ବୈଚାରିକ ସଂଘର୍ଷରେ ସଂଘ ହିନ୍ଦୁତ୍ୱର ସମର୍ଥକ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ !

ଢେଙ୍କାନାଳ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଥମ ବର୍ଷ ସଂଘ ଶିକ୍ଷାବର୍ଗ ସ୍ଥାନୀୟ ଭଗବାନପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଅଛି ।

ଓଡିଶାର ପୂର୍ବ ଭାଗରେ ଥିବା ୧୬ଟି ଜିଲ୍ଲାର ୧୫୨ଜଣ ଶିକ୍ଷାର୍ଥୀଙ୍କ ସମେତ ୫୨ ଜଣ ଶିକ୍ଷକ ଓ ପ୍ରବନ୍ଧକ ଏହିଭଳି ୨୦୪ଜଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ହାତରୁ ୮ଶହ ଟଙ୍କା ଶୁଳ୍କ ପ୍ରଦାନ କରି ୨୦ଦିନ ଧରି ଏହି ଶିବିରରେ ବିଭିନ୍ନ ଶାରୀରିକ ଓ ବୌଦ୍ଧିକ କାର୍ଯ୍ୟକ୍ରମର ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।

ଏହି ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଡାକ୍ତର, ଇଂଜିନିୟର, ଅଧ୍ୟାପକ, ବ୍ୟାଙ୍କ କର୍ମଚାରୀ, ଶିକ୍ଷକ, ସ୍ନାତକ ଓ ସ୍ନାତକୋତର ଛାତ୍ର, ବ୍ୟବସାୟୀ ଓ କୃଷକ ଉପସ୍ଥିତ ଥିଲେ । ପ୍ରତ୍ୟହ ସକାଳ ୪.୩୦ମି. ସମୟରେ ପ୍ରାତଃ ଜାଗରଣ ପରେ ରାତ୍ରୀ ୧୦ଟା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ୱୟଂସେବକମାନେ ବିଭିନ୍ନ ଶାରିରୀକ ଓ ବୌଦ୍ଧିକ କାର୍ଯ୍ୟକ୍ରମର ଅଭ୍ୟାସ କରିଥିଲେ । ଅନୁଷ୍ଠିତ ସମାରୋପ କାର୍ଯ୍ୟକ୍ରମରେ ସେମାନେ ପ୍ରଶିକ୍ଷଣ ନେଇଥିବା ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିଥିଲେ ।

ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ ପ୍ରଚାରକ ବିପିନ୍ ପ୍ରସାଦ ନନ୍ଦ ଯୋଗଦେଇ ଉପସ୍ଥିତ ସ୍ୱୟଂସେବକ ଓ ସାଧାରଣଜନତାଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବର୍ତମାନ ସମୟରେ ବିଶ୍ୱରେ ଚାଲୁଥିବା ବିଭିନ୍ନ ବିଚାରଧାରାର ସଂଘର୍ଷ ମଧ୍ୟରେ ଭାରତୀୟ ବିଚାର ବା ହିନ୍ଦୁ ବିଚାରର ପ୍ରତିନିଧିତ୍ୱ କରେ ।

ସଂଘର ଏହି କାର୍ଯ୍ୟ କେବଳ ସଂଘର ମୌଳିକ ବିଚାର ନୁହେଁ, ବରଂ ସ୍ୱାମୀ ବିବେକାନନ୍ଦ ଓ ରାମତୀର୍ଥଙ୍କ ଭଳି ମହାପୁରୁଷ ମାନେ ଯେଉଁ ବିଚାରକୁ ରଖିଥିଲେ ସେହି ବିଚାର ଅନୁରୂପ ସମାଜର ସମସ୍ତ ବ୍ୟବସ୍ଥା ନିର୍ମାଣର ଦାୟିତ୍ୱ ସଂଘ ନିଜ ଉପରକୁ ନେଇଛି । ଏହି କାର୍ଯ୍ୟକୁ ଅଧିକ ଗତିଶୀଳ ହେବା ପାଇଁ ମୁଖ୍ୟବକ୍ତା ସଂପୂର୍ଣ୍ଣ ସମାଜକୁ ନିବେଦନ କରିଥିଲେ । ଉକ୍ତ ସମାରୋପ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସରକାରୀ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ, ଲେଖକ, ଗାଳ୍ପିକ, ସମାଲୋଚକ ଓ ସମାଜସେବୀ ଡ. ଭବାନୀ ଶଙ୍କର ମିଶ୍ର ଯୋଗଦେଇ ନିଜ ବକ୍ତବ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସମାଜସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ଏହି ସଂଗଠନ ମାଧ୍ୟମରେ ଏକତ୍ରିତ ହୋଇ ଦେଶର ବିକାଶ କରିବା ପାଇଁ ସେ ସମସ୍ତ ନାଗରିକ ତଥା ସ୍ୱୟଂସେବକମାନଙ୍କୁ ଆହ୍ୱାନ ଜଣାଇଥିଲେ । ପୂର୍ବପ୍ରାନ୍ତ ସଂଘ ଚାଳକ ସମୀର ମହାନ୍ତି ମଂଚାସୀନ ଥିଲେ । ସଂଘ ଶିକ୍ଷାବର୍ଗର ସମାରୋପ ଉତ୍ସବରେ ମଂଚାସୀନ ଥିବା ଶିକ୍ଷା ବର୍ଗର ବର୍ଗାଧିକାରୀ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ବୈକୁଣ୍ଠନାଥ ସାହୁ ବର୍ଗର ବିବରଣୀ ପାଠ କରିଥିଲେ । ବର୍ଗର କାର୍ଯ୍ୟବାହ ଅଶୋକ ରଣଜିତ୍ ଅତିଥି ପରିଚୟ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

thirteen − 13 =