ଢେଙ୍କାନାଳ : ୫୫ ନଂ.ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବକୁ ନେଇ ଆଜି ଢେଙ୍କାନାଳ ଜିଲ୍ଲା ଓକିଲ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଆସନ୍ତା ୨୨ ତାରିଖରେ ଢେଙ୍କାନାଳ ବନ୍ଦ ପାଇଁ ଓକିଲ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି । ସଭାପତି ସଂଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ୫୫ ନଂ.ଜାତୀୟ ରାଜପଥ ସଂପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟ ନିମନ୍ତେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଦିଆଯାଇଥିବା ପ୍ରତିଶୃତି ମୂତାବକ ଶେଷ ନହେବା ଓ ମରାମତି କାର୍ଯ୍ୟରେ ଅହେତୁକ ବିଳମ୍ବକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।
ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀମାନେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ତିଳେ ମାତ୍ର ଖାତିର ନକରିବାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା ।ଚଳିତ ବର୍ଷ ଏପ୍ରିଲ ମାସ ୨୦ ତାରିଖରେ ସଂଘ ପକ୍ଷରୁ ହୋଇଥିବା ଆଲୋଚନା ଅନୁଯାୟୀ ୫୫ ନଂ.ଜାତୀୟ ରାଜପଥର ଦୂରାବସ୍ଥା ସମ୍ପର୍କରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ପରେ ଜିଲ୍ଲାପାଳଙ୍କ ଆହ୍ୱାନ କ୍ରମେ ଚଳିତ ବର୍ଷ ଏପ୍ରିଲ ମାସ ୨୮ ତାରିଖରେ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଜୁନ ୧୫ ସୁଦ୍ଧା ମରାମତି କାର୍ଯ୍ୟ ଓ ଜିକଜାକ ଭାବେ ୨ ଲେନର ସଂପ୍ରସାରଣ କାର୍ଯ୍ୟ ଶେଷ କରିବା ପାଇଁ ପ୍ରତିଶୃତି ଦେଇଥିବା ବେଳେ ଅତିବେଶିରେ ଜୁନ ୩୦ ତାରିଖ ସୁଦ୍ଧା କାର୍ଯ୍ୟକୁ ସାରିବା ପାଇଁ କହିଥିଲେ ।
ପରେ ପ୍ରତିଶୃତି ମୂତାବକ କୌଣସି ପ୍ରକାର ଉନ୍ନତି କରଣ ଓ ମରାମତି କାର୍ଯ୍ୟକୁ କର୍ତୃପକ୍ଷ କରିନଥିଲେ । ଏ ନେଇ ଓକିଲ ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠା କରାଯାଇନଥିଲା ।ଫଳରେ ବର୍ଷା ଦିନେ ପାଣି ଜମିରହି ରାସ୍ତାଟି ଅଧିକ ବିପଦସଙ୍କୁଳ ହୋଇପଡିଥିବା ବେଳେ ଦୈନିକ ଦୁର୍ଘଟଣାରେ ଜୀବନହାନୀ ଘଟୁଛି ବୋଲି ବୈଠକରେ ଉଦବେଗପ୍ରକାଶ ପାଇଥିଲା । ଏହାର ପ୍ରତିବାଦ ସ୍ୱରୂପ ସଂଘ ପକ୍ଷରୁ ଆସନ୍ତା ଶୁକ୍ରବାର ଢେଙ୍କାନାଳ ବନ୍ଦ କରିବା ପାଇଁ ବୈଠକରେ ନିଷ୍ପତି ଗୃହୀତ ହୋଇଥିବା ବେଳେ ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ନିଷ୍ପତି ଗୃହୀତ ହୋଇଛି ।
ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳର ସମସ୍ତ ଅନୁଷ୍ଠାନ ଓ ଜନସାଧାରଣଙ୍କୁ ସାମିଲ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଢେଙ୍କାନାଳ ବନ୍ଦକୁ ସଫଳ କରିବା ପାଇଁ ଆସନ୍ତା ବୁଧବାର ସଂଘ କାର୍ଯ୍ୟାଳୟ ଠାରେ ଏକ ବୈଠକ କରାଯିବା ପାଇଁ ସ୍ଥିର କରାଯାଇଛି ବୋଲି ସମ୍ପାଦକ ଟଙ୍କଧର ବେହେରା ସୂଚନା ଦେଇଛନ୍ତି ।