ଢେଙ୍କାନାଳ : ଅଲ୍ ଇଣ୍ଡିଆ ମୋବାଇଲ୍ ରିଟେଲର୍ ଆସୋସିଏସନ୍ ଅନୁବନ୍ଧିତ ଢେଙ୍କାନାଳ ମୋବାଇଲ୍ ବିକ୍ରେତା ସଂଘ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଢେଙ୍କାନାଳ ସହରର ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି ।
ଏହି ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ମ୍ୟୁନିସିପାଲିଟି ଚେୟାର୍ମ୍ୟାନ୍ ଜୟନ୍ତୀ ପାତ୍ର ଓ ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।
ମୋବାଇଲ୍ ବିକ୍ରେତା ସଂଘ ବ୍ୟବସାୟ ସହ ରକ୍ତଦାନ ଭଳି ଏକ ମହତ୍ କାର୍ଯ୍ୟକୁ ନିଜର ସେବା ଭାବେ ଗ୍ରହଣ କରିନେଇ ଥିବାରୁ ଅତିଥିମାନେ ସଂଘର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି ଶିବିରରେ ମୋଟ୍ ୮୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ସଂଘର ସଭାପତି ଅନିଲ୍ କୁମାର ବର୍ମା, ସଂପାଦକ ସାକିର୍ ଖାଁ, ଉପସଭାପତି ଅସିତ୍ କୁମାର ସାହୁ, ଯୁଗ୍ମ ଉପସଭାପତି ପ୍ରତାପ କୁମାର ବରାଳଙ୍କ ସମେତ ଢେଙ୍କାନାଳ ଭିଭୋର ଡିଷ୍ଟ୍ରିବ୍ୟୁଟର ମନୋଜ କୁମାର ପୃଷ୍ଟି ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।
“ଓପୋ’ର ଏ.ଏସ୍.ଏମ୍. ଦୀପକ କୁମାର ସିଂ, “ଭିଭୋ’ର ଟି.ଏସ୍.ଏମ୍. କାହ୍ନୁ ଚରଣ ମାଝୀ ଓ ଜୟନ୍ତ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅଲ୍ ଇଣ୍ଡିଆ ମୋବାଇଲ୍ ରିଟେଲର୍ ଆସୋସିଏସନ୍ ଆହ୍ୱାନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର ସାରା ଭାରତ ବର୍ଷର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇ ୨୦ ହଜାରରୁ ଉର୍ଦ୍ଧ୍ୱ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିବାବେଳେ ଓଡିଶାରେ ୧ ହଜାରରୁ ଉର୍ଦ୍ଧ୍ୱ ରକ୍ତ ସଂଗୃହୀତ ହୋଇଥିଲା ।
କେବଳ ରକ୍ତଦାନ ନୁହେଁ ଢେଙ୍କାନାଳ ମୋବାଇଲ୍ ବିକ୍ରେତା ସଂଘ ବ୍ୟବସାୟ ସହ ଆଗାମୀ ଦିନରେ ଜିଲ୍ଲାରେ ରକ୍ତର ଅଭାବ ପୂରଣ ପାଇଁ ବିଭିନ୍ନ ସମୟରେ ରକ୍ତଦାନ ଶିବିର ଆୟୋଜନ କରିବା ସହ ବିଭିନ୍ନ ସମାଜସେବାରେ ନିଜକୁ ସାମିଲ୍ କରିବ ବୋଲି ସଂଘ ସଭାପତି ଶ୍ରୀ ବର୍ମା ପ୍ରକାଶ କରିଛନ୍ତି ।