ଆଇଆଇଏମସିର ସବୁଜ ପରିବେଶରେ ଆକର୍ଷଣୀୟ ଚିତ୍ରକଳା ମଧୁବନୀ ପରେ ଅଙ୍କାଚାଲିଛି ଆଧୁନିକ ଆର୍ଟ : କାନ୍ଥରେ ପଶୁପକ୍ଷୀ ଚିତ୍ର ଲାଗିବ ଜୀବନ୍ତ !
ଢେଙ୍କାନାଳ :ଚାରିପଟେ ଗଛଲତା ସବୁଜ ପରିବେଶ । ତାରି ମଝିରେ ସୁନ୍ଦର କୋଠାଗୁଡିକ ଛିଡା ହୋଇଛି । କୋଠାର କାନ୍ଥଗୁଡିକ ସାଦାସିଧା ଥିଲା । ସେ କାନ୍ଥ ଏବେ କଥାକହୁଛି । କେଉଁଠି ସାମ୍ବାଦିକ ଜୀବନର କଥା ତ ଆଉ କେଉଁଠି ରାମାୟଣର କଥାବସ୍ତୁ, ଆଉ କେଉଁଠି ପ୍ରକୃତିର ବୈଭବକୁ ତୋଳିଧରିଛି । ସତେ ଯେପରି ଜବନ୍ତ ହୋଇପଡିଛି ନିର୍ଜୀବ କାନ୍ଥ ।
ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମସି)ର ପରିବେଶ ବେଶ୍ ସୁନ୍ଦର । ଢେଙ୍କାନାଳ ସହରରେ ଥିବା ଏହି ଜାତୀୟ ସ୍ତରର ଅନୁଷ୍ଠାନ କେବଳ ପାଠପଢା ନୁହଁ, ବରଂ ତାର ବତାବରଣ ସବୁବେଳେ ଛାତ୍ରଛାତ୍ରୀ, ଅତିଥି ଅଭ୍ୟାଗତକୁ ଆକର୍ଷିତ କରିଆସୁଛି । ପାଣି ଓହଳା ପାହାଡର ପାଦ ଦେଶରେ ନାଲି ରଙ୍ଗର ସୁ୍ନ୍ଦର ସୁନ୍ଦର କୋଠା । ଆଉ ପରିସର ଭିତରେ ସୁସଙ୍ଗଠିତ ସୁବିଧା ସୁଯୋଗ । ୨୦୦୦ ମସିହାରେ ଏହି ନୂତନ ପରିସରରେ ପାଠ ପଢା ଆରମ୍ଭ ହୋଇଥିଲା । ସେତେବେଳେ ଥୁଂଟା ପାହାଡ ଉପରେ କୋଠାମାନ ଛିଡା ହୋଇଥିଲା । ଧୀରେ ଧୀରେ ଗଛ,ଲତା ବଡ ହୋଇ ଏବେ ଏହା ଅତ୍ୟନ୍ତ ସୁନ୍ଦର ରୂପ ନେଇଛି ।
ଅନ୍ୟତମ ଆକର୍ଷଣ ପାଲଟିଛି ପ୍ରାଚୀର ଚିତ୍ର । ଗତ କିଛି ମାସ ତଳେ ଅଙକିତ ମଧୁବନୀ ଚିତ୍ରକଳା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଛି । ଛାତ୍ରଛାତ୍ରୀ, ଅଧ୍ୟାପକମାନେ ଚିତ୍ରକଳାକୁ ଉପଭୋଗ କରୁଛନ୍ତି । ତା ପାଶ୍ୱର୍ରେ ଥବା ଅଧ୍ୟାପକ କ୍ୱାର୍ଟର୍ସରେ ଏବେ ଏକ ନୂତନ ଆଧୂୁନିକ ଚିତ୍ରକଳା ଅଙ୍କନ ଚାଲିଛି । ହରୀଣ, ହାତୀ, ଚଢେଇ ଗଛଲତାର ଏକ ସୁନ୍ଦର ଚିତ୍ରର ରୂପରେଖ ତିଆରି ହୋଇଛି ।
ଭାଙ୍ଗି ପଡିଥିବା ପିଜୁଳି ଗଛକୁ ସଜେଇ ଏଠାରେ ଟଙ୍ଗା ଯାଇଛି । ଏ ସବୁକୁ ଜୀବନ୍ତ ରୂପ ଦେବାରେ ଲାଗିଛନ୍ତି ସାମ୍ବାଦିକ ଶିକ୍ଷାନବୀଶମାନେ । ବୈଷୟିକ ସଂଯୋଜକ ତଥା ଚିତ୍ରକର ବଦ୍ରୀନାଥ ଜେନାଙ୍କ ନେତୃତ୍ୱରେ ୪ ଜଣ ଛାତ୍ରୀ ଓ ୩ ଜଣ ଛାତ୍ର ଚିତ୍ରକୁ ଅଙ୍କନ କରୁଛନ୍ତି ।ସେମାନେ ହେଲେ ପ୍ରଶାନ୍ତ କୁମାର, ଇଜାଜ ଖାନ, ରଜତ ଖରଗୱାଲ, ପ୍ରୀତିନନ୍ଦ୍ା ବେହେରା, କାଭ୍ୟା ନାୟାର, ଶୁଭଲକ୍ଷ୍ମୀ ଓଝା, ରୂପାଲି ଚୌଧୁରୀ । ଗତ ୨୪ ତାରିଖ ପ୍ରାରମ୍ଭିକ ରଙ୍ଗ ମାରି କାର୍ଯ୍ୟାରମ୍ଭ କରିଥିଲେ ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ ସର ।
ଜୈବ ବିବିଧତାରେ ଭରପୁର ଆଇଆଇଏମସି ପରିସର । ଅନେକ ସମୟରେ ହରିଣ ପରିସର ଭିତରକୁ ଚାଲିଆସିବାର ଦେଖାଯାଏ । ତା ସାଙ୍ଗକୁକେତେ ଜଙ୍ଗଲୀ ଜୀବ ଆସି ପୁଣି ଜଙ୍ଗଲ ଭିତରକୁ ଚାଲିଯାନ୍ତି । କ୍ୟାମ୍ପସର ଏ ବିବିଧତାକୁ ନେଇ ବେଶ ଖୁସି ବ୍ୟକ୍ତ କରନ୍ତି ଆଞ୍ଚଳିକ ପ୍ରଫେସର ମୃଣାଳ ଚାଟାର୍ଜୀ । ତାଙ୍କ ପରିକଳ୍ପନାରେ କ୍ୟାମ୍ପସର ପ୍ରାକୃତିକ ପରିବେଶ ଆହୁରି ଆକର୍ଷଣୀୟ ହୋଇ ଉଠିଛି । ପୂର୍ବାଞ୍ଚଳର ଏ କ୍ୟାମ୍ପସକୁ କଳା ଓ ସଂସ୍କୃତିର ଛାପ ଦେଇଛନ୍ତି ।
ଆଦିବାସୀ ଚିତ୍ରକଳା, ମଧୁବନୀ ଓ ମଣ୍ଡଳ ଆର୍ଟ ପରେ ଏବେ ଆଧୁନିକ ଚିତ୍ର (ମଡର୍ଣ୍ଣ ଆର୍ଟ)ରେ ଆଇଆଇଏସି କାନ୍ଥ ଝଲିସି ଉଠୁଛି । ପାଠପଢା ସହ ଛାତ୍ରଛାତ୍ରୀଙ୍କୁ କଳା, ସଂସ୍କୃତି ପ୍ରତି ଆକୃଷ୍ଟ କରିବାରେ ସହାୟକ ହେଉଛି । ବିଭିନ୍ନ ପ୍ରଦେଶରୁ ଆସୁଥବା ଛାତ୍ରଛାତ୍ରୀ ନିଜକୁ ଚିତ୍ରକଳା ସହ ସମ୍ପୃକ୍ତି କରି ବେଶ ଆନନ୍ଦିତ ହେଉଛନ୍ତି ।