ଢେଙ୍କାନାଳ : ଜିଲ୍ଲା ସଂସ୍କୃତି ଓ କଳା ସଂପନ୍ନ ସାଂସ୍କୃତିକ ପରିବେଶ ବେଶ୍ ଉପଭୋଗୀ ହୋଇପାରିଥାଏ ।
ବର୍ଷତମାମ୍ ବିଭିନ୍ନ ଯାତ୍ରା ମହୋତ୍ସବରେ ଜିଲ୍ଲାର କୋଣଅନୁକୋଣ ରେ ଥିବା କଳା ଓ ସଂସ୍କୃତିକୁ ଏହି ମହୋତ୍ସବରେ ପ୍ରାଧାନ୍ୟ ଦିଆଯାଇଥାଏ । ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ଉପଲକ୍ଷେ ସ୍ଥାନୀୟ ବାଜିଚୌକସ୍ଥିତ ଗୁଣ୍ଡିଚା ଭଜନ ସମାରୋହ କମିଟି ପକ୍ଷରୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଭଜନ ସମାରୋହର ଆୟୋଜନ କରାଯାଇଛି ।
ଭଜନ ସମାରୋହ କମିଟିର ସଭାପତି ରୁଦ୍ରାନ୍ତ ଦଳେଇ, ବରିଷ୍ଠ ଉପଦେଷ୍ଟା ଗଗନ ନନ୍ଦ, ସଂପାଦକ ସାଗିର୍ ମହମ୍ମଦଙ୍କ ଆୟୋଜନରେ ଏହି ଚତୁର୍ଥ ଭଜନ ସଂଧ୍ୟାକୁ ଢେଙ୍କାନାଳ ସାଂସଦ ମହେଶ ସାହୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିବା ସହ ଢେଙ୍କାନାଳରେ ଜଗନ୍ନାଥ ସଂସ୍କୃତି ପ୍ରେମୀ ଭାବବିହ୍ୱଳ ହୋଇ ପ୍ରଭୁଙ୍କ ଶ୍ରୀଚରଣେ ଆଶ୍ରିତ ହୋଇ ଏହି ଭଜନ ପରିବେଷଣ ତା’ର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ।
ଭଜନ ଦ୍ୱାରା ମନର ସବୁ ଅବସାଦ ଦୂର ହୋଇଥାଏ, ଏହା କେବଳ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ହୋଇପାରିଛି ବୋଲି ସାଂସଦ ଶ୍ରୀ କହିଛନ୍ତି । ଅନ୍ୟତମ ସମ୍ମାନିତ ଅତିଥି ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ହିନ୍ଦୋଳ ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁଁନ୍ତ, ଢେଙ୍କାନାଳ ପୌରପରିଷଦ ର ସ୍ଥାନୀୟ କାଉନ୍ସିଲର ମଧୁସ୍ମିତା ସ୍ୱାଇଁ, ସମାଜସେବୀ ଚକ୍ରଧର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଶ୍ରୀଗୁଣ୍ଡିଚା ଯାତ୍ରାର ଭଜନ ସମାରୋହର ଚତୁର୍ଥ ସଂଧ୍ୟାରେ ସଙ୍ଗୀତ ସାରେଗାମାର କଳାକାର ପତିତପାବନ ଓ ସୁଧାକର ମିଶ୍ର ଙ୍କୁ ମଂଚାସୀନ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି ସଙ୍ଗୀତ ଅନୁଷ୍ଠାନର ପତିତପାବନ ଓ ସୁଧାକର ମିଶ୍ର, କୃଷ୍ଣଚନ୍ଦ୍ର, ଗିରିଶ ଚନ୍ଦ୍ର, ସୌଜନ୍ୟା ମିଶ୍ର, ଆଦିତ୍ରୀ ପ୍ରମୁଖ ଭଜନ ପରିବେଷଣ କରି ଉପସ୍ଥିତ ଥିବା ସ୍ରୋତାମାନଙ୍କୁ ଭାବବିହ୍ୱଳ କରିଥିଲେ । ଏହି ଭଜନ ସଂଧ୍ୟାର ଉପସ୍ଥିତ ଅତିଥିମାନଙ୍କୁ କମିଟିର ବରିଷ୍ଠ ସଦସ୍ୟ ସଂଗ୍ରାମ କେଶରୀ ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।