ବହ୍ନି କନ୍ୟା ନନ୍ଦିନୀ ଶତପଥୀଙ୍କର ୯୧ତମ ଜନ୍ମ ଜୟନ୍ତୀରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ !
ଢେଙ୍କାନାଳ :ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, କବୟତ୍ରୀ, ସୁସାହିତ୍ୟିକା, ଲେଖିକା ଏବଂ ଓଡିଶାର ପ୍ରତ୍ୟେକ ଓଡିଆଙ୍କ ହୃଦୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ତଥା ଅପରାଜିତା ନାୟିକା ବହ୍ନି କନ୍ୟା ନନ୍ଦିନୀ ଶତପଥୀଙ୍କର ୯୧ତମ ଜନ୍ମ ଜୟନ୍ତୀରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ।
“ଆମ ପ୍ରତିଭା ଆମ ସମ୍ମାନ’ ପକ୍ଷରୁ ସ୍ଥାନୀୟ ସାଂସଦଙ୍କ କାର୍ଯ୍ୟାଳୟ ଠାରେ ସଭାପତି ପ୍ରିୟରଞ୍ଜନ ମାହୁଁନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବେ ସାଂସଦ ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ନନ୍ଦିନୀ ଦେବୀ ଅନେକ ପ୍ରତିଭାର ଅଧିକାରିଣୀ ହେବାର ଗୌରବ ଅର୍ଜନ କରିଥିଲେ । ସମଗ୍ର ରାଜ୍ୟରେ ଭୂ-ସଂସ୍କାର ଆଇନ୍କୁ ପ୍ରଥମ କରି ଶ୍ରୀମତୀ ଶତପଥୀ ଲାଗୁ କରିଥିବାବେଳେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ପ୍ରଥମ ଶିଳ୍ପ ବିପ୍ଲବ ତାଙ୍କରି ଦ୍ୱାରା ଆରମ୍ଭ ହୋଇ ଅନେକ ଶିଳ୍ପ ପ୍ରତିଷ୍ଠା ହୋଇପାରିଥିଲା ।
ରାଜନୀତି କ୍ଷେତ୍ରରେ ସେ ବିଭିନ୍ନ ସମୟରେ ନିର୍ବାଚନ ଲଢି ପରାଜିତ ବରଣ କରିବା ଦୂରେ ଥାଉ ବରଂ ଅପରାଜିତା ନାୟିକା ଭାବେ ସମଗ୍ର ଭାରତବର୍ଷରେ ଆଉ ଏକ ପରିଚୟ ସୃଷ୍ଟି କରିଥିଲେ । ତାଙ୍କର ଏହି ସୁଦୁର ପ୍ରସାରୀ ପ୍ରତିଭା ବିଶ୍ୱ ଦରବାରରେ ନନ୍ଦିନୀ ଦେବୀଙ୍କୁ ପରିଚିତ କରାଇଥିବାବେଳେ ତାଙ୍କ ସହିତ ମୋର ମଧ୍ୟ ବିଧାନସଭାରେ ମିଶିବାର ସୌଭାଗ୍ୟ ମିଳିଥିଲା, ଏହା ବ୍ୟତୀତ ଓଡିଶାର ବିଶିଷ୍ଟ ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ବିଧାୟକ ଥିବାବେଳେ ଅତି ନିକଟରେ ଭେଟିବାର ସୁଯୋଗ ମିଳିଥିଲା । ମୋର ଗଭୀରତମ ହୃଦୟରୁ ଶ୍ରୀମତୀ ଶତପଥୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି କହିଥିଲେ ।