ଢେଙ୍କାନାଳ : ଜିଲ୍ଲା ଅବକାର ବିଭାଗ, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଦ୍ୱାରା ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ଦିବସ ପାଳତ ହୋଇଯାଇଛି ।
ଏହି ଉପଲକ୍ଷେ ଆଜି ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗଦେଇ ଆଜିର ଯୁବପୀଢି ମାନେ ନିଜକୁ ନିୟନ୍ତ୍ରଣ କରି ନିଶାର ଅପବ୍ୟବହାର ନକରି , ନିଶାଠାରୁ ଦୂରେଇ ରହି, ପତନମୁଖି ସମାଜକୁ ରକ୍ଷା କରବା ନିମନ୍ତେ ଆହ୍ୱାନ ଦେଇଛନ୍ତି । ଶିକ୍ଷାବିତ, ଅଭିଭାବକ, ବୁଦ୍ଧିଜୀବିମାନେ ସ୍ୱତଃପ୍ରବୃତ ଭାବେ ଆଗେଇ ଆସି ନୈତିକ ଶିକ୍ଷା ଦାନ କରି ଛାତ୍ର ସମାଜକୁ ମାର୍ଗ ଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି ।
ଏଥି ନିମନ୍ତେ ପ୍ରତ୍ୟେକ ୫-ଟି ରୂପାନ୍ତରିତ ବିଦ୍ୟାଳୟରେ ଗୋଟିଏ ଲେଖାଏଁ ପିରିୟଡର ବ୍ୟବସ୍ଥା କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି । ଅବୈଧ ନିଶା କାରବାର, ଏହାର ଅପବ୍ୟବହାର, ଅବୈଧ ଉତ୍ପାଦନ ଉପରେ କଡା ନଜର ରଖି ଏହାର ପ୍ରସାର ଓ ପ୍ରଭାବକୁ ରୋକାଯାଇ ପାରିଲେ ଆମେ ଏକ ସୁସ୍ଥ ,ସୁନ୍ଦର ଢେଙ୍କାନାଳ ଗଢି ତୋଳି ପାରିବା ବୋଲି ଆଶାବ୍ୟକ୍ତ କରିଛନ୍ତି । ଜୀବନର ଏକ ନିର୍ଦ୍ଦିଷ୍ଟ ମହତ ଲକ୍ଷ୍ୟ ରଖି, ନିଶା ସେବନ ଠାରୁ ଦୂରେଇ ରହି, ନିଜେ ସଚେତନ ହୋଇ ନିଜର ପରିବାରର ଓ ସମାଜର ମଙ୍ଗଳ ନିମନ୍ତେ ସମସ୍ତ କାର୍ଯ୍ୟ ନିର୍ବାହ କରିବାକୁ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଲୋଗାନୟାଗୀ ଦିବ୍ୟା ଭି. ଯୁବ ପିଢୀଙ୍କୁ ପରାମର୍ଶ ଦେଇଛନ୍ତି ।
ଅବୈଧ ନିଶାଦ୍ରବ୍ୟ ଚାଲାଣ, ଏହାର ଅପବ୍ୟବହାର ରୋକିବା ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସେ ପ୍ରକାଶ କରିଥିଲେ ।ସମସ୍ୟାର ସମାଧାନ ନିଶା ସେବନ ଦ୍ୱାରା ନୁହେଁ, ନିଶା ସେବନ ଦ୍ୱାରା ଧନ,ଯୈାବନ, ଜୀବନ ହାନୀ ହେବା ଉଚିତ ସମାଜର ପ୍ରଭୂତ କ୍ଷତି ଘଟିଥାଏ ।
ଭଗବାନହ୍କ ପ୍ରଦତ ଅମୂଲ୍ୟ ଜୀବନକୁ ରକ୍ଷା କରିବା ନିମନ୍ତେ ନିଶା ସେବନ ଠାରୁ ଦୂରେଇ ରହିବାକୁ ପ୍ରଜାପିତା ବ୍ରହ୍ମକୁମାରୀ ଭଗିନୀ ଉଷା ଦେବୀ ସମସ୍ତଙ୍କ ଅନୁରୋଧ କରିଥିଲେ । ବ୍ରହ୍ମକୁମାରୀ ଅନୁଷ୍ଠାନ ଦ୍ୱାରା କରାଯାଉଥିବା ନିଶାମୁକ୍ତି କାର୍ଯ୍ୟ ସମ୍ପର୍କରେ କହି, ସମସ୍ତେ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ କରିବାକୁ ଆଶାବ୍ୟକ୍ତ କରିଥିଲେ ।
ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଏନଏସଏସ୍ ପ୍ରୋଗ୍ରାମ ଅଫସର ,(ଢେଙ୍କାନାଳ ସ୍ୱୟଂଶାଲିତ ମହାବିଦ୍ୟାଳୟ), ଦେବରାଜ ବେହେରା, ଜଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଅଶୋକ କୁମାର ଦାଶ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସୌଦାମିନୀ ସାହୁ ପ୍ରମୁଖ ନିଶା ସେବନର କୁ ପରିଣାମ ସମ୍ପର୍କରେ ଆଲୋକପାତ କରି ନିଶାମୁକ୍ତ ସମାଜ ଗଠନ କରିବାରେ ପ୍ରତ୍ୟେକ ସ୍ତରରେ ପ୍ରୟାସ କରାଯିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଛନ୍ତି ।
ବୈଠକ ପ୍ରାରମ୍ଭରେ ଜଲ୍ଲା ସମାଜ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଐରା”ର ନିର୍ଦ୍ଦେଶକ ସୁରେଶ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ପହଁଚିଥିଲା ।