ଢେଙ୍କାନାଳ : ସରକାରଙ୍କ ଦ୍ୱାରା ମିଶନ ଶକ୍ତି ପାଇଁ ନୂତନ ଭାବେ ନିର୍ମିତ ହୋଇଥିବା ଗୃହ ଏବେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଦେଖିବାକୁ ମିଳିଛି ।ମିଶନ ଶକ୍ତିକୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦେବାସହ ସେମାନଙ୍କ ନିମନ୍ତେ ମିଶନ ଶକ୍ତି ଗୃହ ସରକାର ନିର୍ମାଣ କରି ତାଙ୍କୁ ହସ୍ତାନ୍ତର କରିଥାନ୍ତି ।
ଗଁଦିଆ ବ୍ଲକର ଦେଓଗାଁ ଗ୍ରାମପଞ୍ଚାୟତରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ୫ଲକ୍ଷ ଟଙ୍କା ବ୍ୟୟରେ ମିଶନ ଶକ୍ତିର ଗୃହ ନିର୍ମାଣ କାଯ୍ୟ କରାଯାଇ ମାର୍ଚ୍ଚ ୨୦୨୧ରେ ଏହାକୁ ଶେଷ କରାଯାଇଛି । କିନ୍ତୁ ଉକ୍ତ ଗୃହକୁ ମିଶନ ଶକ୍ତିକୁ ହସ୍ତାନ୍ତର କରାଯାଉନଥିବା ଏବଂ ଏହାକୁ ଜଗାରଖା କରିବାକୁ କିଛି ବ୍ୟବସ୍ଥା ନଥିବାରୁ ଘର ବାରଣ୍ଡାରେ ମଦ୍ୟପଙ୍କ ଆସର ଜମୁଛି । ଏହି ନବନିର୍ମିତ ଗୃହ ବାରଣ୍ଡାରେ ମଦ ବୋତଲ ସହ ପ୍ଲାଷ୍ଟିକ ଗ୍ଲାସ, ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପଡ଼ିଥିବାର ଦେଖାଯାଇଛି । ଏହି ଗୃହକୁ ତୁରନ୍ତ ମିଶନ ଶକ୍ତିକୁ ହସ୍ତାନ୍ତର କରି ଏହାର ଜଗାରଖାର ବ୍ୟବସ୍ଥା କରିବାପାଇଁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।