ଢେଙ୍କାନାଳ : ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ । ଏହି ଅବସରରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି), ଢେଙ୍କାନାଳ ପରିସରରେ ଥିବା ମିଡିଆ ମ୍ୟୁଜିୟମ (ଗଣମାଧ୍ୟମ ସଂଗ୍ରହାଳୟ) ବୁଲି ଦେଖିଛନ୍ତି ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଛାତ୍ରଛାତ୍ରୀ ।
ଜାଭିୟର୍ସ ସ୍କୁଲର ୪୫ ଜଣ ଶିକ୍ଷାର୍ଥୀ ଆଇଆଇଏମସିର ମିଡିଆ ମ୍ୟୁଜିୟମରେ ପ୍ରଦର୍ଶିତ ବିଭିନ୍ନ ପୁରୁଣା ଗଣମାଧ୍ୟମ ଉପକରଣ, ଐତିହାସିକ ଘଟଣାବଳୀର ଖବରକାଗଜ ଆଦି ଦେଖିଛନ୍ତି । ସେହିପରି ବିଭିନ୍ନ ସମୟର କ୍ୟାମେରା, ଟେଲିପ୍ରମ୍ପଟର, ରେଡିଓ, ଗୁରୁତ୍ୱପୂର୍ଣ୍ଣ ଗଣମାଧ୍ୟମ ଉପକରଣ ଦେଖି ଛାତ୍ରଛାତ୍ରୀମାନେ ବେଶ ଖୁସି ହୋଇଥିଲେ ।
ପରେ ଆଇଆଇଏମସିର ସହକାରୀ ପ୍ରଫେସର ଡ. ହରେକୃଷ୍ଣ ବେହେରା ଯୋଗାଯୋଗ କ୍ଷେତ୍ରର ବିଭିନ୍ନ ଦିଗ ଉପରେ କ୍ୟାରିୟରର ସୁଯୋଗ ଉପରେ ଆଲୋକପାତ କରିଥିଲେ ।ସଂଗ୍ରହାଳୟ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ୧୯୭୭ ମସିହାରୁ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ପାଳିତ ହୋଇଆସୁଛି ।
ଲୋକଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠା, ସମନ୍ୱୟ ରକ୍ଷା ତଥା ସାଂସ୍କୃତିକ ଚିନ୍ତାଧାରାର ଆଦାନ ପ୍ରଦାନ ସଂଗ୍ରହାଳୟ ଦିବସର ଅନ୍ୟତମ ଆଭିମୁଖ୍ୟ । ଏବର୍ଷର ସଂଗ୍ରହାଳୟ ଦିବସର ଅନୁଚିନ୍ତା ରହିଛି ‘ସଂଗ୍ରହାଳୟର ଶକ୍ତି’ । ଉତ୍ତମ ଭବିଷ୍ୟତ ଗଠନ ପାଇଁ ଅତୀତ ପାଖରେ ପହଞ୍ଚିବା ଏବଂ ନୂଆ ଧାରଣା ସୃଷ୍ଟି କରିବାରେ ସଂଗ୍ରହାଳୟର ବେଶ୍ ଶକ୍ତି ରହିଛି ଏବଂ ଏହା ସମଗ୍ର ବିଶ୍ୱକୁ ଏକ ସକାରାତ୍ମକ ପରିବର୍ତନୀୟ ବାର୍ତ୍ତା ଦେଇପାରେ ବୋଲି ଅନୁଚିନ୍ତା ଆଶା ପ୍ରକଟ କରିଛି ।