ବାଲ୍ୟ ବିବାହକୁ ରୋକି ଶିକ୍ଷାର ମାନକୁ ବଢାଇବା ପାଇଁ ଶିକ୍ଷକ ଓ ଗ୍ରାମ ବା ଜାତି ମୁଖିଆମାନଙ୍କୁ ନେଇ ଦକ୍ଷତା ଶିିବିର : ଜିଲ୍ଲାର ବାଲ୍ୟ ବିବାହର ହାର ହେଉଛି ୨୩.୭ କୁ ହ୍ରାସ !
ଢେଙ୍କାନାଳ : ବାଲ୍ୟ ବିବାହକୁ ରୋକି ଶିକ୍ଷା ମାଧ୍ୟମରେ କିଶୋର ଓ କିଶୋରୀମାନଙ୍କର ଦକ୍ଷତା ବୃଦ୍ଧି କରାଇବା ଲାଗି ଜିଲ୍ଲା ପ୍ରଶାସନ, ୟୁନିସେଫ ଓ ଆକ୍ସନ ଏଡର ଏକ ମିଳିତ ସହଯୋଗରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ୨ଟି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।
ପ୍ରଥମ ଶିବିରରେ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ୪୦ ଜଣ ଶିକ୍ଷକଙ୍କ ସମେତ ୮ ଜଣ ବ୍ଳକ ଶିକ୍ଷା ଅଧିକାରୀ ଓ ୮ ଜଣ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମଧ୍ୟ ଯୋଗଦାନ କରିଥିଲେ ।ଏହି ଶିବିରରେ ଜିଲ୍ଲାରେ ଅଧାରୁ ପାଠପଢା ଛାଡିଥିବା ପିଲାମାନଙ୍କର ସମ୍ପୁର୍ଣ୍ଣ ତଥ୍ୟକୁ ଯୋଗାଡ କରି ସେମାନଙ୍କର ଅଭିଭାବକ ମାନଙ୍କ ସହିତ ଆଲୋଚନା କରିବା ।
ସେହି ପିଲାମାନଙ୍କୁ ପୁନର୍ବାର ବିଦ୍ୟାଳୟରେ ନାମ ଲେଖାଇବା । ଯେଉଁ ପିଲାମାନଙ୍କର ବୟସ ଅଧିକ ହୋଇଯାଇଥିବ ସେମାନଙ୍କୁ କିପରି ଧନ୍ଦାମୁଳକ ଶିକ୍ଷାରେ ଭର୍ତି କରାଇବା ଏହି କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ବସ୍ତୁ ଥିଲା ।ଦ୍ୱିତୀୟ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ୮ଗୋଟି ବ୍ଳକରୁ ଗ୍ରାମ ଓ ଜାତି ମୁଖିଆମାନେ ଯୋଗଦାନ କରିଥିଲେ । ସେମାନଙ୍କ ସହିତ ଗ୍ରାମରୁ ବାଲ୍ୟ ବିବାହକୁ କିପରି ରୋକାଯାଇପାରିବ,ଗ୍ରାମର ସମସ୍ତ ଶିଶୁ କିପରି ବିଦ୍ୟାଳୟକୁ ଯିବେ,ଶିଶୁମାନଙ୍କ ପାଇଁ ଥିବା ସମସ୍ତ ସରକାରୀ ଯୋଜନା ଏବଂ ଶିଶୁ ସୁରକ୍ଷାରେ ଗ୍ରାମ ଓ ଜାତି ମୁଖିଆ ମାନଙ୍କର ଭୁମିକା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।
ଉପରୋକ୍ତ ଉଦେଶ୍ୟ ନେଇ ଏହି ଦୁଇଟି କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ଜିଲ୍ଲାପାଳ ସରୋଜ କୁମାର ସେଠୀ କାର୍ଯ୍ୟକ୍ରମକୁ ଉଦଘାଟିତ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ଶିବିରରେ ଶ୍ରମୀତୀ ଅଙ୍ଗୁର ମିଶ୍ର ଜିଲ୍ଲା ସଂଯୋଜିକା , ୟୁନିସେଫ ଓ ଆକ୍ସନ ଏଡ ଆମ ଜିଲ୍ଲାର ବାଲ୍ୟ ବିବାହ ଓ ଅଧାରୁ ପାଠ ଛାଡିଥିବା ପିଲାଙ୍କ ସ୍ଥିତି ବିଷୟରେ ଆଲୋଚନା କରିଥିଲେ । ଯେପରିକି ବାଲ୍ୟ ବିବାହର ପ୍ରମୁଖ କାରଣ ହେଉଛି ଅଧାରୁ ପାଠ ଛାଡିବା । ଏନଏଫଏଚଏସ-୫ର ତଥ୍ୟ ଅନୁଯାୟୀ ଢେଙ୍କାନାଳ ଜିଲ୍ଲାର ବାଲ୍ୟ ବିବାହର ହାର ହେଉଛି ୨୩.୭ କୁ ହ୍ରାସ ପାଇଅଛି ।
ଆଗରୁ ଏନଏଫଏଚଏସ-୪ରେ ଏହା ୨୫.୪ ଥିଲା । ଚଳିତ ଦଶମ ଶ୍ରେଣୀ ପରୀକ୍ଷାରେ ରାଜ୍େୟ ୪୩୦୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇନଥିଲେ । ଆମ ଜିଲ୍ଲା ମଧ୍ୟ ସେଥିରୁ ବାଦ ପଡିନି । ବର୍ତମାନ ଏହି ପିଲାମାନଙ୍କ ସହିତ ଯୋଗାଯୋଗ କରିବାର ସମୟ । ସେହିପରି କିଶୋର ଓ କିଶୋରୀ ମାନଙ୍କ ପାଇଁ ହେଉଥିବା ଅଦ୍ୱିକା ଓ କଳ୍ପନା ଅଭିଯାନର ଅଧିକ ପ୍ରସାର କରାଇବା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ।
ଏହାପରେ ଜିଲ୍ଲା ଶିକ୍ଷା ଅଧିକାରୀ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାକୁ କିପରି ଅଧିକରୁ ଅଧିକ ପିଲାଙ୍କୁ କିପରି ଯୋଗାଇ ପାରିବା ସେ ବିଷୟରେ ଆଲୋଚନା କରିଥିଲେ । ତାପରେ ଜିଲ୍ଲା ନିଯୁକ୍ତି ଅଧିକାରୀ କିଶୋର ଓ କିଶୋରୀମାନଙ୍କର ଦକ୍ଷତା ବୃଦ୍ଧି କରାଇବା ପାଇଁ ଥିବା ଯୋଜନା ଯେପରିକି ତାଲିମ ଶିବିର,ଆଇଟିଆଇ ପାଠପଢା,ଜିଲ୍ଲାରେ ହେଉଥିବା ନିଯୁକ୍ତି ମେଳାବିଷୟରେ ଆଲୋଚନା କରିଥିଲେ । ଏହାପରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ସମସ୍ତ ବିଭାଗ କିପରି ମିଳିତ ଭାବରେ କାମ କରିବାର ଆବଶ୍ୟତା ଅଛି ସେ ବିଷୟରେ ଆଲୋକପାତ କରିଥିଲେ ।
ଏହାପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଥିବା ମାଗଣା ଶିକ୍ଷା, ପ୍ରାବାସିକ ବିଦ୍ୟାଳୟ ଓ ଛାତ୍ରାବାସ, ଉଚ୍ଚ ଶିକ୍ଷା ପାଇଁ ଥିବା ଧନରାଶିର ସୁବିଧା ବିଷୟରେ ଆଲୋକପାତ କରିଥିଲେ ।ଏହାପରେ ଶିଶୁ ମଙ୍ଗଳ ସମିତିର ସଦସ୍ୟ ନିରଞ୍ଜନ ମିଶ୍ର ଶିଶୁ ମଙ୍ଗଳ ସମିତିର କାମ ଓ ଶିଶୁମାନଙ୍କ ପାଇଁ ଥିବା ଯୋଜନା ଯେପରିକି ଆଶୀର୍ବାଦ ବିଷୟରେ ଆଲୋଚନା କରିଥିଲେ ।
ଏହାପରେ ଜିଲ୍ଲା ଶ୍ରମ ବିଭାଗ ନିର୍ମାଣ ଶ୍ରମିକ କାର୍ଡରେ ଥିବା ସୁବିଧା ଯେପରିକି ୧୮ ବର୍ଷ ପରେ ଝିଅର ବାହାଘର ପାଇଁ ଆର୍ଥିକ ସାହାଯ୍ୟ ଓ ଅଧିକ ପାଠ ପଢିବା ଲାଗି ଆର୍ଥିକ ସହାୟତା ରାଶି ବିଷୟରେ ସମ୍ୂର୍ଣ୍ଣ ଭାବେ ଆଲୋଚନା କରିଥିଲେ । ସମସ୍ତ ଆଲୋଚନା ପରେ ଜିଲ୍ଲାପାଳ ଉପସ୍ଥିତ ଥିବା ସଦସ୍ୟମାନଙ୍କୁ ସେମାନଙ୍କର ମତାମତ ପଚାରିଥିଲେ । ମତାମତରେ ସଦସ୍ୟମାନେ ସମସ୍ତ ବିଭାଗର ମିଳିତ ଭାବେ କାର୍ଯ୍ୟକ୍ରମ କରାଇବା ଆବଶ୍ୟକ ରହିଥିବାର ମତବ୍ୟକ୍ତ କରିଥିବା ବେଳେ ସମସ୍ତ ଯୋଜନାକୁ ନେଇ ଏକ ଇନଫରମେସନ ସିଟ ତିଆରି କରିବା ଜରୁରୀ ବୋଲି କହିଥିଲେ ।
ଗ୍ରାମ ଓ ଜାତି ମୁଖିଆମାନେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରାଇବା ଲାଗି ନିଜ ନିଜ ଜାତି ସଭାରେ ଲେଖାଇବାର ଆବଶ୍ୟକତା ରହିଅଛି । ଲଗାତାର ଭାବରେ ସଚେତନତା କାର୍ଯ୍ୟକ୍ରମ କରାଇବା ଜରୁରୀ ରହିଥିବା ବେଳେ ବାଲ୍ୟ ବିବାହ ବିଷୟରେ ଜାଣିବା ମାତ୍ରେ ଉପଯୁକ୍ତ ସଦସ୍ୟଙ୍କୁ ଯୋଗାଯୋଗ କରିବାର ଆବଶ୍ୟତା ରହିଅଛି ବୋଲି କହିଥିଲେ । ଏହିସବୁ ଆଲୋଚନା ପରେ ଜିଲ୍ଲାପାଳ ଶ୍ରୀ ସେଠୀ ପ୍ରତିମାସ ‘ମୋ ପଂଚାୟତ, ମୋ ବ୍ଳକ ଓ ମୋ ଢେଙ୍କାନାଳ’ କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ତଥା ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯିବା ଉପରେ ଗୁରୁତ୍ୱାରୋପ କରିଥିବା ବେଳେ କିଶୋର ଓ କିଶୋରୀମାନଙ୍କ ପାଇଁ ଥିବା ସମସ୍ତ ଯୋଜନାକୁ ଏକତ୍ର କରି ଏକ ଲିଫଲେଟ୍ ତିଆରି କରାଯାଇ ବଣ୍ଟନ କରାଯିବା , ଶିକ୍ଷକମାନେ ଇଚ୍ ୱାନ ଟିଚ୍ ୱାନ କାର୍ଯ୍ୟକ୍ରମଟିକୁ ନିହାତି ଭାବେ ଆଗକୁ ନେବା ,ପ୍ରତ୍ୟେକ ଅଙ୍ଗନୱାଡି କର୍ମୀ ଜଣେ ଜଣେ କିଶୋରୀ ବାଳିକାମାନଙ୍କୁ ପୋଷ୍ୟ ସନ୍ତାନ ଭାରେ ଗ୍ରହଣ କରି ସେମାନଙ୍କୁର ସମ୍ପୂର୍ଣ୍ଣ ବିକାଶ ପାଇଁ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ ।
ପ୍ରତ୍ୟେକ ସଚେତନତା କାର୍ଯ୍ୟକ୍ରମରେ ଗ୍ରାମ ଓ ଜାତି ମୁଖିଆମାନେ ଭାଗନେବା ଆବଶ୍ୟକ ବୋଲି କହିଥିବା ବେଳେ ବାଲ୍ୟ ବିବାହ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ । ସର୍ବଶେଷରେ ଅନୁରାଧା ଗୋସ୍ୱାମୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିଶୁ ସୁରକ୍ଷା ବିଷୟରେ ନିଜର ଅଭିଭାଷଣ ରଖି ଧନ୍ୟବାଦ ଅର୍ପଣ କରିଥିଲେ ।