ରଜ ରେ ନିଆରା ପରମ୍ପରା କୁଆଁରୀ ବିବାହ ….

ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ କଣ୍ଟାପାଳ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ କୁସୁମୁଣ୍ଡିଆ ଗ୍ରାମରେ ରଜରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳେ।

ଗ୍ରାମରେ ପାଖାପାଖି ୧୦୦ ଘର ଲୋକ ବାସ କରନ୍ତି। ବହୁ ବର୍ଷ ଧରି ଗ୍ରାମରେ ଏହି ପରମ୍ପରା ଦେଖିବାକୁ ମିଳୁଛି। ପ୍ରତିବର୍ଷ ପହିଲି ରଜରେ ଏହି ଗ୍ରାମରେ କୁଆଁରୀ ବିବାହ ଅନୁଷ୍ଠିତ ହୋଇଥାଏ।ଏହି ବିବାହ ଦୁଇ ଝିଅଙ୍କ ମଧ୍ୟରେ ହୋଇଥାଏ। ରଜର କିଛି ଦିନ ପୂର୍ବରୁ ବିବାହ ପାଇଁ କୁଆଁରୀ ଝିଅ ଠିକ୍ କରାଯାଇ ଏକ ସଭାର ଆୟୋଜନ କରାଯାଏ।

ଏହି ସଭାରେ ଗ୍ରାମର ସମସ୍ତ ଲୋକ ଏକାଠି ହୁଅନ୍ତି ଓ ନିଜର ସକ୍ଷମ ଅନୁଯାଇ ଟଙ୍କା ପଇସା ଏବଂ ଅନ୍ୟାନ୍ୟ ଜିନିଷ ଦେଇଥାନ୍ତି। ଏହି ବିବାହରେ ସମସ୍ତ ନୀତିକାନ୍ତି ପାରମ୍ପରିକ ବିବାହ ନୀତିକାନ୍ତିରେ ଅନୁଷ୍ଠିତ ହୋଇଥାଏ। ସମସ୍ତ କାର୍ଯ୍ୟ ଗୋଟିଏ ଦିନରେ ହିଁ ସମ୍ପନ୍ନ ହୋଇଥାଏ। ସବୁଠାରୁ ବଡ଼ କଥା ହେଲା ବିବାହର ସମସ୍ତ କାର୍ଯ୍ୟ କେବଳ ମହିଳା ମାନଙ୍କ ଦ୍ଵାରା ସମାପନ ହୋଇଥାଏ। କେବଳ ବ୍ରାହ୍ମଣ ଓ ବାରିକକୁ ଛାଡ଼ିଦେଲେ ପୁରୁଷ ମାନଙ୍କୁ ଏହି ବିବାହରେ ସଂପୂଣ୍ଣ ବାରଣ କରାଯାଏ।

ବିବାହ ଦିନ ଯେମତି ବର, ବରଯାତ୍ରୀ ବାଜା ନେଇ କନିଆ ଘରକୁ ଯାଏ ଠିକ୍ ସେମିତି ଏହି ବିବାହରେ କୁଆଁରୀ ଝିଅ ଟି ବରବେଶ ସାଜି ସାଙ୍ଗରେ ବରଯାତ୍ରୀ ନେଇ କନିଆ ଘରକୁ ଯାଇଥାଏ।ବାଜା ରୋଷଣିରେ ବରଯାତ୍ରୀ ମାନେ ନାଚଗୀତ କରିଥାନ୍ତି। ହେଲେ ବରଯାତ୍ରୀ ରେ କେବଳ ମହିଳା ଆଉ ଝିଅ ମାନେ ହିଁ ଯାଇଥାନ୍ତି। ନୀତି କାନ୍ତି ଅନୁଯାଇ ବିବାହ ସମ୍ପନ୍ନ ହେଲା ପରେ ଭୋଜିଭାତ ଆୟୋଜନ ହୋଇଥାଏ। ଗ୍ରାମର ସମସ୍ତ ଲୋକ ଏଥିରେ ଯୋଗ ଦେଇଥାନ୍ତି।ବିବାହର ପର ଦିନ ଅର୍ଥାତ୍ ରଜ ସଂକ୍ରାନ୍ତି ଦିନ ବିବାହ ହୋଇଥିବା ଦୁଇ ଝିଅଙ୍କ ପରିବାର ଲୋକ ଏକାଠି ହୁଅନ୍ତି। ପରିବାର ଲୋକଙ୍କ ଉପସ୍ଥିତିରେ ଝିଅ ଦୁଇ ଜଣ ସଙ୍ଗାତ ବସନ୍ତି ଏବଂ ଉଭୟଙ୍କ ପରିବାର ଲୋକ ସାରା ଜୀବନ ବନ୍ଧୁ ହୋଇ ରହିବାର କଥା ଦେଇଥାନ୍ତି। ଆଉ ସୁଖ ଦୁଃଖରେ ପାଖରେ ଛିଡ଼ା ହୋଇ ନିଜର ବନ୍ଧୁତ୍ୱ ନିଭେଇ ଥାଆନ୍ତି।

ଏମିତି ନିଆରା ପରମ୍ପରା ଓଡ଼ିଶାର ଆଉ କୌଣସି ଜାଗାରେ ଦେଖିବାକୁ ମିଳେନାହିଁ। ଏହି ବିବାହ ଦେଖିବା ପାଇଁ ଆଖପାଖ ଗାଁର ଲୋକମାନେ ଜମା ହୁଅନ୍ତି ।

ସଞ୍ଜିତ୍ ଦାସ, ଢେଙ୍କାନାଳ

Leave A Reply

Your email address will not be published.

sixteen − one =