ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ବାହୁଡିଲେ ମହାବାହୁ !

ଢେଙ୍କାନାଳ : କରୋନା କରାଳର ୨ ବର୍ଷ ଅତିକ୍ରାନ୍ତ ପରେ ଚଳିତ ବର୍ଷ ଢେଙ୍କାନାଳରେ ରଥ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଥିବା ବେଳେ ନବ ଦିନ ବ୍ୟାପୀ ମାଉସୀ ଘରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ପରେ ମହାବାହୁ ଶ୍ରୀ ଜଗନ୍ନାଥ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ମନ୍ଦିରକୁ ବାହୁଡି ଆସିଛନ୍ତି ।

ସ୍ଥାନୀୟ ବାଜିଚୌକ ସ୍ଥିତ ମାଉସୀ ମା ମନ୍ଦିରରେ ସକାଳେ ଜୟମଙ୍ଗଳ ଆଳତୀ ପରେ ସୂର୍ଯ୍ୟପୂଜା, ମହାପ୍ରଭୁଙ୍କର ସ୍ନାନ ମାର୍ଜନା, ବହ୍ଲଭ ଓ ସମସ୍ତ ନୀତିକାନ୍ତି ୮ଟା ୧୫ମି. ମଧ୍ୟରେ ସମାପ୍ତ ହୋଇଥିଲା । ପରେ ମହାପ୍ରଭୁଙ୍କ ରଥ ପ୍ରତିଷ୍ଠା, ସେଣାପଟା ଲାଗି, ପହଣ୍ଡି ବେଶ ଓ ମଙ୍ଗଳାର୍ପଣ ପୂଜା, ପ୍ରଭୁଙ୍କ ମଣିବନ୍ଧନ, ପାଟଡୋରଲାଗି, ରାଜଦର୍ଶନ ପରେ ୧୧ମି. ସମୟରେ ପହଣ୍ଡି ବିଜେର ଶୁଭାରମ୍ଭ ହୋଇଥିଲା । ମାଉସୀ ମା ମନ୍ଦିରରୁ ରଥ ପର୍ଯ୍ୟନ୍ତ ଠାକୁରଙ୍କୁ ଗୋଟିପହଣ୍ଡିରେ ଅଣାଯାଇ ରଥାରୁଢ କରା ଯାଇଥିଲା ।

ଏହି ଗୋଟି ପହଣ୍ଡି ସମୟରେ ଠାକୁରଙ୍କ ଠାରେ ଥିବା ପାଟଡ଼ୋରିକୁ ଯୁବରାଜ ଅମରଜ୍ୟୋତି ସିଂହଦେଓ ଟାଣୁଥିବାବେଳେ ସେବକମାନେ ଠାକୁରଙ୍କୁ ଟେକି ଟେକି ନେଉଥିଲେ । ପଞ୍ଚାମୃତ ଲାଗି ପରେ ୨ଟା ୧୫ମି. ସମୟରେ ଯୁବରାଜ ଅମରଜ୍ୟୋତି ସିଂହଦେଓଙ୍କ ଦ୍ୱାରା ରଥ ଉପରେ ଛେରାପହଁରା କରାଯିବା ସଙ୍ଗେ ସଙ୍ଗେ ୩ଟା ସମୟରେ ଯୁବରାଜ ରଥରେ ମୁଣ୍ଡ ଲଗାଇ ରଥକୁ ଠେଲିଥିବାବେଳେ ବହୁ ଭକ୍ତ ମହାପ୍ରଭୁଙ୍କର ପ୍ରଥମ ରଥଟଣା କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ ।

କିଛିସମୟ ବିଶ୍ରାମ ଦିଆଯିବାପରେ ଅପରାହ୍ନ ୩ଟା ୩୦ମି. ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ସାନ ରଥକୁ ମହିଳା ମାନେ ଟାଣିବାସହ ରଥଟଣା ସମୟରେ ମହିଳା ମାନଙ୍କଦ୍ୱାରା ଭଜନ ସଂକୀର୍ତନ ପ୍ରଭୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଟାଉନଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ମହାପାତ୍ର, ସଦର ଆଇଆଇସି ଅଭିନବ ଡାଳୁଆ, ଦେବୋତର ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଓ ଜିଲାପ୍ରଶାସନ ଅଧିକାରୀମାନେ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ରଥଟଣା କାର୍ଯ୍ୟ ତଦାରଖ କରିଥିଲେ ।

ରଥଯାତ୍ରା ଉପଲକ୍ଷେ ବିଭିନ୍ନ ପ୍ରକାର ଉଠା ଦୋକାନ ଓ କୃଷି ଉପକରଣମାନ ବିକ୍ରି ହେଉଥିବାର ଦେଖିବାକୁ ମିଳିଥିଲା । ମୀନାବଜାର ସ୍ଥିତ ଦୋଳଗୋବିନ୍ଦଜୀଉ ମନ୍ଦିର ନିକଟସ୍ଥ ପୁରୁଣା ଗୁଣ୍ଡିଚା ମନ୍ଦିର ନିକଟରେ ରଥ ଦୁଇଟି ପହଞ୍ଚିବାରେ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ ଲଡୁ ଓ ଅନ୍ୟାନ୍ୟ ଭୋଗ ଲାଗି କରାଯାଇଥିଲା ।

ସୂର୍ଯ୍ୟାସ୍ତ ପରେ ବିଳମ୍ବିତ ସମୟରେ ରଥ ଟଣାଯାଇ ୬.୪୫ ସୁଦ୍ଧା ମହାପ୍ରଭୁଙ୍କୁ ରଥଗଡା ଠାରେ ପହଞ୍ଚାଇ ଦିଆଯାଇଥିଲା । ପରେ ପରେ ସାନରଥ ରଥଗଡା ଠାରେ ପହଞ୍ଚିଥିଲା ।

Leave A Reply

Your email address will not be published.

four × 1 =