ଢେଙ୍କାନାଳ : ଦିନକୁୁ ଦିନ ସହରରେ ଗାଡିଚୋରି ବୃଦ୍ଧି ପାଉଥିବା ପୋଲିସର ମୁଣ୍ଡବ୍ୟଥାର କାରଣ ହୋଇଛି ।
ପୋଲିସ କୌଣସି ସୂତ୍ରରୁ ଖବର ପାଇ କାଞ୍ଚନ ବଜାର ନିକଟରୁ ଜଣେ ବାଇକ୍ ଚୋର ର୍ୟାକେଟର ଯୁବକଙ୍କୁ କାବୁ କରିବା ସହିତ ଉକ୍ତ ବାଇକ୍ ଚୋରକୁ ଧରି ପୋଲିସ ପରଜଙ୍ଗ ଅଂଚଳରୁ ଓ ମହାବିରୋଡ ଅଂଚଳରୁ ଆଉ ୨ଜଣଙ୍କୁ କା୍ବୁ କରି ୩ଟି ବାଇକକୁ ଉଦ୍ଧାର କରିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ଦୁଇଚକିଆ ଚାରିଚକିଆ ଯାନ ଚୋରି ଦୃତଗତିରେ ବଢିଚାଲିଛି ।
ଜିଲ୍ଲାରେ ବାଇକ ଚୋର ର୍ୟାକେଟ ସକ୍ରିୟ ହୋଇପଡିଥିବା ବେଳେ ପୋଲିସ ବାଇକ ଚୋର ର୍ୟାକେଟର ସୁରାକ ପାଉନଥିବା ଜଣାପଡିଛି । ସହରରେ ବାଇକ୍ ଚୋରମାନେ ସାଧାରଣ ଲୋକଙ୍କ ଆଖିରେ ଧୁଳିଦେଇ ନିତିଦିନ ବାଇକ ଚୋରିକରି ଗାଡିରବିଭିନ୍ନ ପାର୍ଟସ କବାଡିଆ ମାଧ୍ୟମରେ ଅନ୍ୟ ଜିଲ୍ଲା ଗୁଡିକୁ ଚୋରା ଚାଲାଣ କରୁଥିବା ବେଳେ କେତେକ ଚୋରା ଗାଡିର ନମ୍ବର ପ୍ଲେଟ ବଦଳାଇ ନିରୀହ ଲୋକଙ୍କୁ ଅଳ୍ପ ଟଙ୍କାରେ ବିକ୍ରି କରି ମାଲେମାଲ ହେଉଥିବା ଜଣାପଡିଛି ।
ସହରରେ ବାଇକ୍ ଚୋରି ନିତିଦିନିଆ ଘଟଣା ହୋଇପଡୁଥିବା ବେଳେ ପୋଲିସ ବାଇକ୍ ଚୋର ର୍ୟାକେଟକୁ ଧରିବାରେ ସକ୍ଷମ ହୋଇପାରୁନାହିଁ । କିଛି ଦିନ ତଳେ ଟାଉନ ଥାନା ମଧ୍ୟରୁ ଲୁଟେରାମାନେ ପୋଲିସ ଭ୍ୟାନକୁ ମଧ୍ୟ ଲୁଟି ନେଇଥିବା ଘଟଣାରେ ପୋଲିସ ନିଜ ଗାଡି ଖୋଜିବାରେ ନାକେଦମ୍ ହେବାକୁ ପଡିଥିଲା ।
ଯେଉଁଠି ଲୁଟେରାମାନେ ପୋଲିସ ଆଖିରେ ଧୁଳିଦେଇ ପୋଲିସ ଭ୍ୟାନ, ପିସିଆର ଭ୍ୟାନ ଭଳି ଗାଡି ମଟର ଚୋରିକରି ଅନାୟାସରେ ଫେରାର୍ ହୋଇଯାଉଛନ୍ତି ସେଠି ସାଧାରଣ ଲୋକ ଏହି ର୍ୟାକେଟର ଶିକାର ହେଉଛନ୍ତି । ଗତ ୧ ତାରିଖ ଦିନ ବାଜିଚୌକ ସ୍ଥିତ ମାଉସୀ ମା ମନ୍ଦିର ନିକଟରୁ ମନୋରଞ୍ଜନ ଜେନା ନାମକ ଲୋକର ବାଇକ ଚୋରି ହୋଇଥିବା ନେଇ ସେ ଟାଉନ ଥାନାରେ ଅଭିଯୋଗ କରିଥିଲେ । ସହରରେ ସାଂସଦଙ୍କ ବସଷ୍ଟାଣ୍ଡ ସ୍ଥିତ କାର୍ଯ୍ୟାଳୟ ପରିସରରୁ ଜନୈକ ବିଜେଡି କର୍ମିଙ୍କ ବାଇକ ଚୋରି ହୋଇଥିବା ବେଳେ କୋର୍ଟ ପରିସର ମଧ୍ୟରୁ ଜଣେ ଓକିଲ ବାବୁଙ୍କର ବାଇକ୍ ଚୋରି ହୋଇଥିବା , ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକଙ୍କ ବାଇକ୍ ଚୋରି ଘଟଣା ଲୋକଙ୍କ ମନରୁ ନ ଯାଇଥିବା ବେଳେ ଗୁଣ୍ଡିଚା ଦିନ ଆଉ ଏକ ବାଇକ ଚୋରି ଘଟଣା ସହରବାସୀଙ୍କ ମନରେ ଭୟ ସୃଷ୍ଟି କରିଛି ।
ଢେଙ୍କାନାଳରେ ପୋଲିସ୍,ଓକିଲ, ନେତା ଓ ସାମ୍ବାଦିକଙ୍କ ଭଳି ବୁଦ୍ଧିଜୀବି ଆଖିରେ ଆଙ୍ଗୁଳି ଗେଞ୍ଜି ଗାଡି ଲୁଟେରାମାନେ ଗାଡି ଚୋରି କରି ନେଇ ଫେରାର ହୋଇ ଯାଉଥିବା ବେଳେ ସାଧାରଣ ଲୋକ ନିତିଦିନ ଏହି ବାଇକ ଲୁଟେରାମାନଙ୍କ ଦ୍ୱାରା ଲୁଟର ଶିକାର ହୋଇଥିବା ଜଣାପଡିଛି । ଜିଲ୍ଲାରେ ଗାଡିଚୋର ମାଫିଆମାନେ ସକ୍ରିୟ ହୋଇପଡିଥିବା ବେଳେ ସାଧାରଣ ଲୋକେ ଚୋରି ଭୟରେ ଘରୁ ଗାଡି କାଢିବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ଜଣାପଡିଛି ।
ଉକ୍ତ ବାଇକ୍ ଚୋର ର୍ୟାକେଟକୁ ପଚରା ଉଚରା କରାଗଲେ ବାଇକ ଚୋର ର୍ୟାକେଟର ମାଷ୍ଟର ମାଇଣ୍ଡ ନିକଟରେ ପୋଲିସ ପହଁଚି ପାରିବ ବୋଲି ଚର୍ଚ୍ଚା ହେଉଛି ।