ସମ୍ଭାବ୍ୟ ବନ୍ୟା,ବାତ୍ୟା ମୁକାବିଲା ପାଇଁ ମକ୍ ଡ୍ରିଲ ନିମନ୍ତେ ଟେବୁଲ ଟପ୍ ଅଭ୍ୟାସ ଅନୁଷ୍ଠିତ !

ଢେଙ୍କାନାଳ : ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଢେଙ୍କାନାଳଙ୍କ ଆନୁକୁଲ୍ୟରେ ସମ୍ଭାବ୍ୟ ବନ୍ୟା, ବାତ୍ୟାର ମୁକାବିଲା ନିମନ୍ତେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଏକ ଟେବୁଲ ଟପ୍ ଅଭ୍ୟାସ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ ସରୋଜ କୁମାର ସେଠୀ ବୈଠକରେ ଅଧ୍ୟକ୍ଷତା କରି ଜୁନରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ବିବିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ଆସିବାର ସମ୍ଭାବନା ଥିବା ଦୃଷ୍ଟିରୁ ପୂର୍ବ ସୂଚନା ଅନୁସାରେ ପ୍ରତ୍ୟେକ ସ୍ତରରେ ସମସ୍ତେ ସଚେତନ ଓ ସତର୍କ ରହି ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ।

ଭୁବନ ଏବଂ ଗଁଦିଆ ଅଞ୍ଚଳରେ ଖାଲୁଆ ଅଞ୍ଚଳରେ ବନ୍ୟାଜଳ ପ୍ଲାବିତ ହେବାର ଆଶଙ୍କା ଥିବାରୁ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ କହିଛନ୍ତି । ବିଶେଷ ସତର୍କ ସୂଚନା ମିଳିଲେ ଯଥାଶୀଘ୍ର ଲୋକମାନଙ୍କୁ ସ୍ଥାନାନ୍ତରଣ କରିବାର ବ୍ୟବସ୍ଥା କରିବା ସହ ଶୁଖିଲା ଖାଦ୍ୟ, ପାନୀୟ ଜଳ, ଅତ୍ୟାବଶ୍ୟକ ଔଷଧ, କିରୋସିନ , ପ୍ରାଣୀସମ୍ପଦ ନିମନ୍ତେ ଖାଦ୍ୟ ଆଦି ଆଶ୍ରୟ ସ୍ଥଳୀ ଗୁଡିକରେ ମହଜୁଦ ରଖି ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ବିଭାଗୀୟ ଅଧକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କୌଣସି ଅଞ୍ଚଳ ବନ୍ୟା ଅଥବା ବାତ୍ୟାରେ ପ୍ରଭାବିତ ହେଲେ ତୁରନ୍ତ ରାସ୍ତା ଘାଟକୁ ଗମନା ଗମନ ଉପଯୋଗୀ କରିବାକୁ ସେ ଓଡ୍ରାଫ ଟିମକୁ ପରାମର୍ଶ ଦେଇଛନ୍ତି । ଏହା ଦ୍ୱାରା ପ୍ରଭାବିତ ଲୋକଙ୍କ ନିକଟରେ ତୁରନ୍ତ ଆବଶ୍ୟକ ସାହାଯ୍ୟ ସହଯୋଗ କରାଯାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି । ପ୍ରତ୍ୟେକଙ୍କ ଜୀବନ ଅତି ମୂଲ୍ୟବାନ । ତେଣୁ ଯେ କୌଣସି ପ୍ରକାର ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରି କାହାରି ଯେପରି ମୃତ୍ୟୁ ନ ଘଟେ ସେଥିପ୍ରତି ସର୍ବାଧିକ ଗୁରୁତ୍ୱ ଦେବାକୁ କହିଛନ୍ତି ।

ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କରେ ସ୍କୁଲ ପିଲାମାନଙ୍କୁ ମଧ୍ୟ ସଚେତନ କରାଇବା ସହ ସେମାନେ ନିଜକୁ କିପରି ସୁରକ୍ଷିତ ରଖିପାରିବେ ସେଥିପାଇଁ ସେମାନଙ୍କୁ ଉଚିତ ପରାମର୍ଶ ଦେବା ନିମନ୍ତେ କହିଛନ୍ତି । ବନ୍ୟା ସମୟରେ ଦେଶୀ ଡଙ୍ଗାରେ ପାର ହେଲାବେଳେ ସର୍ବାଧିକ ସତର୍କ ରହି ଜୀବନ ରକ୍ଷା ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଗୁରୁତ୍ୱରୋପ କରିଛନ୍ତି ।

ବୈଠକରେ ବିପର୍ଯ୍ୟୟ ପରିଚାଳନାର ଯୁଗ୍ମ ସମ୍ପାଦକ ଧୀରେନ୍ଦ୍ର କୁମାର ସାହୁ ଯୋଗଦେଇ କହିଲେ ଯେ, ଆଜିର ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସୂଚନା ବହୁ ପୂର୍ବରୁ ବିଭିନ୍ନ ବୈଷୟିକ ଜ୍ଞାନ ମାଧ୍ୟମରେ ମିିଳିପାରୁଛି । ଏଣୁ ତୃଣମୁଳ ସ୍ତରରେ ଜନସାଧାରଣ ସୂଚନା ମୂତାବକ ସଚେତନ ହୋଇ ଶାରୀରିକ ଓ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟକୁ ସାହାଯ୍ୟ କରିବା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ । ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଲୋକମାନଙ୍କୁ ଅଧିକ ସଚେତନ କରିପାରିଲେ କେହି ମୃତାହତ ହେବେ ନାହିଁ ଓ ଧନଜୀବନ ରକ୍ଷା କରାଯାଇ ପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ଡିଜାଷ୍ଟର ରିସ୍କ ରିଡକ୍ସନ କନସଲଟାଣ୍ଟ ସଙ୍ଗୀତା ଦାଶ ବିଭିନ୍ନ ବିଭାଗ ଦ୍ୱାରା ପୂର୍ବ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ପାୱାର ପଏଣ୍ଟ ମାଧ୍ୟମରେ ଅବଗତ କରାଇଥିଲେ । ଆବଶ୍ୟକ ସ୍ଥଳେ ସାଟେଲାଇଟ ଫୋନ ଓ ପାୱାର ବୋଟର ବ୍ୟବସ୍ଥା କରାଯିବ । ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଯୁବକମାନେ ଯେପରି ସହଯୋଗ କରିପାରିବେ ସେଥିପାଇଁ ବ୍ୟବସ୍ଥା କରାଯିବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ମାନଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ ବିହିତ ପ୍ରସ୍ତୁତି, ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି, ଓଡ୍ରାଫ ଟିମର ପ୍ରସ୍ତୁତି, ଗର୍ଭବତୀ ମହିଳା, ବୃଦ୍ଧ,ବୃଦ୍ଧା, ବିକଳାଙ୍ଗ ଓ ଶିଶୁମାନଙ୍କର ସୁରକ୍ଷା ବ୍ୟବସ୍ଥା, ବିଦ୍ୟୁତ ସରବରାହକୁ ଯଥାଶୀଘ୍ର ସ୍ୱାଭାବିକ କରିବା , କୃଷି ଉତ୍ପାଦର ସୁରକ୍ଷିତ ଅମଳ, ବନ୍ୟା-ବାତ୍ୟା ଅଥବା ମରୁଡି ପରବର୍ତୀ କୃଷି କାର୍ଯ୍ୟ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ, ମାଛ ଚାଷର ସୁରକ୍ଷା, ରାସ୍ତା ଘାଟର ମରାମତି ନିମନ୍ତେ ପ୍ରସ୍ତୁତି, କ୍ଷତିଗ୍ରସ୍ତଙ୍କୁ ଆବଶ୍ୟକ ସହାୟତା ପ୍ରଦାନ, ଜନସେଚନ ଆଦି ପୂର୍ବ ପ୍ରସ୍ତୁତି ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ପ୍ରକାଶ କରିଥିଲେ ।

ବୈଠକରେ ଆପାତକାଳୀନ ଅଧିକାରୀ ସ୍ନିଗ୍ଧାଛାୟା ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ (ସାଧାରଣ) ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଦେହୁରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଅଶୋକ କୁମାର ଦାଶଙ୍କ ସମେତ ପ୍ରମୁଖ ଅଧିକାରୀଗଣ ଏବଂ ଓଡ୍ରାଫର ସଦସ୍ୟମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

twenty − fifteen =