ବି.ବି. ହାଇସ୍କୁଲରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ଏକଦିବସୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ -୨୦୨୨ ଅନୁଷ୍ଠିତ !

ଢେଙ୍କାନାଳ : ସ୍ଥାନୀୟ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ସ୍ମାର୍ଟ ଶ୍ରେଣୀଗୃହରେ ଦିବା ୧୦ ଘଟିକା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧ (କନିଷ୍ଠ)ଙ୍କ ଅବାହକତ୍ବରେ ଓ ମାର୍ଗଦର୍ଶନରେ କୋଭିଡ଼ -୧୯ ନିୟମ ସବୁକୁ ଅନୁପାଳନ କରି ଢେଙ୍କାନାଳର ଜିଲ୍ଲାସ୍ତରୀୟ ଏକଦିବସୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ -୨୦୨୨ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶାର ରାଜ୍ୟସ୍ତରୀୟ ମୋ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନର ମୁଖ୍ୟ ପରିଚାଳନା ଅଧିକାରୀ(ଚିଫ ଅପରେଟିଙ୍ଗ ଅଫିସର) ଅମରଜିତ ଜେନା ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିବା ସଙ୍ଗେ ସଙ୍ଗେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ଉଦବୋଧନ ଦେଇ ଆଧୁନିକ ଯୁଗରେ ଆଧୁନିକ ଭିତ୍ତିଭୂମି ଓ ଶିକ୍ଷା ଉପକରଣ ଗୁଡ଼ିକର ସଫଳ ବ୍ୟବହାର ମାଧ୍ୟମରେ ସ୍ଵୀୟ ଦକ୍ଷତା ବୃଦ୍ଧି ହିଁ ଆଜିର ଆବଶ୍ୟକତା ଓ ଉନ୍ନତ ଶିକ୍ଷା ବ୍ୟବସ୍ଥା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନର ନୂତନ ସମ୍ଭାବନା ସୃଷ୍ଟିରେ ଏହା ସହାୟକ ହୋଇଥାଏ ବୋଲି ଦୃଢ଼ ମତପୋଷଣ କରିଥିଲେ।

ଓଡ଼ିଶାର ରାଜ୍ୟସ୍ତରୀୟ ମୋ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନର ପ୍ରକଳ୍ପ କାର୍ଯ୍ୟକ୍ରମ ପରିଚାଳନା ଅଧିକାରୀ (ପ୍ରୋଗ୍ରାମ ମ୍ୟାନେଜର) ଶୁଭା ପାଲିତ, ଆଞ୍ଚଳିକ ପ୍ରକଳ୍ପ କାର୍ଯ୍ୟକ୍ରମ ସଂଚାଳନ ଅଧିକାରୀ(ଜୋନାଲ ପ୍ରୋଜେକ୍ଟ ମନିଟରିଂ ଅଫିସର) ମୟିତ୍ରୀ ବାବୁ ଓ ପତଙ୍ଗ ଅନୁଷ୍ଠାନର ପ୍ରଶିକ୍ଷିକା ରାମେଶ୍ୱରୀ ଗୁରୁ ପ୍ରମୁଖ ଟ୍ରେନର ଭାବରେ ଯୋଗଦାନ କରି ତିନୋଟି ପର୍ଯ୍ୟାୟରେ ମିଶ୍ରିତ ଶିକ୍ଷା(ବ୍ଲେଣ୍ଡେଡ଼ ଲରନିଙ୍ଗ), ଵିଜ୍ଞାନା ଗାର(ସାଇନ୍ସ ଲ୍ୟାବ) ଓ ଇ-ଲାଇବ୍ରେରୀର ପାରସ୍ପରିକ ସହଯୋଗ ମୂଳକ ବ୍ୟବହାର, ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନାଗାର ଓ ଇ-ଲାଇବ୍ରେରୀର ସମନ୍ବିତ ସଫଳ ବ୍ୟବହାର ଦ୍ୱାରା ଶିକ୍ଷା ବ୍ୟବସ୍ଥାକୁ ଅଧିକ ଆନନ୍ଦ ଦାୟକ, ବୋଧଗମ୍ୟ କରାଇ ଛାତ୍ରୀ ଛାତ୍ରଙ୍କ ଉପରେ କିପରି ଏକ ସୁଦୂର ପ୍ରସାରୀ ପ୍ରଭାବ ପକାଯାଇପାରିବ ସେ ସମ୍ପର୍କରେ ସଫଳ ମାର୍ଗଦର୍ଶନ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ କିପରି ଏକ ପାୱାର ପଏଣ୍ଟ ପ୍ରସ୍ତୁତ କରି କ୍ଲାସରେ ପିଲାମାନଙ୍କୁ କିପରି ପଢେଇବେ ତାହା ଶିଖା ଯାଇଥିଲା। କିପରି ସେମାନେ ସ୍କୁଲରେ ସ୍ମାର୍ଟ ଶ୍ରେଣୀଗୃହରେ ଥିବା ଇଣ୍ଟରଆକ୍ଟିଭ ପ୍ୟାନେଲ/ବୋର୍ଡର ସଫଳ ବ୍ୟବହାର କରିବେ ତାହା ମଧ୍ୟ ଶିଖାଯାଇଥିଲା କମ୍ପ୍ୟୁଟର, ଲ୍ୟାପଟପ, ପାମଟପ,ସ୍ମାର୍ଟ ଫୋନ, ଇଣ୍ଟରନେଟ,ଇ-ମେଲ ବ୍ୟବହାର, ମାଇକ୍ରୋସଫ୍ଟ ଅଫିସ, କୋଭିଡ-୧୯ ପରିସ୍ଥିତିରେ ଅନଲାଇନ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ସମ୍ୟକ ଧାରଣା ମଧ୍ୟ ଦିଆଯାଇ ଥିଲା।

ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା କିପରି ଶିକ୍ଷକ ମାନେ ଉଭୟ ଉନ୍ନତ ଯାନ୍ତ୍ରିକ ଜ୍ଞାନକୌଶଳ ଓ ପାରମ୍ପରିକ ଶିକ୍ଷା କୌଶଳ ଉଭୟକୁ ଆବଶ୍ୟକତା ଅନୁସାରେ ବ୍ୟବହାର କରି ଏକ ଅତ୍ୟାଧୁନିକ କୌଶଳରେ ପିଲାମାନଙ୍କୁ ସଫଳ ଶିକ୍ଷାଦାନ କରିପାରିବେ।ଏହାସହ ସେମାନେ କାହା ଉପରେ ନିର୍ଭର ନ କରି ନିଜର ଦକ୍ଷତା ବୃଦ୍ଧି କରି ସମସ୍ତ ଶୈକ୍ଷିକ, ସହଶୈକ୍ଷିକ କାର୍ଯ୍ୟସବୁକୁ ସୁଚାରୁରୂପେ ସମ୍ପାଦନ କରିପାରିବେ ଓ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନର ସୂତ୍ରଧର ସାଜିପାରିବେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟସ୍ତରୀୟ ସର୍ବୋତ୍ତମ ୧୦୦ଟି ସେଣ୍ଟର ଅଫ ଏକ୍ସସେଲେନ୍ସ (ସି.ଓ.ଇ) ସ୍କୁଲ ମଧ୍ୟରୁ ଢେଙ୍କାନାଳ ଜିଲ୍ଲାର ସର୍ବୋତ୍ତମ ୩ ଟି ସି.ଓ.ଇ ସ୍କୁଲ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରୁ ଡ଼ା. ଦେବୀ ପ୍ରସାଦ ମିଶ୍ର, ସ୍ୱାଗତିକା ରଥ, ଅନୁପମା ପଣ୍ଡା,ଦୀପ୍ତିଶ କୁମାର ଶତପଥୀ,କଲ୍ୟାଣୀ ବଡ଼ଜେନା, କିରଣମୟୀ ମାହାଳିକ, ସ୍ମିତିସୁଧା ଜେନା ପ୍ରମୁଖ ୭ ଜଣ,ହିନ୍ଦୋଳ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ଦୀନବନ୍ଧୁ ପୃଷ୍ଟି, ମହାମାୟା ସାହୁ, ଆଶୁତୋଷ ଜେନା, ଦୀପ୍ତି ରଞ୍ଜନ ସାହୁ, ବିବେକାନନ୍ଦ ତରାଇ ପ୍ରମୁଖ ୫ ଜଣ ଓ ସାରଙ୍ଗଧର ସରକାରୀ ଉଚ୍ଚ ବିଦ୍ୟାଳୟ, କାମାକ୍ଷାନଗର ରୁ ଦୁର୍ଯ୍ୟୋଧନ ସାହୁ, ନିଶା ପ୍ରିୟଦର୍ଶିନୀ ଦାଶ, ମଧୁସ୍ମିତା ନନ୍ଦ, ଭାଗ୍ୟଶ୍ରୀ ସାହୁ ଓ ଲିପିନା ମହାରଣା ପ୍ରମୁଖ ୫ ଜଣ ଏହିପରି ମୋଟ ୧୭ ଜଣ କଳା, ସାହିତ୍ୟ, ଇଂରାଜୀ,ଇତିହାସ ଓ ନଗର ଵିଜ୍ଞାନ, ଭୂଗୋଳ ଓ ଅର୍ଥନୀତି,ଗଣିତ, ଭୌତିକବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ବିଷୟର ଶିକ୍ଷାଦାନ କରୁଥିବା ଶିକ୍ଷୟିତ୍ରୀ,ଶିକ୍ଷକ ମାନେ ଉପସ୍ଥିତ ରହି ପ୍ରଶିକ୍ଷଣରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ପ୍ରାରମ୍ଭରେ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ,ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ତଥା ମୋ ସ୍କୁଲ ଅଭିଯାନ ଢେଙ୍କାନାଳ ଜିଲ୍ଲା କ୍ୟାମ୍ପେନ ଟିମର ଦଳମୁଖ୍ୟ ଡ଼ା. ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ, ଅତିଥି ଓ ପ୍ରଶିକ୍ଷିକା ମାନଙ୍କର ପରିଚୟ ପ୍ରଦାନ, କାର୍ଯ୍ୟକ୍ରମ ପରିଚାଳନା ଓ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

10 + 14 =