୫୫ନଂ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ମନ୍ଥରତା ନେଇ ଅସନ୍ତୋଷ ତେଜିଲା : ଜିଲ୍ଲା ଓକିଲ ସଂଘ ଆହ୍ୱାନରେ ଜରୁରୀ ବୈଠକ !

ଢେଙ୍କାନାଳ : ଜିଲ୍ଲା ଓକିଲ ସଂଘ ଆହ୍ୱାନ କ୍ରମେ ସଂଘ କାର୍ଯ୍ୟାଳୟ ଠାରେ ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଓ ଜିଲ୍ଲା ସାମ୍ବାଦିକ ସଂଘ କର୍ମକର୍ତାଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ଓକିଲ ସଂଘ ସଭାପତି ସଞ୍ଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ୫୫ନଂ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ପ୍ରତିଶ୍ରୁତି ମୁତାବକ ଆଶାନୁରୂପ ଭାବେ, ନିର୍ଦ୍ଧାରିତ ସମୟ ମଧ୍ୟରେ ଆଗେଇ ନଥିବାରୁ ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।

ପ୍ରକାଶଥାଉକି, ୫୫ନଂ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡିରହିବା ଓ ବିପଦ ସଙ୍କୁଳ ହେବା ଯୋଗୁଁ ଛୋଟବଡ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧିପାଉଥିଲା । ତେଣୁ ଗତ ଅପ୍ରେଲ୍ ମାସରେ ଜିଲ୍ଲା ଓକିଲ ସଂଘର ଆହ୍ୱାନରେ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ, ଜିଲ୍ଲା ସାମ୍ବାଦିକ ସଂଘ, ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷଙ୍କୁ ନେଇ ଗତ ୨୮.୦୪.୨୦୨୨ରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ବୈଠକ ବସିଥିଲା । ଉକ୍ତ ବୈଠକରେ ନିଷ୍ପତି ଅନୁସାରେ ଜୁନ୍ ମାସ ୧୫ ତାରିଖ ସୁଦ୍ଧା ମଙ୍ଗୁଳି ଛକଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ ଗୋଟିଏ ପାଶ୍ୱର୍ ରାଜପଥ ସଂପ୍ରସାରଣ କାର୍ଯ୍ୟ ଶେଷ ହେବ ବୋଲି ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପ୍ରତିଶୃତି ଦେଇଥିଲେ । ଦ୍ୱିତୀୟ ନିଷ୍ପତି ଅନୁଯାୟୀ ଏକ ପ୍ରତିନିଧି ମଣ୍ଡଳୀ ରାସ୍ତା ସଂପ୍ରସାରଣ କାର୍ଯ୍ୟ ପରିଦର୍ଶନ କରି ଏହାର ଅଗ୍ରଗତି ରିପୋର୍ଟ ଜିଲ୍ଲାପାଳଙ୍କୁ ଦେବେ ।

କିନ୍ତୁ ବର୍ତମାନ ସୁଦ୍ଧା ପ୍ରତିଶୃତି ମୁତାବକ ରାଜପଥ ସଂପ୍ରସାରଣ କାର୍ଯ୍ୟ ସନ୍ତୋଷଜନକ ଅଗ୍ରଗତି ହୋଇନଥିବାରୁ ଜିଲ୍ଲା ଓକିଲ ସଂଘ ଆହ୍ୱାନରେ ଅନୁଷ୍ଠିତ ଜରୁରୀ ବୈଠକରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଥିଲା । ଦ୍ୱିତୀୟ ନିଷ୍ପତି କାର୍ଯ୍ୟକାରୀ କରିବା ନିମନ୍ତେ ଗଠିତ ହେବାକୁ ଥିବା ପ୍ରତିନିଧି ଦଳ ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୀର୍ଘ ଦେଢମାସ ପରେ ଗତ ତା୨୬.୦୫.୨୦୨୨ରିଖରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦସ୍ତଖତରେ ଏକ ସରକାରୀ ଚିଠି ଇସୁ କରାଯାଇ ତା.୦୮.୦୬.୨୦୨୨ରିଖ ରେ ଜିଲ୍ଲା ଓକିଲ ସଂଘ ସଂପାଦକଙ୍କ ନିକଟକୁ ପଠାଯାଇଥିଲା । ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ତା୨୬.୦୫.୨୦୨୨ରିଖରେ ଇସୁ କରାଯାଇ ହ୍ୱାଟ୍‌ସଆପ୍ ଜରିଆରେ ସଂପୃକ୍ତ ପକ୍ଷମାନଙ୍କୁ ତା.୦୮.୦୬.୨୦୨୨ ରିଖରେ ମିଳିବା ନେଇ, ଜିଲ୍ଲା ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ଜିଲ୍ଲା ପ୍ରଶାସନର ଏହି ବିଳମ୍ବିତ ଚିଠି ମୁତାବକ ଆସନ୍ତା ଶନିବାର ଗଠିତ ପ୍ରତିନିଧି ଦଳ ରାଜପଥ ସଂପ୍ରସାରଣ କାର୍ଯ୍ୟ ଅନୁଧ୍ୟାନ କରିବା ପାଇଁ ଯିବେ ବୋଲି ନିଷ୍ପତି ହେଲା । ସଂପ୍ରସାରଣ କାର୍ଯ୍ୟ ସଂପର୍କରେ ସବିଶେଷ ସୂଚନା ଜିଲ୍ଲାପାଳଙ୍କୁ ଭେଟି, ତାଙ୍କ ସହ ଆଲୋଚନା କରି, ବର୍ତମାନ ସ୍ଥିତି ସଂପର୍କରେ ଲିଖିତ ଭାବରେ ଅବଗତ କରାଯିବ । ୫୫ନଂ ଜାତୀୟ ରାଜପଥ ସଂପ୍ରସାରଣ, ମରାମତି ଓ ରକ୍ଷଣାବେକ୍ଷଣ ସଂପର୍କୀତ ଏକ ସାମୁହିକ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ ପ୍ରାଧିକରଣଙ୍କର ବୈମାତୃକ ମନୋଭାବନ ନେଇ ବୈଠକରେ ଉପସ୍ଥିତ ସଦସ୍ୟମାନେ ଗଭୀର କ୍ଷୋଭ ପ୍ରକାଶ କରିଥିଲେ ।

ସଂପ୍ରସାରଣ କାର୍ଯ୍ୟ ଶେଷ ହେବା ସଂପର୍କରେ ଜିଲ୍ଲାପାଳଙ୍କ ଠାରୁ ସନ୍ତୋଷଜନକ ଉତର ନ ମିଳିଲେ ଆଗାମୀ ଦିନରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ସଂଗଠନଙ୍କ ମତାମତ ନେଇ ଢେଙ୍କାନାଳ ବନ୍ଦ କରାଯିବ ବୋଲି ବୈଠକରେ ଚେତାବନୀ ଦିଆଯାଇଛି । ଉକ୍ତ ବୈଠକରେ ଜିଲ୍ଲା ଓକିଲ ସଂଘ ସଭାପତି ସଂଞ୍ଜୟ କୁମାର ମିଶ୍ରଙ୍କ ସମେତ ସଂପାଦକ ଟଙ୍କଧର ବେହେରା, ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଉପସଭାପତି ରୋଟାରିଆନ୍ ରାଜକିଶୋର ବେହେରା, ମହେଶ ଅଗ୍ରୱାଲ, ସଂପାଦକ ଦେବବ୍ରତ ଭଟ୍ଟ, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରସନ୍ନ କୁମାର ପ୍ଟଟନାୟକ ଓ ସଂପାଦକ ସତ୍ୟ ସ୍ୱରୂପ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

2 + ten =