ରିମଝିମ କମ୍ପାନୀ ଏବଂ ବିଆରଜି କମ୍ପାନୀ ଲିକ୍ବିଡେଟରଙ୍କର ଠକାମି ବିରୋଧରେ ଶ୍ରମିକମାନେ କମ୍ପାନୀ ଫାଟକ ଆଗରେ ଦେଲେ ଧାରଣା !

ମୃତ ଶ୍ରମିକ ଟି. ସିଲବମଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଏବଂ ଜଣକୁ ସ୍ଥାୟୀ ନିଯୁକ୍ତି ଦେବା ନ ଯାଏ ଆନ୍ଦୋଳନ ଚାଲୁରହିବ।

ଢ଼େଙ୍କାନାଳ: କୁରୁଣ୍ଟି ସ୍ଥିତ ରିମଝିମ କଂପାନୀ ଏବଂ ବିଆରଜି କମ୍ପାନୀ ଲିକ୍ବିଡେଟରଙ୍କର ଠକାମି ବିରୋଧରେ ଇଂଜିନିୟର ଦେବାଶିଷ ହୋତାଙ୍କ ନେତୃତ୍ବରେ ଶ୍ରମିକମାନେ ସକାଳ ୧୧ ଟା ଠାରୁ କମ୍ପାନୀ ଫାଟକ ଆଗରେ ଧାରଣାରେ ବସି ରହିଥିଲେ ।

ସେମାନେ ପ୍ରଚଣ୍ଡ ବର୍ଷା ଏବଂ ଘଡଘଡିରେ ମରିବେ ପଛେ କିନ୍ତୁ ମୃତ ଶ୍ରମିକ ଟି. ସିଲବମଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଏବଂ ଜଣକୁ ସ୍ଥାୟୀ ନିଯୁକ୍ତି ଦେବା ନ ଯାଏ ଏଠାରୁ ହଟିବେ ନାହିଁ ବୋଲି ଅଡିବସିବାରୁ କଂପାନୀ ଏବଂ ପୋଲିସ୍ ପ୍ରଶାସନ ହରଡଘଣାରେ ପଡିଯାଇଥିଲେ ।

ଓଡାପଡା ଅତିରିକ୍ତ ତହସିଲଦାର ସୁମନ୍ତ ବେହେରା, ମୋଟଙ୍ଗା ଥାନା ଅଧିକାରୀ ନିରଂଜନ ସେଠୀ ଏବଂ କଂପାନୀର ଉପରିସ୍ଥ ଅଧିକାରୀମାନେ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଇଂ.ହୋତାଙ୍କ ସହିତ ଆଲୋଚନା କରିବା ପରେ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଆଗାମୀ ୧୦ ଦିନ ଭିତରେ ଏକ ତ୍ରି-ପକ୍ଷୀୟ ବୈଠକ କରାଯାଇ ଏହି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଯାଇ ଆଜିର ଆନ୍ଦୋଳନ ୧ ମାସ ପାଇଁ ସ୍ଥଗିତ ରହିଲା ।

ସୂଚନା ଯୋଗ୍ୟ ଯେ, ବିଆରଜି କଂପାନୀର ଟି. ସିଲବମ ବୋଲି ଜଣେ ଗରିବ ଶ୍ରମିକ କଂପାନୀରେ କାମ କରୁଥିବା ସମୟରେ ଗତ ୧୯ ଫେବୃୟାରୀ ୨୦୨୦ ଦିନ ଆହତ ହୋଇ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ୫ ଦିନ ପରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ଶବକୁ ଧରି ଶ୍ରମିକମାନେ ଆନ୍ଦୋଳନ କରିବାରୁ ମୋଟଙ୍ଗା ଥାନା ଅଧିକାରୀଙ୍କ ସାମ୍ନାରେ ୨୩ ଫେବୃୟାରୀ ୨୦୨୦ ଦିନ ବିଆରଜି କଂପାନୀ ଅଧିକାରୀମାନେ ମୃତ ଶ୍ରମିକ ଟି. ସିଲବମଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଏବଂ ଜଣକୁ ସ୍ଥାୟୀ ନିଯୁକ୍ତି ଦେବାର ଲିଖିତ ପ୍ରତିଶ୍ରୁତି ଦେଇଥିଲେ।

ଗତ ୨ ବର୍ଷ ଧରି କଂପାନୀ ଅଧିକାରୀମାନଙ୍କୁ ବାରମ୍ବାର ନିବେଦନ କରିବା ସତ୍ତ୍ବେ କିଛି ଲାଭ ନ ପାଇବାରୁ ବାଧ୍ୟ ହୋଇ ଡିଏଲଓଙ୍କ ପାଖରେ ଏକ କେସ୍ ଦାୟାର କରିଥିଲେ । କେସ୍ ଦେବାର ମାତ୍ର ୨୨ ଦିନ ମଧ୍ୟରେ, ଅର୍ଥାତ୍ ଗତ ୨୬ ମଇରେ ରିମଝିମ କଂପାନୀ ୭ ଦିନ ମଧ୍ୟରେ ଉପରୋକ୍ତ ଲିଖିତ ପ୍ରତିଶ୍ରୁତି ପାଳନ କରିବାକୁ ଡିଏଲଓ ଆଦେଶ ଦେଇଥିଲେ । ଅଥଚ ରିମଝିମ କଂପାନୀ ମୃତ ଶ୍ରମିକ ଟି. ସିଲବମଙ୍କ ପରିବାରକୁ କଲିକତାସ୍ଥ କଂପାନୀ ଟ୍ରିବ୍ୟୁନାଲରେ କେସ୍ କରିବାକୁ କହୁଛି ।

ଦୀର୍ଘ ବର୍ଷ ହେଲା ଶ୍ରମିକମାନେ ଏହି ଅଞ୍ଚଳରେ ଥିବା ବିଭିନ୍ନ କଂପାନୀମାନଙ୍କର ଠକାମିର ଶୀକାର ହୋଇଚାଲିଛନ୍ତି । କଂପାନୀମାନେ ଡିଏଲଓଙ୍କର ନୋଟିସ୍ ପାଇ ମଧ୍ଯ ମାସ ମାସ ଧରି ବିଭିନ୍ନ ବାହାନା ଦେଖାଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ହାଜିର୍ ହେଉନାହାନ୍ତି । ଡିଏଲଓ ସେହି କମ୍ପାନୀମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ କେସଟିକୁ କ୍ଲୋଜ୍ କରି ଦେଊଛନ୍ତି ।

ଗରିବ ଶ୍ରମିକ ଟଙ୍କା ଅଭାବରୁ ମାତ୍ର ଦେଢ-ଶହ କିଲୋମିଟର ଦୂରରେ ଥିବା ଭୂବନେଶ୍ବର ଇଣ୍ଡଷ୍ଟ୍ରିଆଲ ଟ୍ରିବ୍ୟୁନାଲରେ କେସ୍ ଲଢି ପାରୁ ନାହିଁ । ଏହାର ଫାଇଦା କମ୍ପାନୀମାନେ ନେଉଛନ୍ତି । ମୃତ ଶ୍ରମିକ ଟି. ସିଲବମଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଏବଂ ଜଣକୁ ସ୍ଥାୟୀ ନିଯୁକ୍ତି ଦିଆ ନ ଗଲେ ଭୟଙ୍କର ଶ୍ରମିକ ଆନ୍ଦୋଳନ ଗଢି ଉଠିବ ବୋଲି ଇଂ.ହୋତା ଇତ୍ୟବସରରେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

fifteen + twenty =