ସୁନାବେଶରେ ଦର୍ଶନ ଦେଲେ ମହାବାହୁ !

ଢେଙ୍କାନାଳ : ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ ରଥ ଉପରେ ଆଜି ହରିଶୟନ ଏକାଦଶୀ ବ୍ରତ ପାଳନ କରିବା ସହ ସନ୍ଧ୍ୟାରେ ସୁନା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ।

ଏକାଦଶୀ ବ୍ରତ ଯୋଗୁ ଆଜି ପ୍ରାତଃ ସମୟରୁ ସାରାଦିନ ରଥଠାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥିଲା । ସକାଳେ ପ୍ରବଳ ବର୍ଷା ସତ୍ୱେ ପ୍ରାୟ ଅଧାକିଲୋମିଟର ପର୍ଯ୍ୟନ୍ତ ଧାଡିରେ ଠିଆ ହୋଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ସୁନାବେଶ ଦର୍ଶନ ପାଇଁ ସଂଧ୍ୟାରୁ ପ୍ରବଳ ଜନସମାଗମ ହୋଇଥିଲା । ମହାବାହୁଙ୍କର ଏହି ସୁନାବେଶ ଦର୍ଶନ କାର୍ଯ୍ୟକ୍ରମ ରାତି ସାଢେ ୧୦ ଟା ପର୍ଯ୍ୟନ୍ତ ଚାଲିଥିଲା ।

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ରୀମନ୍ଦିରକୁ ଫେରିବା ପାଇଁ ଗତକାଲି ଆଡପଣ୍ଡପ ତଥା ମାଉସୀ ମା ଗୁଣ୍ଡିଚା ମନ୍ଦିରରୁ ବାହୁଡା ଯାତ୍ରାରେ ଆସି ସ୍ଥାନୀୟ ରଥଗଡା ଠାରେ ରଥ ଉପରେ ରାତ୍ରୀଯାପନ କରିଥିଲେ । ପାରମ୍ପରିକ ରୀତିରେ ରଥ ଉପରେ ମହାପ୍ରଭୁଙ୍କର ହରିଶୟନ ଏକାଦଶୀ ବ୍ରତ ପାଳନ କରାଯାଇଥିଲା । ଏହି ଅବସରରେ ଯଥାବିଧି ପୂଜାର୍ଚ୍ଚନା ସହ ଫଳ ଏବଂ ନୈବେଦ୍ୟ ଅର୍ପଣ କରାଯାଇଥିଲା ।

ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଦିନସାରା ଭକ୍ତମାନେ ଭିଡ ଲାଗାଇଥିଲେ । ସଂଧ୍ୟା ୬ ଘଣ୍ଟାରେ ପୂଜକ ଭାଗିରଥୀ ପଣ୍ଡାଙ୍କ ଦ୍ୱାରା ସଂଧ୍ୟା ଆଳତୀ କରାଯିବା ପରେ ଠାକୁରଙ୍କୁ ସୁନାର ମକୁଟ, କମରପଟି, ଶ୍ରୀହସ୍ତ, ଶ୍ରୀପୟର ଏବଂ ପାଟପିତାମ୍ବରୀ ପ୍ରାୟ ୪କେଜିର ସୁନା ଏବଂ ୮କେଜିର ରୂପା ଅଳଙ୍କାର ପିନ୍ଧାଯାଇ ରାଜ ରାଜେଶ୍ୱରୀ ବେଶ କରାଯାଇଥିଲା ।

ସେହିପରି ରଥରେ ଆସିଥିବା ବଳରାମ ମହାପ୍ରଭୁଙ୍କ ପ୍ରତିକାତ୍ମକ ବିଗ୍ରହକୁ ମଧ୍ୟ ସୁନା ମୁକୁଟ ଲାଗି ହୋଇଥିଲା । ରାଜପୁରୋଧା ପଂଚାନନ ମିଶ୍ର ଏବଂ ତାଙ୍କ ପୁଅ ଶଶୀଭୂଷଣ ମିଶ୍ର ଓ ସେବାସୀମାନଙ୍କ ଉପସ୍ଥିତରେ ରାଣୀ ସାବିତ୍ରୀ ଦେବୀ, ଯୁବରାଜ ଅମରଜ୍ୟୋତି ସିଂହଦେଓ ସଂଧ୍ୟା ଆଳତୀ ଓ ବନ୍ଦାପନା କରିଥିଲେ । ସଂଧ୍ୟା ୭ ଘଣ୍ଟା ସମୟରୁ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ଲାଗି ସାହାଣମେଲା ହୋଇଥିଲା । ଆକର୍ଷଣୀୟ ସ୍ୱର୍ଣ୍ଣ ଅଳାଙ୍କାର ବେଶରେ ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ।

ଝିପିଝିପି ବର୍ଷା ସହ ପ୍ରତିକୂଳ ପାଗରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ରାତ୍ର ସାଢେ ୧୦ ଘଣ୍ଟା ପର୍ଯ୍ୟନ୍ତ ଲାଗିରହିଥିଲା । ଆଇନ୍ ଶୃଙ୍ଖଳା ପରିସ୍ଥିତି ପାଇଁ ପୁଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.

nineteen − seventeen =