତନ ନାଗରିକ ଫୋରମ୍ର ଭରତ ଦାସ ପ୍ରମୁଖ ଆଲୋଚନାରେ ଭାଗ ନେଇଥଲେ। ଜିଲ୍ଲା ଓକିଲ ସଂଘ ସମ୍ପାଦକ ଟଙ୍କଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।